THE BYAPINI

ସିବିଆଇ ଫେଲ, ଓଡ଼ିଶା ପୋଲିସ ପାସ୍‌!

Get real time updates directly on you device, subscribe now.

ସିବିଆଇ ଯାହା କରିପାରିଲାନି, ତାହା ଆମେ କରି ଦେଖାଇଲୁ । ୧୪ ମିନିଟରେ ୩ଥର ଏଭଳି କଥା ଶୁଣିବାକୁ ମିଳିଲା ପୋଲିସ କମିଶନରଙ୍କ ମୁହଁରୁ । କହିବେନି ବା କେମିତି, କାରଣ ୨୨ ବର୍ଷ ତଳୁ ଫେରାର ହୋଇଯାଇଥିବା ଜଣେ ଜଘନ୍ୟ ଅପରାଧୀକୁ ମୁମ୍ବାଇ-ପୁଣେ ଅଞ୍ଚଳରୁ ଧରିଥିଲା ଓଡ଼ିଶା ପୋଲିସ । ଆଉ ଏହି ସଫଳତାକୁ ଗଣମାଧ୍ୟମ ଆଗରେ ଛାତି ଫୁଲାଇ କହୁଥିଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଆଉ ପୋଲିସ କମିଶନରଙ୍କ ଏଭଳି ପ୍ରତିକ୍ରିୟା କେବଳ ଯେ ରାଜ୍ୟ ପୋଲିସ ବିଭାଗକୁ ଗର୍ବିତ କରୁଥିଲା ତାହା ନୁହେଁ ବରଂ କେନ୍ଦ୍ରୀୟ ସଂସ୍ଥା ସିବିଆଇର ପାରିବାପଣିଆ ଉପରେ ବିରାଟ ପ୍ରଶ୍ନବାଚୀ ମଧ୍ୟ ଛିଡା କରିଥିଲା । ତେବେ ଏକଥା ଆମେ କାହିଁକି କହୁଛୁ ତାହା ବାବଦରେ ପୂରା ବିଶ୍ଲେଷଣ କରିବା ପୂର୍ବରୁ ସଂକ୍ଷେପରେ ପୂରା ଘଟଣା କଣ ଥିଲା ତାହା ପ୍ରଥମେ ଜାଣିବା ।
୯ ଜାନୁଆରୀ ୧୯୯୯ । ବାରଙ୍ଗର ସେହି ବିଭତ୍ସ ଗଣଦୁଷ୍କର୍ମ ଘଟଣା । ଯାହା ରାଜ୍ୟ ରାଜନୀତିର ଭାଗ୍ୟ ଓ ଭବିଷ୍ୟତକୁ ବଦଳାଇ ଦେଇଥିଲା । ଜଣେ ମହିଳାଙ୍କୁ ୩ ଯୁବକ ଗଣଦୁଷ୍କର୍ମ କରିବା ଘଟଣା ପୂରା ରାଜ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଥିଲା । ତେବେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ତୁରନ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । କୋର୍ଟରେ ଉଭୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ କୁଆଡେ ଗଲା ତାହାର ଟେର ପାଉନଥିଲା ପୋଲିସ । ପରବର୍ତ୍ତୀ ସମୟରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା । ଯେହେତୁ ୨ ଅଭିଯୁକ୍ତ ଧରାପଡି ଥିଲେ ତେଣୁ ସିବିଆଇର ଫୋକସରେ ରହିଥିଲା କିଭଳି ରିଙ୍ଗ ମାଷ୍ଟର ଧରାପଡିବ ଓ ଏହି କଳଙ୍କିତ ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡିବ । ତେବେ ତଦନ୍ତ ସିନା ଆଗେଇ ଚାଲିଲା କିନ୍ତୁ ଅଭିଯୁକ୍ତ ବାବଦରେ ଟିକିଏ ବି ସୂଚନା ପାଇଲାନି ସିବିଆଇ । କିଏ କହୁଥିଲା ବିବନ ବିଶ୍ୱାଳର ଦେହାନ୍ତ ହୋଇଯାଇଛି ତ ପୁଣି କିଏ କହୁଥିଲା ବିବନ ବିଶ୍ୱାଳ ଫେରାର ହୋଇସାରିଛି । ତେଣୁ ସେ ଆଉ ଫେରିବାର ସମ୍ଭାବନା ନାହିଁ । ଆଉ ଏସବୁ ଚର୍ଚ୍ଚା ଭିତରେ ପୀଡିତାଙ୍କ ନ୍ୟାୟ ପାଇବା ଆଶା ମଉଳି ଚାଲିଥିଲା ।
୧୯୯୯ରୁ ୨୦୨୧ । ଏହି ଘଟଣାକୁ ୨୨ ବର୍ଷ ବିତିସାରିଥିଲା । କିନ୍ତୁ ହଠାତ୍ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଆସି ସାମ୍ବାଦିକ ସମ୍ମିଳନୀ କରି ଯେଉଁ ତଥ୍ୟ ସାମ୍ନାକୁ ଆଣିଲେ ତାହା ସମସ୍ତଙ୍କୁ ହତବାକ କରିଦେଲା । କାରଣ ଦୀର୍ଘ ୨୨ ବର୍ଷ ଧରି ଯେଉଁ ଅପରାଧୀ ଫେରାର ହୋଇଥିଲା ତାକୁ ମୁମ୍ବାଇ-ପୁଣେ ଅଞ୍ଚଳରୁ ଉଠାଇ ଆଣିଥିଲା ଓଡ଼ିଶା ପୋଲିସ । ଆଉ ତାହା ବି ୩ ମାସର ସିକ୍ରେଟ ଅପରେସନ ‘ସାଇଲେଣ୍ଟ ଭାଇପର’ ଜରିଆରେ । ଆଉ ଓଡ଼ିଶା ପୋଲିସର ଏହି ସଫଳତାର କାହାଣୀ ପୋଲିସ କମିଶନର ଗଣମାଧ୍ୟମରେ କହୁଥିବା ବେଳେ କେନ୍ଦ୍ରୀୟ ସଂସ୍ଥା ସିବିଆଇର ବିଫଳତାକୁ ମଧ୍ୟ ଇଙ୍ଗିତ କରୁଥିଲେ । ଆଉ ଏଭଳି ଇଙ୍ଗିତ ପଛରେ ବଡ କାରଣ ମଧ୍ୟ ଥାଇପାରେ । କାରଣ ଗତ କିଛି ଦିନ ହେବ ପରୀ ମାମଲାରେ ରାଜ୍ୟ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ଦାବି କରି ଆସୁଛନ୍ତି ବିରୋଧୀ । ତଦନ୍ତ ଠିକ୍ ଢଙ୍ଗରେ କରାଯାଉନାହିଁ ବୋଲି ଓଡ଼ିଶା ପୋଲିସ ଉପରେ ଅପବାଦର ଟ୍ୟାଗ୍ ଲଗାଯାଉଛି । ଏପରିକି ସୋସିଆଲ ମିଡ଼ିଆରେ ଏନେଇ ସରକାରଙ୍କ ଉପରେ ଚାପ ପକାଇବାକୁ ମଧ୍ୟ ଚେଷ୍ଟା କରାଯାଉଛି । ଆଉ ଏଭଳି ସମୟରେ ୨୨ ବର୍ଷ ତଳର ଫେରାର ଅପରାଧୀ ଯାହାକୁ ଧରିବା ହୁଏତ ଏକପ୍ରକାର ଅସମ୍ଭବ ଥିଲା ତାକୁ ମୁମ୍ବାଇରୁ ଧରି ଓଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଉଥିବା ବ୍ୟକ୍ତିବିଶେଷଙ୍କୁ ହୁଏତ କଡା ଜବାବ ଦେଇଥାଇପାରନ୍ତି ପୋଲିସ କମିଶନର । ଆଉ ଓଡ଼ିଶା ପୋଲିସର ଏହି ସଫଳତା ଭିତରେ ସିବିଆଇର ପାରିବାପଣିଆ, ଧୀମା ତଦନ୍ତ ଆପଣାଛାଏଁ ସାମ୍ନାକୁ ଆସିଛି । ଯାହାକୁ ନେଇ ପୋଲିସ କମିଶନର ଖୋଲାଖୋଲି ଭାବେ କହିଛନ୍ତି ସିବିଆଇ ଯାହା କରିପାରିନଥିଲା ତାହା ଆମେ କରି ଦେଖାଇଲୁ ।
