THE BYAPINI

ପେଟ୍ରୋଲ ପଲିଟିକ୍ସ : କିଏ କହୁଛି କଣ?

Get real time updates directly on you device, subscribe now.


ପେଟ୍ରୋଲ ପକେଟ ଫାଙ୍କା କରୁଥିବା ବେଳେ ଆଜି ଏହାର ପ୍ରଭାବ ବିଧାନସଭାରେ ଦେଖିବାକୁ ମିଳିଛି । ତୈଳଦର ବୃଦ୍ଧିକୁ ନେଇ ଆଜି ବିଧାନସଭାରେ ତାତି ଦେଖିବାକୁ ମିଳିଛି । ପ୍ରଥମରୁ ତୈଳଦର ବୃଦ୍ଧି ପ୍ରତିବାଦରେ ସାଇକେଲ ଧରି କଂଗ୍ରେସର ବିଧାୟକ ମାନେ ଆଜି ବିଧାନସଭାରେ ଏଣ୍ଟ୍ରି ମାରିଥିଲେ । ଏପରିକି ମୋଦି ସରକାରଙ୍କ ଅଚ୍ଛେଦିନରେ ପେଟ୍ରୋଲ କଣ ୯୦ ଟଙ୍କା ଟପିଲାଣି ବୋଲି ପ୍ରଶ୍ନ କରିଥିଲେ । ଆଉ ବିଧାନସଭାରେ ଏପ୍ରସଙ୍ଗରେ ମୁଲତବୀ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ଉଭୟ ବିଜେଡି-ବିଜେପିକୁ ଟାର୍ଗେଟ କରିବାକୁ ପଛାଇନାହିଁ । ମୋଦି ସରକାରଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ କହିଛି, ଲୋକଙ୍କୁ ଶୋଷଣ କରୁଛି ବିଜେପି । ପେଟ୍ରୋଲ ପକାଇବା ପାଇଁ ଏବେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ସେହିଭଳି ବିଜେଡିକୁ ଟାର୍ଗେଟ କରି କଂଗ୍ରେସ କହିଛି, ତେଲ ଦର ଏତେ ବଢିବା ପରେ ମଧ୍ୟ ଏବେ କାହିଁକି ଚୁପ୍ ବସିଛି ଶାସକ ଦଳ । ପଡୋଶୀ ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ କମାଉଛନ୍ତି, ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ କମାନ୍ତୁ ।
ଗୃହ ଭିତରେ କଂଗ୍ରେସ ବିଧାୟକ ଉଭୟ ବିଜେଡି-ବିଜେପିକୁ ଟାର୍ଗେଟ କରିଥିବା ବେଳେ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଥିଲା ଛାତ୍ର କଂଗ୍ରେସର ସୁପର ସୋ । ତୈଳ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରରେ କାଳି ଲଗାଇବା ସହ ଏହାକୁ ଚିରି ପକାଇଥିଲେ ଛାତ୍ର କଂଗ୍ରେସର ନେତା । ଆଉ ବିଜେଡି ମଧ୍ୟ ଏହି ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହିଁ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି କେନ୍ଦ୍ର ଅତିରିକ୍ତ ସେସ୍ ନେଉଥିବାରୁ ପେଟ୍ରୋଲ ଓ ଡିଜେଲ ଦର ବଢୁଛି । କେନ୍ଦ୍ର ଅତିରିକ୍ତ ସେସ୍ ପ୍ରତ୍ୟାହାର କଲେ ଆପଣାଛାଏଁ ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ଆଉ ଏସବୁ ଭିତରେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ ଯେଉଁ ବୟାନ ରଖିଛନ୍ତି ତାହା କଟା ଘାରେ ଚୂନ ମାରିବା ଭଳି ହୋଇଛି । ବିଷ୍ଣୁ କହିଛନ୍ତି, ତେଲ ଦର ଯାହା ଅଛି ସେତିକି ରହିବା ଦରକାର । ଆଉ କମିବା ଠିକ୍ ନୁହେଁ, ନହେଲେ ଆମେ ଏଠାରେ ଛିଡା ମଧ୍ୟ ହୋଇପାରିବା ନାହିଁ । ଜୀବନ ଅପେକ୍ଷା କଣ ଆମ ମୋଟର ସାଇକେଲ ତେଲ କଣ ଏତେ ଗୁରୁତ୍ୱପୂର୍ଣ୍ଣ? ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଭିତରେ ଚୀନ୍ ଥିଓରୀ ପୂରାଇଛନ୍ତି ବିଷ୍ଣୁ ସେଠୀ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଟିକସ ଟଙ୍କା ବିକାଶ କାର୍ଯ୍ୟରେ ଲାଗୁଛି । କରୋନା ପାଇଁ ଏମିତି ସ୍ଥିତି ଉପୁଜିଛି, ଧୀରେ ଧୀରେ ତେଲ ଦର ସ୍ୱାଭାବିକ ଅବସ୍ଥାକୁ ଆସିବ ବୋଲି କହି କିଛି ମାତ୍ରାରେ ଜନସାଧାରଣଙ୍କୁ ଆଶ୍ୱସ୍ତି କରିଛନ୍ତି ଧର୍ମେନ୍ଦ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.