ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର
ଫେବ୍ରୁଆରୀ ସରିନି । କିନ୍ତୁ ଏବେଠାରୁ ଦେଖାଦେଲାଣି ଖରାର ପ୍ରକୋପ । ଆଜି ଦେଶର ସବୁଠୁ ଉତପ୍ତ ସହର ହେଉଛି ଉୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଗୁରୁବାର ୩୯.୪ ଡିଗ୍ରୀ ଥିବା ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ଦୁଇ ଦିନ ହେବ ସର୍ବାଧିକ ତାପମାତ୍ରା ରହିଛି । ତେବେ ଆଜି ଦେଶର ସବୁଠୁ ଉତପ୍ତ ସହର ଥିଲା ଉୁବନେଶ୍ୱର । ରାଜ୍ୟରେ ଅନେକ ଜିଲ୍ଲାରେ ମଧ୍ୟ ଅଧିକ ତାପମାତ୍ରା ରହିଥିଲା । ବାରିପଦାରେ ୩୮ ଡିଗ୍ରୀ , ତାଳଚେର ୩୭.୧ ଡିଗ୍ରୀ, ଅନୁଗୁଳ ୩୭.୭ ଡିଗ୍ରୀ, କଟକ ୩୭ ଡିଗ୍ରୀ, ବଲାଙ୍ଗିର ୩୭ ଡିଗ୍ରୀ, ଟିଟଲାଗଡ ୩୭.୬ ଡିଗ୍ରୀ, ନୟାଗଡ ୩୬.୫ ଡିଗ୍ରୀ, ସମ୍ବଲପୁର ୩୬.୨ ଡିଗ୍ରୀ ରହିଛି ।
ତେବେ ଗ୍ରୀଷ୍ମ ଆରମ୍ଭରୁ ହିଁ ତାପମାତ୍ରା ବଢିବାରେ ଲାଗିଛି । ଏହା ପୂର୍ବରୁ ରାଜ୍ୟ ସରକାର ତାତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛନ୍ତି । ଫେବ୍ରୁଆରି ମାସରୁ ଏଭଳି ସ୍ଥିତି ହେଉଥିବାରୁ ଆଗକୁ ସ୍ଥିତି ଆହୁରି ସାଙ୍ଘାତିକ ହେବା ନେଇ ଆକଳନ କରାଯାଇଛି। ତାହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ କାର୍ୟ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଗତକାଲି ସତର୍କ କରାଯାଇଛି। ସମ୍ଭାବ୍ୟ ହିଟ୍ୱେଭ୍ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।
କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ତେଣୁ ଗ୍ରୀଷ୍ମ ସମୟରେ ଶିକ୍ଷାନୁଷ୍ଠାନ ଖୋଲା ରଖି ପିଲାଙ୍କୁ ପାଠପଢ଼ାଇବା ଦିଗରେ ପଦକ୍ଷେପ ନିଆଯାଉଛି । ଗ୍ରୀଷ୍ମକୁ ନଜରରେ ରଖି ସକାଳୁଆ କ୍ଲାସ ଓ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ସ୍କୁଲ ତଥା ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, କ୍ୟାମ୍ପସରେ ଥିବା ନଳକୂଅ ମରାମତି କରାଇବା, ପର୍ୟ୍ୟାପ୍ତ ଓଆରଏସ୍ ଉପଲବ୍ଧ କରିବା, ଶ୍ରେଣୀଗୃହ ବାହାରେ କୌଣସି କାର୍ୟ୍ୟକଳାପ ନ କରିବାକୁ କୁହାଯାଇଛି।