THE BYAPINI

ଜନତାଙ୍କ ଟଙ୍କାରେ ନେତାଙ୍କ ବହପ !

Get real time updates directly on you device, subscribe now.

ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି । ତୈଳ ଦର ବୃଦ୍ଧିକୁ ନେଇ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟା ଶୁଣିବା ପରେ ଜଗା ବଳିଆର ଏହି ଗୀତଟି କାଇଁ ବହୁତ ମନେ ପଡିଲା । ରାଜନୀତି ଠାରୁ ବା ଆଉ ଭଲ ବ୍ୟବସାୟ କଣ ହୋଇପାରିବ । କାରଣ ଯେତେବେଳେ ତୈଳ ଦର ବୃଦ୍ଧିକୁ ନେଇ ପୂରା ଦେଶରେ ଜନ ଅସନ୍ତୋଷ ଦେଖାଦେଉଛି ସେତେବେଳେ ଜଣେ ଜନପ୍ରତିନିଧି ଭାବେ ବିଷ୍ଣୁ କହୁଛନ୍ତି ତେଲ ଦର ମୋତେ ବାଧୁନି । ଆଉ ଯାହାକୁ ବି ବାଧୁଛି ସେ ଗାଡି ଛାଡି ସାଇକେଲ ଧରୁ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ତେଲ ଦର ବିଷ୍ଣୁଙ୍କୁ ବାଧୁନି ବା କେମିତି? ଆଉ ଏହାର ସରଳ ଉତ୍ତର ହେଲା ବିଷ୍ଣୁଙ୍କ ପଛରେ ଲାଗିଥିବା ଟ୍ୟାଗ୍ ।
ବିଷ୍ଣୁ ସେଠୀ । ବିଜେପିର ବରିଷ୍ଠ ବିଧାୟକ । ଜଣେ ଜ୍ଞାନୀ ଗୁଣି ନେତା ଭାବେ ଓଡ଼ିଶା ରାଜନୀତିରେ ତାଙ୍କର ଖ୍ୟାତି ରହିଛି । କିନ୍ତୁ ତୈଳ ଦର ବୃଦ୍ଧିକୁ ନେଇ ଦେଇଥିବା ବେପରୁଆ ବୟାନ ଏବେ ତାଙ୍କୁ ଅଡୁଆରେ ପକାଇଛି । ଦରମାର ବହପ ଦେଖାଇ ତେଲ ଦର ବାଧୁନଥିବା କହିଛନ୍ତି ବିଷ୍ଣୁ । ଦରମା ବଢିଛି, ତେଲ ଦର ବଢୁଛି । ବିଧାୟକ ଭାବେ ଦରମା ୨୦ ହଜାରରୁ ଲକ୍ଷେ ୨୦ ହୋଇଛି, ସେହି ହିସାବରେ ତେଲ ଦର ବଢିଲେ ଅସୁବିଧା କଣ ବୋଲି ବିଷ୍ଣୁ କହିଛନ୍ତି । କିନ୍ତୁ ଏଠି ପ୍ରଶ୍ନ ହେଲା, ଜନପ୍ରତିନିଧି ଭାବେ ବିଷ୍ଣୁ ପାଉଥିବା ଆନୁସଙ୍ଗିକ ସୁବିଧା ଓ ଦରମା ଆସୁଛି କେଉଁଠୁ? ସାଧାରଣତଃ ଜନପ୍ରତିନିଧି ମାନଙ୍କୁ ସରକାର ଦରମା ଦେଇଥାନ୍ତି । ଆଉ ଏହି ଟଙ୍କା ଜନସାଧାରଣଙ୍କ ଠାରୁ ବିଭିନ୍ନ ଟିକସ ଆକାରରେ ଆଦାୟ କରିଥାନ୍ତି ସରକାର । ଅଥାର୍ତ ନେତା ନେଉଥିବା ଦରମା ପରୋକ୍ଷରେ ଜନତା ହିଁ ଦେଇଥାନ୍ତି । ତେବେ ସେହି ସାଧାରଣ ଲୋକଟିର ପଇସା ପକେଟରେ ପୂରାଇ କାହିଁକି ଏତେ ବହପ ଦେଖାଉଛନ୍ତି ବିଷ୍ଣୁ ।
ଯେତେବେଳେ ତୈଳ ଦର ବୃଦ୍ଧି ଫଳରେ ସାଧାରଣ ଲୋକଟିର ପକେଟ ଫାଙ୍କା ହୋଇଯାଉଛି ସେତେବେଳେ ବିଷ୍ଣୁଙ୍କ ଭଳି ନେତା ଦରମାର ଦ୍ୱାହି ଦେଇ ଲୋକଙ୍କ କଟା ଘାରେ ଚୂନ ମାରିବା ଭଳି କଥା କହିବାକୁ ମଧ୍ୟ ପଛାଉନାହାନ୍ତି । ଏହାଛଡା ତୈଳ ଦର ବଢିଲେ ବିଷ୍ଣୁଙ୍କୁ ବାଧିବ ବା କାହିଁକି, ଗମନାଗମନ ବାବଦକୁ ତେଲ ଖର୍ଚ୍ଚ ତ ସରକାରଙ୍କ ପକ୍ଷରୁ ମିଳୁଛି । ନିଜ କଷ୍ଟ ଅର୍ଜିତ ଟଙ୍କା ସିନା ତେଲ ପିଛା ଖର୍ଚ୍ଚ କଲେ ବିଷ୍ଣୁ ଜାଣିବେ ସାଧାରଣ ଲୋକଟିଏ କିଭଳି ତେଲ ଦର ବଢିଲେ କଲବଲ ହୋଇଥାଏ । ସବୁ ଜାଣିବା ପରେ ମଧ୍ୟ ସାଧାରଣ ଲୋକଟିଏ ଚୁପ୍ ବସିଥାଏ । କାରଣ ତେଲ ଦର ବଢିବା ନେଇ ବାରମ୍ବାର ନେଇ ପ୍ରଶ୍ନ କଲେ ମଧ୍ୟ ବିକାଶର ଚାଦର ତଳେ ଘୋଡାଇ ଦେବାକୁ ଚେଷ୍ଟା କରିଛନ୍ତି ବିଷ୍ଣୁଙ୍କ ଭଳି ନେତା । ତୈଳ ଦର ବଢୁଛି ଦେଶର ବିକାଶ ହେବ, ଗ୍ୟାସ୍ ଦର ବଢୁଛି ଦେଶର ବିକାଶ କାର୍ଯ୍ୟରେ ଲାଗିବ । ଦେଶକୁ ବିକଶିତ କରିବାକୁ ସରକାର ଚାହୁଁଛନ୍ତି ଏହା ଭଲ କଥା କିନ୍ତୁ ଜଣେ ଗରିବ ଲୋକଟିଏ ଶହେ ଟଙ୍କା ଦେଇ ଗାଡିରେ ପେଟ୍ରୋଲ ଭର୍ତ୍ତି କରିବା ପୂର୍ବରୁ ହଜାରେ ଥର ଭାବିବ ତାହା କେଉଁ ପ୍ରକାର ବିକାଶରେ ଗଣାଯିବ ସେ ବାବଦରେ ଥରେ ରାଜ୍ୟବାସୀଙ୍କୁ ବୁଝାଇଦିଅନ୍ତୁ ବିଷ୍ଣୁ ।

Get real time updates directly on you device, subscribe now.

Leave A Reply

Your email address will not be published.