ଧସେଇ ପଶିଲେଣି ନବୀନ !
ଗେରୁଆ ଗଡରେ ଧସେଇ ପସିଲେଣି ନବୀନ । କୋଭିଡ ମହାମାରୀର କାୟା କମିବା ମାତ୍ରେ ପଦ୍ମ ପୋଖରୀକୁ ସିଧାସଳଖ ଆକ୍ରମଣ । ଯାହାକୁ ନେଇ ବିଜେପି ଶିବିରରେ ଏବେ ଭୟର ବାତାବରଣ । ଏପରିକି ଆଗରୁ ବର୍ଷତମାମ ରାଜଧାନୀରେ ଡେରା ପକାଉଥିବା ପଶ୍ଚିମ ଓଡିଶାର ବିଜେପି ନେତାଙ୍କୁ ଆଜିକାଲି ଭୁବନେଶ୍ୱରରେ ଦେଖିବାକୁ ମିଳୁନି । ନବୀନଙ୍କ ଶାଣିତ ରଣନୀତିକୁ କେମିତି ପ୍ରତିହତ କରିବେ ସେହି ଚିନ୍ତାରେ ନିଜ ଅଞ୍ଚଳ ଜଗିବାକୁ ଚେଷ୍ଟା ଜାରି ରଖିଛନ୍ତି ।
୨୦୧୯ ସାଧାରଣ ନିର୍ବାଚନରେ ଯଦିଓ ପଶ୍ଚିମ ଓଡିଶାର ଜନସାଧାରଣ ରାଜ୍ୟରେ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ, କିନ୍ତୁ ଦେଶର ଭାର ସମ୍ଭାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରିଥିଲେ ।ସେଥିପାଇଁ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ମିଳିଥିଲା ବଡ ସଫଳତା । ଦଳ ଜିତିଥିବା ୮ଟି ଆସନ ମଧ୍ୟରୁ ଭୁବନେଶ୍ୱର ଓ ଉତ୍ତର ଓଡ଼ିଶାର ବାଲେଶ୍ଵର ଏବଂ ମୟୁରଭଞ୍ଜକୁ ବାଦ ଦେଲେ ପଶ୍ଚିମ ଓଡିଶାର ସମସ୍ତ ୫ ଆସନ ଯାଇଥିଲା ବିଜେପି ଖାତାକୁ । କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ର ଜନତା ପଦ୍ମ ଉପରେ ବିଶ୍ୱାସ ପ୍ରକଟ କଲେ । ଆଉ ବିଜେପି ଶିବିର ବିଶ୍ୱାସ କଲା ଯେ ପଶ୍ଚିମ ଓଡିଶାକୁ ସେମାନେ ନବୀନଙ୍କ ହାତରୁ ଛଡେଇନେଲେ ।
ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇ ଏହି ଅଞ୍ଚଳର ବିଜେପି ନେତା ଦିଲ୍ଲୀରେ ନିଜ ପତିଆରା ଜାହିର କରିବାରେ ଲାଗିପଡିଲେ । ନିଜର ଅହଂଭାବ ଏତେ ମାତ୍ରାରେ ବଢିଗଲା ଯେ ନିଜକୁ ରାଜ୍ୟ ବିଜେପିର ପୋଷ୍ଟର ବୟ ଓ ମୋଦି ସରକାରଙ୍କ ବ୍ଲୁ ଆଇଡ଼ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମକକ୍ଷ ହେବାକୁ ଚେଷ୍ଟା ଚଳେଇଲେ । ମନରେ ଏମିତି ଭାବିଦେଲେ ଯେ, ପଶ୍ଚିମ ଓଡିଶା ସବୁଦିନ ପାଇଁ ବିଜେପିର ହୋଇଗଲା । ବର୍ଷେ କାଳ ଏମିତି ଚାଲିବା ପରେ ଆସିଗଲା କରୋନା ମହାମାରୀ । ନେତା ମାନେ ଲୋକଙ୍କଠାରୁ ଦୁରେଇବାକୁ ଏକ ପ୍ରକାର ବାଧ୍ୟ ହେଲେ । ଯେଉଁ ଆଶା ଭରସାରେ ପଶ୍ଚିମ ଓଡ଼ିଶାବାସୀ ବିଜେପି ନେତାଙ୍କୁ ଆଶ୍ରା କରିଥିଲେ ପାଖାପାଖି ଦୁଇ ବର୍ଷ ଧରି ତାର କାଣିଚାଏ ବି ପୁରଣ ହେଲା ନାହିଁ । ଜନ ଅସନ୍ତୋଷ ଧୀରେ ଧୀରେ ବଢ଼ିବାର ଆଭାସ ମିଳିଲା । ବାସ ଏହି ସମୟକୁ ଅପେକ୍ଷା କରିଥିଲା ବିଜେଡି । ଗତ ୨୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ନିର୍ବାଚନର ଟ୍ରମ୍ପ କାର୍ଡ କୁହାଯାଉଥିବା ନବୀନ ନିଜ ଦଳବଳ ଧରି ଆରମ୍ଭ କରିଦେଲେ ଗୋଟିଚାଳନା ।
କୋଭିଡ କଟକଣା କୋହଳ ହେବା ମାତ୍ରେ ନବୀନ ଜଗନ୍ନାଥଙ୍କୁ ଦର୍ଶନ କରି ଆରମ୍ଭ କଲେ ଅଭିଯାନ । ଆଉ ପ୍ରଥମ ଟାର୍ଗେଟ ଥିଲା କଳାହାଣ୍ଡି । ଦୀର୍ଘଦିନ ଧରି ଭିଡ଼ିଓ ବାର୍ତ୍ତାରେ ଲୋକଙ୍କ ପାଖରେ ପହଞ୍ଚୁଥିବା ନବୀନ ସିଧା ଜିଲ୍ଲାରେ ପହଞ୍ଚି ୨୦୮୫କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ । ୫୪ଟି ପ୍ରକଳ୍ପ ଉଦଘାଟନ କରିବା ସହ ୫୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କଲେ । ଆଉ ସମଗ୍ର ଜିଲ୍ଲାବାସୀଙ୍କୁ ସନ୍ଦେଶ ଦେଲେ ଯେ ଦିନେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଅଞ୍ଚଳ ଆଜି ତାଙ୍କ ପ୍ରଚେଷ୍ଟାରେ ଅନ୍ନର ଭଣ୍ଡାର ହୋଇପାରିଛି । ନବୀନଙ୍କ ପରବର୍ତ୍ତୀ ଟାର୍ଗେଟ ଥିଲା ସୁନ୍ଦରଗଡ଼ ଜିଲ୍ଲା । ହକି ଖେଳର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼କୁ ଭେଟି ଦେଲେ ଦେଶର ସର୍ବବୃହତ ହକି ଷ୍ଟାଡିୟମ । ଏହା ସହ ପାଖାପାଖି ୮୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ଓ ୪ ହଜାର କୋଟିର ପ୍ରକଳ୍ପ ପାଇଁ ଶୁଭ ମଧ୍ୟ ଦେଲେ । ବ୍ୟାପୀନିକୁ ମିଳିଥିବା ସୂଚନା ଅନୁସାରେ ଆଗକୁ ନବୀନଙ୍କ ଫୋକସରେ ରହିବ ନୂଆପଡା ଓ ବଲାଙ୍ଗୀର ଜିଲ୍ଲା । ଚଳିତ ମାସରେ ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲା ଗସ୍ତ କରିବା ପାଇଁ ସମସ୍ତ କାର୍ୟ୍ୟକ୍ରମର ଖସଡ଼ା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କଳାହାଣ୍ଡି ଲୋକସଭା ଓ ବଲାଙ୍ଗୀର ଲୋକସଭା ଅଧୀନରେ ଆସୁଥିବା ଏହି ଜିଲ୍ଲାକୁ ନବୀନ କଣ ଉପହାର ଦେଉଛନ୍ତି ଏବେ ତାହା ଉପରେ ନଜର ।
ସେପଟେ ନବୀନଙ୍କ ଏହି ଆକ୍ରମଣାତ୍ମକ ଭାବଭଙ୍ଗୀ ଦେଖି ବିଜେପି ନେତା ଛାନିଆ ହେବା ସ୍ୱାଭାବିକ । କୃଷି ବହୁଳ ପଶ୍ଚିମ ଓଡ଼ିଶାରେ ହଜାର ହଜାର ସମସ୍ୟା ଥିଲେ ମଧ୍ୟ ଭୋକ ବିକଳରେ ତାଟିଆ କାମୁଡିବା ପରି, କେବଳ ମଣ୍ଡି ଅବ୍ୟବସ୍ଥାକୁ ନେଇ ନିଜ ପାରିବାପଣିଆ ସାବ୍ୟସ୍ତ କରିବାକୁ ଲାଗିପଡିଛି ବିଜେପି । କିନ୍ତୁ ନବୀନଙ୍କ ଚାଲ ଆଗରେ ନିଷ୍ପ୍ରଭ ହେଉଛି ବିଜେପିର ସବୁ ରଣନୀତି । ପଶ୍ଚିମ ଓଡିଶାର ବିକାଶ ପାଇଁ ଗଠିତ ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ମୁଖ୍ୟ କାର୍ୟ୍ୟାଳୟ କେଉଁଠି ହେବ ତାକୁ ନେଇ ବିବାଦ ଚାଲିଥିବା ବେଳେ ନବୀନ ଖେଳିଛନ୍ତି ତାଙ୍କର ମାଷ୍ଟର କାର୍ଡ । ଏଗାରଟି ଜାଗାରେ ବିକାଶ ପରିଷଦର କାର୍ୟ୍ୟାଳୟ ଖୋଲିବ ବୋଲି ଘୋଷଣା କରିବା ସହ ଅନୁଦାନ ରାଶିକୁ ଶହେ କୋଟିରୁ ସିଧାସଳଖ ଦୁଇ ଶହ କୋଟିକୁ ବୃଦ୍ଧି ଘୋଷଣା କରିଛନ୍ତି । ପୂର୍ବତନ ମୁଖ୍ୟ ସାଶନ ସଚିବଙ୍କୁ ପରିଷଦର ଦାୟିତ୍ୱ ଦେବା ସହ ନିଜର ଏକାନ୍ତ ବ୍ୟକ୍ତିଗତ ଫାଇବ ଟି ସଚିବଙ୍କ ହାତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିର ସହ ଅନ୍ୟାନ୍ୟ ଧାର୍ମିକ କ୍ଷେତ୍ରର ବିକାଶ ଭାର ନ୍ୟସ୍ତ କରିଛନ୍ତି ।
ସାଧାରଣ ନିର୍ବାଚନର ଦୁଇ ବର୍ଷ ପର୍ୟ୍ୟନ୍ତ ସେମିତି କିଛି ଆଖିଦୃଶିଆ କାର୍ୟ୍ୟ କରିପାରିନଥିବା ପଶ୍ଚିମ ଓଡିଶାର ବିଜେପି ନେତା ଏବେ ନବୀନଙ୍କ ଏହି ଆକ୍ରମଣାତ୍ମକ ମୁଦ୍ରାକୁ କେମିତି ପ୍ରତିହତ କରିବେ ବାଟ ପାଉନାହାନ୍ତି । ନବୀନ କେବଳ ଏକା ନୁହନ୍ତି ବରଂ ନିଜ ଦଳର ଅଧିକାଂଶ ନେତାଙ୍କୁ ନେଇ ବ୍ଲକ ସ୍ତରରୁ ନିଜର ଅଭିଯାନ ଆରମ୍ଭ କରିଦେଇଛନ୍ତି । ନିଜେ ଯେଉଁ ଜିଲ୍ଲାକୁ ଯାଉଛନ୍ତି ସାଙ୍ଗରେ ଦଳବଳ ଧରି ସମଗ୍ର ଜିଲ୍ଲାକୁ କବଜା କରିବାକୁ ଚେଷ୍ଟା କରୁଛନ୍ତି ଓ ଜନସାଧାରଣଙ୍କୁ ଯେଉଁ ଉପହାର ଦେଉଛନ୍ତି ତାର ବାର୍ତ୍ତା କେମିତି ପ୍ରତ୍ୟେକ ଲୋକ ପାଖରେ ପହଞ୍ଚିବ ତାର ବ୍ୟବସ୍ଥା ମଧ୍ୟ କରୁଛନ୍ତି । ତେଣୁ ବିଜେପି ଯଦି ଏବେ ଠାରୁ କିଛି ଠୋସ ପଦକ୍ଷେପ ନ’ନିଏ ଆଗକୁ ପୁଣି ପଶ୍ଚିମ ଓଡିଶାରେ ନବୀନ ବାନା ଉଡିବା ପାଇଁ କଷ୍ଟକର ବ୍ୟାପାର ହେବନାହିଁ ବୋଲି ଚର୍ଚ୍ଚା ହେଉଛି ।