ଅନୁଭବ ଆଉଟ୍, ଅରିନ୍ଦମ ଇନ୍!
ଅନୁଭବ ଆଉଟ, ଅରିନ୍ଦମ ଇନ୍! ଆପଣଙ୍କୁ କଥାଟା ଟିକିଏ ଅଡୁଆ ଲାଗୁଥିବ ନିଶ୍ଚୟ । କିନ୍ତୁ ଏବେ ସେହିଭଳି ଏକ ସ୍ଥିତି ବିଜେଡି ଶିବିରରେ ଉତ୍ପନ୍ନ ହୋଇଛି । ଆଉ ଦଳର ବଭିନ୍ନ କାର୍ଯ୍ୟକ୍ରମକୁ ତର୍ଜମା କଲେ ସେହିଭଳି କିଛି ଅନୁଭୂତ ହେଉଛି । ଗତ କିଛି ଦିନ ହେବ କେନ୍ଦ୍ରାପଡା ସାଂସଦଙ୍କ ଉପରେ ଶନିଙ୍କର କୋପ ପଡିଛି ବୋଧହୁଏ । ଖାସକରି ଲକଡାଉନ ସମୟରୁ । ଲାଗୁଛି ସାଂସଦଙ୍କ ରାଜନୀତି କ୍ୟାରିୟର ମଧ୍ୟ ଏବେ ଲକଡାଉନ ଆଡକୁ ଗତି କରୁଛି । ଆଉ ଏଭଳି ସ୍ଥିତିରେ ସିନେ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରୟଙ୍କୁ ଏହା ବେଶ ସୁହାଇଛି । ଅନୁଭବଙ୍କ ବିକଳ୍ପ ଭାବେ ଏବେ ଅରିନ୍ଦିମ ବିଜେଡିର ସେଲିବ୍ରେଟି ଚେହେରା ପାଲଟିଛନ୍ତି । ପୂର୍ବରୁ ଅନୁଭବଙ୍କୁ ଯେଉଁଥିପାଇଁ ଖୋଜା ପଡୁଥିଲା ଏବେ ସେହି ସ୍ଥାନରେ ଅରିନ୍ଦମଙ୍କ ଆର୍ବିଭାବ ହେଉଥିବାର ଦେଖିବାକୁ ମିଳୁଛି । ତେବେ ବିଜେଡି ଅନୁଭବଙ୍କୁ ଆଡେଇ ଦେଇ ଅରିନ୍ଦମଙ୍କୁ ଆଦରି ନେବା ପଛରେ ମଧ୍ୟ ବଡ କାରଣ ଲୁଚି ରହିଛି ।
ଅନୁଭବ ମହାନ୍ତି । କେନ୍ଦ୍ରାପଡା ସାଂସଦ ତଥା ବିଜେଡି ନେତା । ଲୋକପ୍ରିୟ ସିନେ ଅଭିନେତା ଭାବେ ୨୦୧୩ ମସିହାରେ ସବୁଜ ଶିବିରରେ ଏଣ୍ଟ୍ରି ମାରିଥିଲେ ଅନୁଭବ । ଅନୁଭବଙ୍କୁ ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରେଜ ଥିବାରୁ ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡିରେ ତାଙ୍କୁ ସାମିଲ କରାଯାଇଥିଲା । ଆଉ ନିର୍ବାଚନରେ ବିଜେଡି ପାଇଁ ଷ୍ଟାର ପ୍ରଚାରକ ସାଜି ମୈଦାନକୁ ଓହ୍ଲାଇଥିବାରୁ ୨୦୧୪ରେ ପୁରସ୍କାର ସ୍ୱରୂପ ରାଜ୍ୟସଭା ଟିକେଟ ହାତେଇଥିଲେ ଅନୁଭବ । ଏହାଛଡା ଦଳର ବିଭିନ୍ନ କାର୍ଯ୍ୟକ୍ରମରେ କ୍ରାଉଡ ପୁଲର ଭାବେ ଅନୁଭବଙ୍କୁ ପଡୁଥିଲା ଖୋଜା । ଯାହା ବିଜେଡି ରାଜନୀତିରେ ଅନଭୁବଙ୍କୁ ବଡ ଚେହେରା ଭାବେ ସାମ୍ନାକୁ ଆଣିଥିଲା ।
ତେବେ ୨୦୧୯ର ନିର୍ବାଚନରେ କେନ୍ଦ୍ରାପଡା ଭଳି ହାଇଭୋଲଟେଜ ଆସନରୁ ଲଢି ସବୁଠୁ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ ଅନୁଭବ । ଯାହା ବିଜେଡି ରାଜନୀତିରେ ଅନୁଭବଙ୍କ ଗୁରୁତ୍ୱକୁ ବେଶ ବଢାଇ ଦେଇଥିଲା । କାରଣ ବିପକ୍ଷରେ ଥିଲେ ଦଳ ଛାଡି ବିଜେପି ଟିକେଟରେ ଲଢୁଥିବା ବୈଜୟନ୍ତ ପଣ୍ଡା । ତେବେ ପ୍ରତ୍ୟକ୍ଷ ରାଜନୀତିରେ ନୂଆ ହୋଇଥିଲେ ମଧ୍ୟ କେନ୍ଦ୍ରାପଡା ଭଳି ଆସନରୁ ଲଢିବାକୁ ରାଜି ହୋଇ ଦଳରେ ଗେହ୍ଲାପୁଅ ସାଜିଥିଲେ ଅନୁଭବ । ଏପରିକି ଅନୁଭବଙ୍କୁ ସାଙ୍ଗରେ ଧରି ନିର୍ବାଚନ ପ୍ରଚାର କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ କେନ୍ଦ୍ରାପଡା ଆସନରେ ଅନୁଭବ ବିଜୟର ସବୁଜ ବାନା ଉଡାଇବା ସହ ଦଳରେ ହେଭିୱେଟ ନେତାର ଟ୍ୟାଗ୍ ହାତେଇଥିଲେ । ବୈଜୟନ୍ତଙ୍କ ଭଳି ନେତାଙ୍କୁ ହରାଇ ଥିବାରୁ ଅନୁଭବଙ୍କୁ ନେଇ ବିଜେଡି ଶିବିର ମଧ୍ୟ ବେଶ ଉତ୍ସାହିତ ଥିଲା ।
କିନ୍ତୁ ମହାମାରୀ ସମୟରେ ପତ୍ନୀ ବର୍ଷାଙ୍କ ସହ ଛାଡପତ୍ର ମାମଲା ସାମ୍ନାକୁ ଆସିବା ପରେ ଅନୁଭବଙ୍କ ରାଜନୈତିକ କ୍ୟାରିୟରକୁ ସତେ ଯେପରି ଶନିଦଶା ଗ୍ରାସ କରିଥିଲା । ସାଂସଦଙ୍କୁ ସାଇଡଲାଇନ କରିବା ଆରମ୍ଭ କରିଥିଲା ଦଳ । କାରଣ ବିଜେଡି ରାଜନୀତିରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଉଥିବାରୁ ଅନୁଭବଙ୍କ ପାଇଁ ଅଡୁଆରେ ପଡିବାକୁ ବୋଧହୁଏ ଚାହୁଁନଥିଲା ଦଳ । ଯେଉଁଥିପାଇଁ କେବେ ଦଳ ପାଇଁ କ୍ରାଉଡପୁଲର ଥିବା ଅନୁଭବଙ୍କୁ କୋଣଠେସା କରି ଦିଆଗଲା । ଏପରିକି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଅନୁଭବଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇ ଦିଆଗଲା । ଏଭଳି ସ୍ଥିତିରେ କେନ୍ଦ୍ରାପଡା ସାଂସଦଙ୍କୁ ସାଥୀ କରି ସୁପ୍ରିମୋଙ୍କ କୋପଦୃଷ୍ଟିରେ ପଡିବାକୁ ଚାହୁଁନଥିଲେ ସ୍ଥାନୀୟ ନେତା । ସେଥିପାଇଁ ଅନୁଭବଙ୍କୁ ଦୂରଛଡା ଦେବା ଆରମ୍ଭ କରିଛନ୍ତି ଦଳୀୟ ନେତା । ଯାହାର ଝଲକ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଜିଲ୍ଲା ବାହାରର ନେତାଙ୍କୁ ଆଣି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯାଉଥିବା ବେଳେ ସାଂସଦ ଭାବେ ଅନୁଭବଙ୍କୁ ଖୋଜିନଥିଲେ ସ୍ଥାନୀୟ ବିଧାୟକ । ଏପରିକି ଗତ କିଛି ଦିନ ପୂର୍ବେ କେନ୍ଦ୍ରାପଡା ପାଇଁ ଷ୍ଟିଲ ପ୍ଲାଣ୍ଟର ଘୋଷଣା କରାଯାଇଥିବା ବେଳେ ଅନୁଭବଙ୍କୁ କିନ୍ତୁ ଏଥିରେ ସାଇଡଲାଇନ କରାଯାଇଥିଲା । ଆଉ ଦଳ ପକ୍ଷରୁ ଏଭଳି ଗୋଟିଏ ପରେ ଗୋଟିଏ ସଂକେତ ଦିଆଯାଉଥିବା ବେଳେ ଅନୁଭବଙ୍କ ରାଜନୈତିକ କ୍ୟାରିୟରର ଦ ଏଣ୍ଡ ହେବାକୁ ଯାଉଛି ବୋଲି ବିଜେଡି ଶିବିରରେ ଚର୍ଚ୍ଚା ଆରମ୍ଭ ହେଲାଣି ।
ଗୋଟିଏ ପଟେ କେନ୍ଦ୍ରାପଡା ସାଂସଦଙ୍କୁ କୋଣଠେସା କରାଯାଉଥିବା ବେଳେ ଏହା କିନ୍ତୁ ଓଲିଉଡର ସୁପରଷ୍ଟାର ଅରିନ୍ଦମଙ୍କ ରାଜନୈତିକ କ୍ୟାରିୟରକୁ ବେଶ ସୁହାଇଛି । ସିନେ ସେଲିବ୍ରେଟି ଭାବେ ଏବେ ଅରିନ୍ଦମ ଏବେ ବିଜେଡିର ପ୍ରଥମ ପସନ୍ଦ ପାଲଟିଛନ୍ତି । କାରଣ ଦଳରେ ସେଭଳି ବଡ ସେଲିବ୍ରେଟି ଚେହେରା ଆଉ କେହି ନାହାନ୍ତି । ୨୦୧୯ ନିର୍ବାଚନରେ ଟିକେଟ ନ ମିଳିବା ପରେ ସିଦ୍ଧାନ୍ତ ମହାପାତ୍ର ଦଳୀୟ ରାଜନୀତିରୁ ନିଜକୁ ଦୂରେଇ ରଖିବା ସହ ପୁଣିଥରେ ସେହି ସିନେମା ଦୁନିଆକୁ ଫେରିଗଲେଣି । ଆଉ ଏଭଳି ସ୍ଥିତିରେ ଅରିନ୍ଦମଙ୍କୁ ଗୁୁରୁତ୍ୱ ଦେବା ଆରମ୍ଭ କରିଛି ବିଜେଡି । କ୍ରିକେଟ ଠାରୁ ଆରମ୍ଭ କରି ବଡ ବଡ ଦଳୀୟ କାର୍ଯ୍ୟକ୍ରମରେ ଏବେ ଅରିନ୍ଦମଙ୍କ ଉପସ୍ଥିତି ଭିନ୍ନ ସଂକେତ ଦେଉଛି । ଏହାଛଡା ବିଜେଡିର ପ୍ରଭାବଶାଳୀ ନେତାଙ୍କ ସର୍ମ୍ପକୀୟ ହୋଇଥିବାରୁ ବିଜେଡିରେ ଅରିନ୍ଦମଙ୍କ ଗୁରୁତ୍ୱ ଆହୁରି ଅଧିକ ବଢିଯାଇଛି । ତେଣୁ ଦଳ ଏବେ ଅନୁଭବଙ୍କୁ ଆଉଟ କରି ଅରିନ୍ଦମଙ୍କୁ ଇନ୍ କରିବାକୁ କ୍ଷେତ୍ର ପ୍ରସ୍ତୁତ କରୁଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।