THE BYAPINI

ଯୁବଶକ୍ତିକୁ ରାଜ୍ୟ ସରକାରଙ୍କର ବେଖାତିର୍ ?

Get real time updates directly on you device, subscribe now.

ଅବସର ପରେ ନିଯୁକ୍ତି । ରାଜ୍ୟରେ ଏହି କଥାଟି ଯେମିତି ଆଉ ନୁଆ ନୁହେଁ । ରାଜ୍ୟ ସରକାରଙ୍କର ଗୁଡ ବୁକରେ ରହି ଯେଉଁ ଅଧିକାରୀ ଅବସର ନେଉଛନ୍ତି, ତୁରନ୍ତ ତାଙ୍କ ପାଇଁ ସରକାର ଅନ୍ୟ ଏକ ପଦବୀ ରଖିଥାଉଛନ୍ତି । ଅବସର ନେବାର ଠିକ ଗୋଟିଏ ଦିନ ଭିତରେ ତାଙ୍କ ପାଇଁ ନୁଆ ନିଯୁକ୍ତି ଘୋଷଣା ହେଉଛି ଏପରିକି କିଛି ସ୍ଥାନରେ ତ ଅବସର ନେବା ପୁର୍ବରୁ ନୁଆ ନିଯୁକ୍ତି ନେଇ ଘୋଷଣା ହୋଇଯାଉଛି । ବଡ ବିଚିତ୍ର କଥା ହେଉଛି, ରାଜ୍ୟରେ ଯୁବଶକ୍ତି ଚାକିରି ଅପେକ୍ଷାରେ ଥିବାବେଳେ ରାଜ୍ୟ ସରକାରଙ୍କର ଯୁବମାରଣ ନୀତି ଅନେକ ବିବାଦ ତିଆରି କରୁଛି । ଗୋଟିଏ ବ୍ୟବସ୍ଥା ଭିତରେ ପୁରୁଣା ଲୋକ ଯିବେ, ନୁଆ ଲୋକ ଆସିବେ । ଫଳରେ ଉକ୍ତ ସଂସ୍ଥା ଅବା କ୍ଷେତ୍ରରେ ସନ୍ତୁଳନ ରହିବା ସହ ରାଜ୍ୟରେ ବେରୋଜଗାରୀ କମିବ ଏବଂ ସରକାରଙ୍କ ପ୍ରତି ଆସ୍ଥା ତିଆରି ହେବାର ସମ୍ଭାବନା ସୃଷ୍ଟି ହେବ । ହଲେ ରାଜ୍ୟ ସରକାର ଯେମିତି ପଣ କରିଛନ୍ତି, ନୁଆ ନିଯୁକ୍ତି ଦେବେ ନାହିଁ । ବରଂ ଅବସର ପରେ ନିଜ ପ୍ରିୟ ଅଧିକାରୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେଇ ଚାଲିଥିବେ ।

କୋଭିଡ ସମୟରେ ଅର୍ଥନୈତିକ ବୋଝକୁ କମ୍ କରିବା ପାଇଁ ରାଜ୍ୟ ଅର୍ଥବିଭାଗ ଜୁଲାଇ ୨୦୨୦ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲା । ଏହା ଅନୁସାରେ, ସ୍ୱାସ୍ଥ୍ୟ ବିଭାଗକୁ ଛାଡିଦେଲେ ଅନ୍ୟ କୈାଣସି ସରକାରୀ ବିଭାଗରେ ନୁଆ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାରିବ ନାହିଁ । ପାଂଚ ବର୍ଷ ଧରି ଖାଲି ପଡିଥିବା ପଦବୀ ପୁରଣ ହେବନାହିଁ । ଯଦି କୈାଣସି ବିଭାଗରେ ନିଯୁକ୍ତି ଅତି ଜରୁରୀ ତେବେ ଅର୍ଥ ବିଭାଗର ଅନୁମତି ନେବାକୁ ପଡିବ । କୈାଣସି ବିଭାଗ ନିଯୁକ୍ତିକୁ ଆଉଟସୋର୍ସ କରିପାରିବ ନାହିଁ କିମ୍ବା ଅବସର ପରେ କାହାକୁ ବି ନିଯୁକ୍ତି ଦେବନାହିଁ । ହେଲେ ରାଜ୍ୟ ସରକାର ଏବେ ନିଜ ନିର୍ଦ୍ଦେଶନାମାକୁ ନିଜେ ହିଁ ଉଲ୍ଲଂଘନ କରୁଥିବା ଏକାଧିକ ନଜିର ସାମ୍ନାକୁ ଆସୁଛି । ଅନେକ ସରକାରୀ ଅଧିକାରୀ ଅବସର ପରେ ନୁଆ ନିଯୁକ୍ତି ପାଉଛନ୍ତି । ଅବଶ୍ୟ ସରକାର ସେମାନଙ୍କର ଦକ୍ଷତା ଦେଖି ନିଯୁକ୍ତି ଦେଉଥାଇପାରନ୍ତି ଅବା ଅନ୍ୟ କୈାଣସି ମାପଦଣ୍ଡରେ ବିଚାର କରୁଥାଇପାରନ୍ତି, ହେଲେ ଏଥିପାଇଁ ଯେ ନୁଆ ନିଯୁକ୍ତି ସୁଯୋଗକୁ ଅପେକ୍ଷା କରୁଥିବା ଯୁବଶକ୍ତି ନିରାଶ ହେଉଛନ୍ତି, ଏହା ମଧ୍ୟ ସରକାର ଜାଣିବା ଉଚିତ ।

ସରକାରଙ୍କ ଏଭଳି ନିଷ୍ପତ୍ତି ଦେଖିଲା ପରେ ଲାଗୁଛି, ରାଜ୍ୟରେ କାର୍ଯ୍ୟରତ ଦକ୍ଷ ଅଧିକାରୀଙ୍କର ଅଭାବ ରହୁଛି । ସରକାରଙ୍କର ଏଭଳି ନିଷ୍ପତ୍ତିର ଏକ ନକରାତ୍ମକ ପ୍ରଭାବ ପଡିବା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ଏବେ ସମସ୍ତ ଅଧିକାରୀ ନିଜ ଅବସର ପରର ସମୟକୁ ଭଲରେ କାଟିବା ପାଇଁ ସରକାରଙ୍କର ଗୋଡାଣିଆ ହୋଇ କାମ କରୁଥିବା ଅଭିଯୋଗ ହେଉଛି । ଫଳରେ ସରକାରଙ୍କର ଗୁଡବୁକକୁ ସେମାନେ ଆସିଯିବେ ଏବଂ ଅବସର ପରେ ଆଉ କିଛି ବର୍ଷ ଚାକିରୀ ସେମାନଙ୍କୁ ମିଳିଯିବ ଅବା ସେମାନଙ୍କର ଚାକିରୀ ଅବଧିକୁ ବଢାଇ ଦିଆଯିବ । ଏହାଫଳରେ ଯୁବଶକ୍ତି ଉପରୁ ସରକାରଙ୍କର ଭରସା କମୁଥିବାର ଏକ ବଡ ସଂକେତ ମଧ୍ୟ ମିଳୁଛି । ରାଜ୍ୟରେ ବେରୋଜଗାରୀ ବଢୁଥିବା ବେଳେ ସରକାରଙ୍କର ଏଭଳି ଯୁବମାରଣ ନୀତି ଆଗାମୀ ଦିନରେ ସରକାରଙ୍କୁ ହିଁ ଅଡୁଆ ହେବ । କାରଣ ବେରୋଜଗାରୀ ଯେତେ ଅଧିକ ବଢିବ, ସରକାରଙ୍କ ପାଇଁ ସେତେ ବିପଦ ଆସିବ । ସେହି ସମୟରେ ନା ଟଙ୍କିକିଆ ଚାଉଳ ନା ମାଗଣା ଘୋଷଣା କାମ କରିବ । ସରକାର ବଦଳାଇବାକୁ ଯଦି ଯୁବଶକ୍ତି ନିଷ୍ପତ୍ତି ନିଅନ୍ତି ତେବେ ସରକାରଙ୍ୁ ଆହ୍ୱାନର ସାମ୍ନା କରିବାକୁ ପଡିବ ।

Get real time updates directly on you device, subscribe now.

Leave A Reply

Your email address will not be published.