ବାଜିଲା ନିର୍ବାଚନ ବିଗୁଲ: ଆସନ୍ତୁ ନଜର ପକାଇବା କେଉଁ ରାଜ୍ୟରେ କେବେ ହେବ ନିର୍ବାଚନ?
ବାଜିଲା ନିର୍ବାଚନ ବିଗୁଲ୍ । ୪ ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ୪ ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତାରିଖ ଘୋଷଣା କରିଛନ୍ତି ।ଆସନ୍ତୁ ନଜର ପକାଇବା କେଉଁ ରାଜ୍ୟରେ କେଉଁ ତାରିଖରେ ହେବ ନିର୍ବାଚନ ?
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ୮ ଟି ପର୍ୟ୍ୟାୟରେ ହେବ ମତଦାନ। ମାର୍ଚ୍ଚ ୨୭ରୁ ବିଧାନସଭା ପାଇଁ ଭୋଟ୍ ପଡିବ । ୮ଟି ପର୍ୟ୍ୟାୟ ଭୋଟ୍ ଶେଷ ହେବା ପରେ ମେ ୨ ତାରିଖରେ ଭୋଟ୍ କାଉଟିଂ ହୋଇ ଫଳାଫଳ ଘୋଷଣା ହେବ ।
ଆସାମ: ଆସାମରେ ଏଥର ତିନୋଟି ପର୍ୟ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଯାହାର ଫଳାଫଳ ମେ ଦୁଇ ତାରିଖରେ ଘୋଷଣା ହେବ । ୨୭ ମାର୍ଚ୍ଚ, ୧ ଏପ୍ରିଲ ଏବଂ ୬ ଏପ୍ରିଲରେ ଭୋଟ ଗ୍ରହଣ ହେବ।
ତାମିଲନାଡୁ: ତାମିଲନାଡୁରେ ଗୋଟିଏ ପର୍ୟ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଏପ୍ରିଲ ୬ ତାରିଖରେ ତାମିଲନାଡୁର ଭୋଟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେବେ । ଏହାର ଫଳାଫଳ ମଧ୍ୟ ସେହି ମେ ୨ ତାରିଖରେ ଘୋଷଣା ହେବ ।
କେରଳ: କେରଳରେ ଏଥର ଗୋଟିଏ ପର୍ୟ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଏପ୍ରିଲ ୬ ତାରିଖରେ କେରଳବାସୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେବେ । ଯାହାର ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ ।
ପୁଡୁଚେରୀ: ପୁଡୁଚେରୀରେ ମଧ୍ୟ ଗୋଟିଏ ପର୍ୟ୍ୟାୟରେ ବିଧାନସଭା ଇଲେକ୍ସନ ଅନୁଷ୍ଠିତ ହେବ । କେରଳ ଏବଂ ଆସାମ ଭଳି ଏପ୍ରିଲ ୬ ତାରିଖରେ ଏଥିପାଇଁ ଭୋଟିଂ ହେବ । ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ ।
ପଶ୍ଚିମବଙ୍ଗର ୨୯୪ଟି ଆସନ, ତାମିଲନାଡ଼ୁର ୨୩୪ଟି ଆସନ,କେରଳର ୧୪୦ଟି ଆସନ,ଆସାମର ୧୨୬ଟି ଆସନ ଓ ପୁଡ଼ୁଚେରୀର ୩୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହିତ କେରଳର ମାଲ୍ଲାପୁରମ ଲେକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି କମିଶନର ଘୋଷଣା କରିଛନ୍ତି। ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ମୋଟ ୮୨୪ ବିଧାନସଭା କ୍ଷେତ୍ରରୁ ମତଦାନ ଗ୍ରହଣ କରାଯିବ ବୋଲି ନେଇ ମଧ୍ୟ ସୂଚନା ରହିଛି। ଏହାସହ ପୋଲିଂ କର୍ମଚାରୀ, ନିର୍ବାଚନରେ ସଂପୃକ୍ତ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ ବୋଲି ଜଣାଯାଇଛି। ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର।