ଗଜପତି ମହାରାଜଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି
ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ୟ୍ୟକାରୀ ହେଉଥିବା ବେଳେ, ଶ୍ରୀଜଗନ୍ନାଥଙ୍କ ଏହି ମହତ କାର୍ୟ୍ୟରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ବିଶେଷ ଭାବରେ ସାଢେ ୪ କୋଟି ଓଡିଆ ସାମିଲ ହେବାକୁ ଇଚ୍ଛା ରଖିଛନ୍ତି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବା ପାଇଁ ଗଜପତି ମହାରାଜାଙ୍କୁ ଚିଠି ଲେଖି ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ବିଶାଳ ସମର୍ପଣ ନିଧି ଅଭିଯାନକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ବିଶ୍ୱର ପ୍ରତ୍ୟେକ ହିନ୍ଦୁ ଓ ସାଢ଼େ ଚାରି କୋଟି ଓଡ଼ିଆ ଶ୍ରମଦାନ ଓ ଅର୍ଥଦାନ ମାଧ୍ୟମରେ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇବେ। ପ୍ରସ୍ତାବିତ ଏହି ଅଭିଯାନରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମ୍ପର୍କର ସେତୁ ସାଜିବା ଏବଂ ସମନ୍ୱୟ ରକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକଙ୍କ ଦେବତା । ପ୍ରତି ବ୍ୟକ୍ତିର ହୃଦୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ । ତେଣୁ ସମଗ୍ର ହିନ୍ଦୁ ସମାଜ ଓ ସାଢେ ୪ କୋଟି ଓଡିଆଙ୍କ ମନରେ ମହାପ୍ରଭୁଙ୍କ କାମରେ ସହଯୋଗ କରିବା ନେଇ ଅଦମ୍ୟ ଉତ୍ସାହ ରହିଛି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ବିଶାଳ ଧନ ସଂଗ୍ରହ ଅଭିଯାନର ସହଯୋଗର ପ୍ରକ୍ରିୟାକୁ ଜନଆନ୍ଦୋଳନ ଭାବରେ ପରିଣତ କରିବା ଏବଂ ଲୋକଙ୍କୁ ଏଥିରେ ଭାଗିଦାରୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଅନୁରୋଧ କରିଛନ୍ତି ।
ନିକଟରେ ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ନିଜ ଦରମାରୁ ୧ ଲକ୍ଷ ସହଯୋଗ ରାଶି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ।