ପୋସ୍କୋ କ୍ଷତିର ଭରଣା କରିବ କି ମିତ୍ତଲ ? ଶିଳ୍ପବିହୀନ ଜିଲ୍ଲା ହେବ ଶିଳ୍ପସମୃଦ୍ଧ
ବିଳମ୍ବରେ ହେଉ ପଛେ ଶିଳ୍ପବିହୀନ ଜିଲ୍ଲା ତାଲିକାରୁ ହଟିବ କେନ୍ଦ୍ରାପଡ଼ାର ନାଁ । ଯେଉଁ ବିଜୁ ବାବୁ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବାକୁ ସ୍ୱପ୍ନ ଦେଖିଥିଲେ ତାଙ୍କ କର୍ମଭୂମି କେନ୍ଦ୍ରାପଡ଼ାକୁ ପୁଅ ନବୀନ ଦେଇଛନ୍ତି ବଡ ଉପହାର । ଆଉ ତାହା ବି ପୁଣି ବିଜୁଙ୍କ ଜନ୍ମଜୟନ୍ତୀର କିଛି ଘଣ୍ଟା ପୂର୍ବରୁ । କେନ୍ଦ୍ରାପଡ଼ାରେ ହେବ ବୃହତ ଷ୍ଟିଲ ପ୍ଲାଣ୍ଟ । ଆଉ ଏନେଇ ଆଜି ଭାରତର ସବୁଠୁ ବଡ ଷ୍ଟିଲ କମ୍ପାନି ଆର୍ସେନାଲ ମିତ୍ତଲ କମ୍ପାନି ସହ ଏମଓୟୁ ସ୍ୱାକ୍ଷରିତ କରିଛନ୍ତି ରାଜ୍ୟ ସରକାର । ବାର୍ଷିକ ପ୍ରାୟ ୧୨ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ଥିବା ଏହି ଷ୍ଟିଲ ପ୍ଲାଣ୍ଟପାଇଁ ୫୦ ହଜାର କୋଟି ଟଙ୍କା ନିବେଶ କରିବ କମ୍ପାନି । ଆଉ ଏଥିପାଇଁ ଲୋକସେବା ଭବନରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏହି ଘୋଷଣା ଶିଳ୍ପବିହୀନ ଜିଲ୍ଲା ଟ୍ୟାଗ୍ ପାଇ ଆସୁଥିବା କେନ୍ଦ୍ରାପଡ଼ାବାସୀଙ୍କୁ କେବଳ ଖୁସି କରି ନାହିଁ ବରଂ ରାଜ୍ୟ ସରକାରଙ୍କ ଏକ ବଡ କ୍ଷତକୁ ପୂରଣ କରିବାକୁ ଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ କ୍ଷତଟି ହେଉଛି ପୋସ୍କୋ ।
ନବୀନଙ୍କ ଦ୍ୱିତୀୟ ପାଳିରେ ଓଡ଼ିଶାରେ ପୋସ୍କୋର ଏଣ୍ଟ୍ରି ହୋଇଥିଲା । ୨୦୦୫ ଜୁନ୍ ୨୨ । ଜଗତସିଂହପୁରରେ ବୃହତ ଇସ୍ପାତ କାରଖାନା ଖୋଲିବାକୁ ଦକ୍ଷିଣ କୋରିଆ କମ୍ପାନି ପୋସ୍କୋ ସହ ରାଜ୍ୟ ସରକାରଙ୍କର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ପାରାଦ୍ୱୀପ ବନ୍ଦର ପାଖରେ ଥିବାରୁ ଜଗତସିଂହପୁରକୁ ବଛାଯାଇଥିଲା । ହୋଇଥିବା ଚୁକ୍ତି ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ୫୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତା ପୋସ୍କୋ । ବାର୍ଷିକ ୧୨ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପକୁ ସେତେବେଳେ ସରକାର ସବୁଜ ସଂକେତ ଦେଇଥିଲେ । ଏହାସହ ପେସ୍କୋ ପାଇଁ ଆବଶ୍ୟକୀୟ ଜମି ରାଜ୍ୟ ସରକାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।
ପୋସ୍କୋ ପାଇଁ ଯେତେବେଳେ ପ୍ରଶାସନ ଜମି ଅଧିଗ୍ରହଣ ଆରମ୍ଭ କଲା ସେତେବେଳେ ସରକାରଙ୍କୁ ଆହ୍ୱାନଭରା ସ୍ଥିତିର ସମ୍ମୁଖୀନ ହେବାକୁ ପଡିଲା । କିଛି ଲୋକ ପୋସ୍କୋକୁ ସମର୍ଥନ କରୁଥିବା ବେଳେ କିଛି ଲୋକ ପୋସ୍କୋକୁ ବିରୋଧ କରିବା ଆରମ୍ଭ କରିଥିଲେ । ଆଉ ଚାହୁଁଚାହୁଁ ପ୍ରତିବାଦର ନିଆଁ ସ୍ଥାନୀୟ ଅଞ୍ଚଳରେ ଗାଁରୁ ଗାଁକୁ ବ୍ୟାପିଲା । ପ୍ରଶାସନର ଜମି ଅଧିଗ୍ରହଣକୁ ଜୋରଦାର ବିରୋଧ କରାଗଲା । ଆଉ ଏସବୁ ଭିତରେ ଜମି ଅଧିଗ୍ରହଣ ପାଇଁ ବର୍ଷ ପରେ ବର୍ଷ ବିଳମ୍ବ ହେବା ପୋସ୍କୋର ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନଚିହ୍ନ ଉଠିଲା । କିନ୍ତୁ ପ୍ରତିଶ୍ରୁତି ଦେଇଥିବାରୁ ଜମି ଅଧିଗ୍ରହଣ କାମକୁ ଜାରି ରଖିଥିଲେ ସରକାର । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିର ସୁନେଲୀ ସ୍ୱପ୍ନ ଦେଖାଇ ପାଖାପାଖି ୩୦୦୦ ଏକର ଜମି ଅଧିଗ୍ରହଣ କରିସାରିଥିଲେ ସରକାର । କିନ୍ତୁ ସ୍ଥାନୀୟ ଲୋକଙ୍କ ଲଗାତାର ବିରୋଧ ଫଳରେ ଜଗତସିଂହପୁରରେ ପୋସ୍କୋର ପ୍ରବେଶ ଆଉ ପୂର୍ବଭଳି ସହଜ ହୋଇନଥିଲା । ତା ପରେ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ଘନ ଘନ ବୈଠକ ପରେ ମଧ୍ୟ କୌଣସି ରାସ୍ତା ଖୋଲିନଥିଲା । ଆଉ ଶେଷରେ ଜଗତସିଂହପୁରରେ ଜନ୍ମ ନେବା ପୂର୍ବରୁ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ପୋସ୍କୋ । କେବଳ ଯେ ପୋସ୍କୋ ଫେରିଯାଇଥିଲା ତାହା ନୁହେଁ ବରଂ ଏହା ରାଜ୍ୟ ସରକାରଙ୍କୁ ଗୋଟେ ବଡ ଝଟକା ମଧ୍ୟ ଦେଇଥିଲା । ଯାହାଫଳରେ ଓଡ଼ିଶାକୁ ଆସିବାକୁ ଚାହୁଁଥିବା ବଡ ବଡ ଶିଳ୍ପ କମ୍ପାନି ଗୁଡିକ ମଧ୍ୟ ପଛଘୁଞ୍ଚା ଦେଲେ । ପୋସ୍କୋ ଫେରିଯିବା ରାଜ୍ୟ ସରକାରଙ୍କ ପାଇଁ ସବୁଠୁ ବଡ କ୍ଷତି ବୋଲି କୁହାଗଲା ।
ଆଉ ଏହି କ୍ଷତ ହେବାର ବର୍ଷ କେଇଟା ମଧ୍ୟରେ ଏହାକୁ ବୋଧହୁଏ ଶୁଖାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ସରକାର । ଏଥର ଆଉ ଜଗତସିଂହପୁର ନୁହେଁ ବରଂ ଶିଳ୍ପବିହୀନ ଜିଲ୍ଲାକୁ ଶିଳ୍ପ ସମୃଦ୍ଧ କରିବାକୁ କେନ୍ଦ୍ରାପଡା ନାଁରେ ମୋହର ମାରିଛନ୍ତି ନବୀନ । ଜଗତସିଂହପୁରର ପଡୋଶୀ ଜିଲ୍ଲା ଭାବେ କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ କରିବାକୁ ସବୁଜ ସଂକେତ ଦେବା ପଛରେ ମଧ୍ୟ ବଡ କାରଣ ରହିଛି । ଏସବୁ ଭିତରେ କେନ୍ଦ୍ରାପଡାକୁ ରେଲୱେ ଛୁଇଁ ସାରିଛି । ତା ଛଡା ପଡୋଶୀ ଜିଲ୍ଲା ଜଗତସିଂହପୁରରେ ପାରାଦ୍ୱୀପ ବନ୍ଦର ଓ ଭଦ୍ରକରେ ଧାମରା ବନ୍ଦର ରହିଛି । ତେଣୁ କଞ୍ଚାମାଲ ଓ ଉତ୍ପାଦନ ସାମଗ୍ରୀ ନେବା ଆଣିବାରେ ସେଭଳି ସମସ୍ୟା ଦେଖାଦେବନାହିଁ । ଏହାଛଡା ଦୀର୍ଘବର୍ଷ ହେବ ବାପା ବିଜୁ ବାବୁଙ୍କ କର୍ମଭୂମିକୁ ଅବହେଳା କରୁଛନ୍ତି ବୋଲି ଯେଉଁ ଅଭିଯୋଗ ଆସୁଥିଲା ସେଥିରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନବୀନ । ଆଉ ଏହି ଘୋଷଣା ସହ ସରକାରଙ୍କ ଫୋକସରେ କେନ୍ଦ୍ରାପଡ଼ା ରହିଛି ବୋଲି ବାର୍ତ୍ତା ଦେଇଛନ୍ତି ନବୀନ । ଏହାସହ ପୋସ୍କୋ ଫେରିଯିବା ପରେ ଯେଉଁ କ୍ଷତ ସୃଷ୍ଟି ହୋଇଥିଲା କେନ୍ଦ୍ରାପଡ଼ାରେ ମିତ୍ତଲ ଷ୍ଟିଲ ପ୍ଲାଣ୍ଟମାଧ୍ୟମରେ ଏହାକୁ ଭରଣା କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର ।