ନୂଆପଡା- ନବୀନ ନେଉଛନ୍ତି ବଡ ଉପହାର
ନୂଆପଡାବାସୀଙ୍କୁ ଜାଗର ଭେଟି । କାଲି ନୂଆପଡାକୁ ନୂଆ ଉପହାର ଦେବେ ନବୀନ । ଆଉ ଉପହାର ପାଇବା ପରେ ନୂଆପଡାରେ ଯୋଡିହେବ ନୂଆ ଏକ ଫର୍ଦ୍ଦ । ଯାହା ଆଗାମୀ ଦିନରେ ଜିଲ୍ଲାକୁ ନୂଆ ଶିଖରରେ ପହଞ୍ଚାଇବ । ବୁଧବାର ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ ଥିବାବେଳେ କାଲି ନବୀନ କେଉଁ ବଡ ଘୋଷଣା କରୁଛନ୍ତି ତା ଉପରେ ନଜର ରଖିଛନ୍ତି ଜିଲ୍ଲାବାସୀ ।
ତେବେ ମିଳିଥିବା ସୂଚନା ମୁତାବକ କାଲି ମୁଖ୍ୟମନ୍ତ୍ରୀ ନୂଆପଡାକୁ ହାତଖୋଲି ଘୋଷଣା କରିପାରନ୍ତି । ପାଖାପାଖି ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ନୂଆପଡାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନରେ କାଲି ନବୀନ ବୋଳିବେ ବିକାଶର ରଙ୍ଗ ଆଉ ବହୁ ଦିନର ସ୍ୱପ୍ନକୁ ସାକାର କରିବେ । ନୂଆପଡାର ଜୀବନ ରେଖା ବା ଲାଇଫ ଲାଇନ କୁହାଯାଉଥିବା ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଯାହା ଦ୍ୱାର ଜିଲ୍ଲାର ପ୍ରତି ଜମିକୁ, ପ୍ରତି ଘରକୁ ସୁଦ୍ଧ ପାନୀୟ ଜଳ ଯୋଗାଣ ହେବ । ତେବେ ୨୦୦୦ କୋଟିର ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ୭ଟି ବ୍ଲକ ଚାଷୀ ନିଜ ଚାଷ କାମରେ ଉପକୃତ ହେବେ । ନୂଆପଡାର ୧୩ ହଜାର ୧୯୧ ହେକ୍ଟର ଚାଷ ଜମି ଏବଂ ବଲାଙ୍ଗୀରର ୧ ହଜାର ୬୭୦ ହେକ୍ଟର ଜମିକୁ ଏହି ପ୍ରକଳ୍ପ ଦ୍ୱାରା ଜଳସେଚନ ହୋଇପାରିବ ଯାହା ମୁଖ୍ୟମନ୍ତ୍ରୀ ବଡ ଉପହାର କହିଲେ ଅତ୍ୟୁକ୍ତି ହେବନି ବୋଲି ଦଳୀୟ ନେତା କହିଛନ୍ତି ।
ସେପଟେ ପ୍ରକଳ୍ପ ସହ ଅନେକ ବିକାଶମୂଳକ କାମର ଶିଳାନ୍ୟାସର ବି କାର୍ୟ୍ୟକ୍ରମ ରହିଛି । ତେବେ ପୂର୍ବରୁ ସୁନ୍ଦରଗଡ ଗସ୍ତ କରି ହକି ପାଇଁ ବିଶ୍ୱସ୍ତରୀୟ ଷ୍ଟାଡିୟମ ଘୋଷଣା କରିଥିଲେ । ସୁନ୍ଦରଗଡ ହକିର ହବ କରିବାକୁ ନବୀନ ଘୋଷଣା କରିଥିଲେ । ସମ୍ବଲପୁରରେ ବି ମା ସମଲେଶ୍ୱରୀଙ୍କ ପାଇଁ ବଡ ଘୋଷଣା କରି ବଜେଟରେ ବି ସ୍ଥାନ ଦେଇଥିଲେ । ସେହିପରି କଳାହାଣ୍ଡିକୁ ବି ଫୋକସରେ ରଖିଥିବା ମୁଖ୍ୟମନ୍ତ୍ରୀ କାଲି ନୂଆପଡା ଉପରେ ଅଧିକ ନଜର ରଖିଛନ୍ତି । ତେବେ ଏଥିରୁ ଗୋଟେ କଥା ସ୍ପଷ୍ଟ ହେଉଛି ଯେ ନବୀନ ଏବେ ପଶ୍ଚିମ ଓଡିଶା ଉପରେ ଅଧିକ ଫୋକସ ଦେଉଛନ୍ତି ।
ଯଦିଓ ବିଧାନସଭା ନିର୍ବାଚନରେ ନୂଆପଡା ବିଜେଡି ବ୍ୟାଗରୁ ଖସିଯାଇଥିଲା । ବିଜେଡି ନୁହେଁ ବସନ୍ତ ପଣ୍ଡା ବିଜେପିର ବାନା ଉଡାଇଥିଲେ ତେଣୁ ଏଥର ଯେମିତି ସେମିତି କିଛି ଭୁଲ ନହୁଏ । ସବୁଜ ଗଡରେ ବିଜେପି ନିଜର କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଜେପିର ଜାଲ କାଟି ବିକାଶର ମଞ୍ଚି ବୁଣି ନବୀନ ନିର୍ବାଚନୀ ନଈ ପାର ହେବାକୁ ଚେଷ୍ଟା କରୁଥିବା ଅନୁମାନ କରିହେଉଛି । ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ କାଲି ଅପେକ୍ଷାରତ ଇନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।