ସିବିଆଇ । ଦେଶର ସର୍ବବୃହତ ନିର୍ଭରଯୋଗ୍ୟ ଓ ନିରପେକ୍ଷ ତଦନ୍ତକାରୀ ସଂସ୍ଥା । ଯେଉଁଠି ପୋଲିସ ଫେଲ ମାରିଥାଏ କିମ୍ବା ତଦନ୍ତରେ ନିରପେକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଥାଏ ସେଠି ସିବିଆଇକୁ ଡାକରା ଆସିଥାଏ । ରାଜ୍ୟ ପୋଲିସ ଉପରୁ ବିଶ୍ୱାସ ହରାଇଥିବା ଲୋକେ ଅଧିକାଂଶ ସମୟରେ ସିବିଆଇ ତଦନ୍ତ କରିବାକୁ ଦାବି କରିଥାନ୍ତି । ଏହାଛଡା କେନ୍ଦ୍ରୀୟ ସଂସ୍ଥା ହୋଇଥିବାରୁ ସିବିଆଇ ଠାରୁ ଶୀଘ୍ର ନ୍ୟାୟ ମିଳିବା ନେଇ ଆଶାବାଦୀ ମଧ୍ୟ ରହିଥାନ୍ତି । କିନ୍ତୁ ବିବନ ବିଶ୍ୱାଳକୁ ଗିରଫ କରିବା ମାମଲାରେ ସିବିଆଇକୁ ଚେକମେଟ ଦେଇଛି ଓଡ଼ିଶା ପୋଲିସ । ସିବିଆଇ ତଦନ୍ତ ଦ୍ୱାରା ଯେ ସବୁ ମାମଲାର ସମାଧାନ ହୋଇଯିବ ସେଭଳି ଧାରଣା ହୁଏତ ମନରୁ ଦୂର କରିବାକୁ ବିବନ ବିଶ୍ୱାଳ ଗିରଫ ମାମଲାର ଉଦାହରଣ ଯଥେଷ୍ଟ । ଏହାଛଡା ୨୨ ବର୍ଷ ଧରି ଫେରାର ଥିବା ଏପରିକି ନୂଆ ପରିଚୟ ନେଇ ଜୀବନ କାଟୁଥିବା ବ୍ୟକ୍ତିଙ୍କୁ ଧରିବା ଭଳି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ପୁଣିଥରେ ରାଜ୍ୟବାସୀଙ୍କ ଭରସା ଜିତିବାକୁ ଚେଷ୍ଟା କରିଛି ଓଡ଼ିଶା ପୋଲିସ । କାରଣ ଅନେକ ଘଟଣାରେ ଯେତେବେଳେ ଅପରାଧୀକୁ ଧରିବାରେ ବିଳମ୍ବ ହୁଏ ସେତେବେଳେ ସିବିଆଇ ତଦନ୍ତ ପାଇଁ ଦାବି ଉଠିଥାଏ । ଏପରିକି ପୋଲିସକୁ ଅପାରଗ କହିବାକୁ ମଧ୍ୟ ପଛାଇ ନଥାନ୍ତି କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି । କିନ୍ତୁ ଏବେ ବିବନ ବିଶ୍ୱାଳକୁ ଗିରଫ କରି ଓଡ଼ିଶା ପୋଲିସ ଏହା ଦର୍ଶାଯାଇଛି ଯେ, ଯାହା ସିବିଆଇ କରିପାରିନଥିଲା ତାହା ଓଡ଼ିଶା ପୋଲିସ କରି ଦେଖାଇଲା ।

Get real time updates directly on you device, subscribe now.

Leave A Reply

Your email address will not be published.