ହସ୍ପିଟାଲରୁ ମମତାଙ୍କ ମେସେଜ
ହସ୍ପିଟାଲରୁ ସନ୍ଦେଶ ଦେଲେ ମମତା । ଗୋଡରେ ଆଘାତ ଲାଗି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲ ବେଡରୁ ଏକ ଭିଡିଓ ବାର୍ତା ଜାରି କରିଛନ୍ତି । ସେ ଖୁବଶୀଘ୍ର ହସ୍ପିଟାଲରୁ ବାହାରିବେ ଏବଂ ହ୍ୱିଲ୍ଚେୟାରରେ ବସି ପ୍ରଚାର କରିବେ ବୋଲି କହିଛନ୍ତି ।
ଭିଡିଓ ମେସେଜ ଜାରି କରି ତୃଣମୂଳ କଂଗ୍ରେସ ନେତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ମମତା ବାନାର୍ଜୀ ।ମମତା ବାନାର୍ଜୀ ଭିଡିଓରେ କହିଛନ୍ତି, ଗତକାଲିର ଆକ୍ରମଣରେ ତାଙ୍କୁ ଗଭୀର ଆଘାତ ଲାଗିଛି,ତାଙ୍କ ମୁଣ୍ଡ ଓ ଗୋଡରେ ବହୁତ ଯନ୍ତ୍ରଣା ହେଉଛି। କାଲି ମୁଁ ମୋ ଗାଡିର ବନେଟରେ ଛିଡା ହୋଇ ଜନତାଙ୍କୁ ଅଭିବାଦନ କରୁଥିଲି, ସେତେବେଳେ ପଛପଟୁ ଧକ୍କା ଦିଆଯାଇଥିଲା। ଫଳରେ ମୁଁ ପଡି ଯାଇଥିଲି ଓ ଆହତ ହୋଇଛି। ମୋ ମୁଣ୍ଡ ଓ ଛାତିରେ ଯନ୍ତ୍ରଣା ମଧ୍ୟ ହେଉଛି। ଧକ୍କା ବେଳେ ଗାଡି ଚକ ମୋ ଗୋଡ ଉପରେ ଚଢି ଯାଇଥିଲା। ସେତେବେଳେ ମୋ ପାଖରେ ଯାହା ଜରୁରୀ ଔଷଧ ଥିଲା ତାକୁ ଖାଇ ମୁଁ କୋଲକାତା ବାହାରି ଯାଇଥିଲି। କୋଲକାତାରେ ପହଞ୍ଚିବା ପରେ ମୋର ