THE BYAPINI

ମୁଁ ‘ମୋ ସାଇକେଲ’ କହୁଛି…

Get real time updates directly on you device, subscribe now.

ମୁଁ ‘ମୋ ସାଇକେଲ’ କହୁଛି… ମୋ ପିଠିରେ ବସି ସୁବିଧା ପାଇଥିବା ଓ ମତେ ଧରି ରାଜଧାନୀ ବୁଲିଥିବା ଲୋକଙ୍କ ସହ ରାଜ୍ୟବାସୀ ଟିକେ ଦୟାକରି ଧ୍ୟାନଦେବେ । ମୁଁ ଆଜି ଅଭିମାନ କରିଛି, ନିଜ କ୍ଷୋଭକୁ ବଖାଣୁଛି । ଗତ ଦୁଇଦିନ ତଳେ ସାରା ରାଜ୍ୟ ବିଜୁବାବୁଙ୍କ ଗୁଣଗାନ କରୁଥିଲା । ବିଜୁ ଜୟନ୍ତୀ ପାଇଁ ସବୁଠି ଉତ୍ସବ ମୁଖର ଥିଲା ଆଉ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କଟକରୁ ଭୁବନେଶ୍ୱର ଏକ ବିଶାଳ ସାଇକେଲ ରାଲି କରାଗଲା । କଥା କଣ କି ୧୯୩୨ ମସିହାରେ ବିଜୁ ପଟ୍ଟନାୟକ ରେଭେନ୍ସା କଲେଜ ଠାରୁ ପାକିସ୍ତାନର ପେଶାୱାର ପର୍ୟ୍ୟନ୍ତ ଦୀର୍ଘ ୪୫୦୦ ମାଇଲର ସାଇକେଲ ଯାତ୍ରା କରିଥିଲେ । ବିଜୁଙ୍କ ସେହି ଜୋସ୍ ଏବେ ଯୁବଶକ୍ତିକୁ ପ୍ରେରଣା ଦେଇଛି ତେଣୁ ସେହି ସ୍ମତିକୁ ମନେପକାଇ ପ୍ରାୟ ୫ ହଜାରରୁ ଅଧିକ ଯୁୁବ ଛାତ୍ର ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଖାଲି ସେମାନେ ନୁହେଁ ମ ବଡ ବଡ ନେତା ମନ୍ତ୍ରୀ, ସେଲିବ୍ରିଟି ବି ସାଇକେଲ ଧରି ସିଲଭରସିଟିରୁ ସ୍ମାର୍ଟସିଟିକୁ ସାଇକେଲ ଗଡାଇଥିଲେ । ହେଲେ ବଡ ବିଡମ୍ବନାର ବିଷୟ କଣ ଜାଣିଛନ୍ତି ? ମୋରି ଆଗରେ, ମୋରି ସାମ୍ନାରେ ହଜାର ହଜାର ସାଇକେଲ ସାଇଁସାଇଁ କରି ମାଡି ଯାଉଥିଲେ ବି କେହି ମୋ ମୁହଁକୁ ଚାହିଁ ନଥିଲେ । ସତେ ଯେମିତି ମୁଁ ଅଲୋଡା ହୋଇଯାଇଛି, ଅଛୁଆଁ ହୋଇଯାଇଛି, ଅଭିଶପ୍ତ ପାଲଟିଛି…

କଟକ ଆନନ୍ଦଭବନରୁ ଆରମ୍ଭ ହୋଇ ଏ ବିଶାଳ ସାଇକେଲ ଶୋଭାଯାତ୍ରା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ଏନଏଚ ୧୬ ଦେଇ ଗୋପାଳପୁର, ଫୁଲନଖରା, ପାହାଳ, ପଳାଶୁଣୀ, ରସୁଲଗଡ, ବାଣୀବିହାର, ରାମମନ୍ଦିର, ଏଜି ଛକ, ଫରେଷ୍ଟ ପାର୍କ ଛକ ହୋଇ ଯେତେବେଳେ ରାଲି ବିମାନବନ୍ଦର ମୁହାଁ ହେଉଥିଲା ବିଭିନ୍ନ ଛକରେ ସାଧାରଣ ଲୋକ, ସାମାଜିକ ସଙ୍ଗଠନ ଓ ବିଜେଡି ପକ୍ଷରୁ ପୁଷ୍ପବୃଷ୍ଟି ହେଉଥିଲା । ହେଲେ କେହି ବି ମୋ ଆଡେ ନଜର ବି ଦେଉନଥିଲେ । ମିଡିଆର ବୁମ ଆଗରେ ନେତା, ମନ୍ତ୍ରୀ ସାଇକେଲ ଯାତ୍ରାର ସୁଫଳତା ଆଉ ଉଦେଶ୍ୟ କହୁଥିବା ବେଳେ କେହି ବି ମୋ କଥା କହୁନଥିଲେ କି ମୋ ସାଇକେଲ ବାବଦରେ ରାମ ବିଷ୍ଣୁ ବି ବଖାଣୁନଥିଲେ…

ଏଇ କାଲି ପରି ଲାଗୁଛି ୩ ବର୍ଷ ତଳେ ଅର୍ଥାତ ୨୦୧୮ରେ ଯେତେବେଳେ ମୋ ସାଇକେଲର ଶୁଭାରମ୍ଭ ହେଲା ସେତେବେଳେ ମୋ କ୍ରେଜ ଅଲଗା ପ୍ରକାର ଥିଲା । ସମସ୍ତଙ୍କ ମୋବାଇଲରେ ମୋ ଆପ ଥିଲା । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାସ୍ତାଘାଟ କାମ ସହ ମୋ ଚଲାବୁଲା ପାଇଁ ସ୍ୱତନ୍ତ୍ର ଟ୍ରାକ କରାଗଲା । ତାକୁ ନାଲି ରଙ୍ଗମାରି ମୋ ନାଁରେ ଉତ୍ସର୍ଗୀକୃତ କଲେ ସରକାର । ଶୁଭରମ୍ଭ ପରେ ମୋ ଚାହିଲା ମାର୍କେଟରେ ରହିଲା । ମିଡିଆ ବାଲା ମୋ ଉପରେ ବସି ପିଟିସି ଦେଲେ, ମୁଁ ଦିନ ତମାମର ବୁଲେଟିନ ସହ ପ୍ରାଇମଟାଇମର ହେଡଲାଇନରୁ ବି ହଟିଲିନି । ଖବର କାଗଜ ମୋ ପାଇଁ ସ୍ୱତନ୍ତ୍ର ପୃଷ୍ଠା କଲା । ମୋ ବ୍ୟବହାର, ମୋ ବିଶେଷତ୍ୱ ସୋସିଆଲ ମିଡିଆରେ ଖାଲି ଘୁରି ବୁଲିଲା । ଯିଏ ଚଲେଇଲା ମୋ ସହ ସେଲଫି ନେଲା… ଓଃ କି ଖୁସି, ମୁଁ ଟାୟାର, ପମ୍ପ, ରିମ୍‌, ବ୍ରେକ, ବେଲର ସାଇକେଲ ନୁହେଁ ବରଂ ଉଡାଜାହାଜ ପରି ଅଲଗା ପ୍ରକାର ଫିଲ କରୁଥିଲି ।

ହେଲେ ୩ ବର୍ଷ ପରେ ବଦଳିଗଲା ଚେହେରା । ବାହାଘର ପରେ ବେଦୀ ମୁହଁ ପୋଡା ପରି ମୋ ମୁହଁକୁ ବି ଚାହିଁଲେନି କେହି । ୬ କୋଟି ଟଙ୍କା ବ୍ୟୟରେ ସରକାର ଯେଉଁ ୩ଟି କମ୍ପାନୀ ପାଖରୁ ମତେ କିଣିଥିଲେ ତାହା ଖତ ଖାଇଗଲା । ଖରା, ବର୍ଷା ଖାଇ ମୋ ହାଲ ବେହାଲ ହୋଇଗଲା । ମୁଁ ଆଉ ମୁଁ ହୋଇ ରହିଲିନି ମୁଁ ପାଲଟିଗଲି ଗୋଟେ ଅଲୋଡା ଅଳିଆ । ରକ୍ଷଣା ବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନରେ ମୁଁ ବିପର୍ୟ୍ୟସ୍ତ ଅବସ୍ଥାରେ ପଡିରହିଲି । କେଉଁଠି ମୋ ଉପରେ ମୋଟା ଧୂଳି ପଡିରହିଲା ତ କେଉଁଠି ମୋତେ ଭାଙ୍ଗିଦିଆଗଲା । ମୋ ସିଟ କଣା କରିଦେଲେ ଦୁର୍ବୃତ୍ତ, ମୋ ସ୍ୱର (ବେଲ) ଚାପିଦେଲେ, ମୋ ଶିରା (ତାର) ଛିଡେଇଦେଲେ । ବର୍ଷା ପାଣି ପଶି ମୋ ଲକ ସ୍କାନର ବି କାମକରୁନି । ସିସିଟିଭି ନଥିବାରୁ ମୋ ବିଶ୍ରାମ ସ୍ଥଳୀରୁ ଲୋକେ ସାଇକେଲ ନେଇ ନାଳରେ ଫିଙ୍ଗିଦେଲେ, ଜାଣି ଜାଣି ଭାଙ୍ଗିଦେଲେ, ଚୋରି କରିନେଲେ । ସବୁ ଜାଣି ମୁଁ ଚୁପ ରହିଲି କାରଣ ଯେଉଁ ସରକାର ମୋ ଶୁଭାରମ୍ଭ କରିଥିଲେ ସେ ହିଁ ମୋତେ ଭୁଲିଗଲେ ।

ମୋ ପାଇଁ ଯେଉଁ ଟ୍ରାକ ହୋଇଥିଲା ତାହା ଏବେ ପାର୍କିଂ ସ୍ଥଳ ପାଲଟିଛି । ବୁଲାବିକାଳି ବସି ସେଠି ବିକୁଛନ୍ତି । ଯଦିଓ କ୍ରୁଟ ତା କାମ ଠିକ କରିପାରିଲାନି ବୋଲି ପରେ ବିଏମସି ମୋ ଦାୟିତ୍ୱ ତା କାନ୍ଧକୁ ନେଲା ହେଲେ ଯଥା ପୂର୍ବଂ ତଥା ପରଂ । ଖୁବଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ବିଏମସି କହିଥିବା ବେଳେ ଇତି ମଧ୍ୟରେ କଥା ଦେବାକୁ ମାସେ ବିତିଗଲାଣି । ହେଲେ କିଛି ବଦଳିନି । ମିଡିଆ ଆଗରେ କହିଦେବା ସହଜ, କାମରେ କରିବା କଷ୍ଟ । ଯଦି ପ୍ରଶାସନର ଦରଦ ଥାଆନ୍ତା ତେବେ ମତେ ଠିକ କରି, ମତେ ସଜାଡି ବିଜୁ ବାବୁଙ୍କ ଜୟନ୍ତୀରେ ମୋ ଉପରେ ବସି ଶୋଭାଯାତ୍ରା ହୋଇଥାନ୍ତା… ହେଲେ ମୋ ସ୍ୱପ୍ନ ସ୍ୱପ୍ନରେ ରହିଗଲା… ଦେଖିବା କେବେ ମୋ ଉପରେ ବିଏମସିର ନଜର ପଡୁଛି… ରହିଲି ଆଜ୍ଞା, ମନରେ ଅନେକ କ୍ଷୋଭ ଥିଲା କହୁକହୁ କହିଦେଲି…


ଇତି
ମୋ ସାଇକେଲ

Get real time updates directly on you device, subscribe now.

Leave A Reply

Your email address will not be published.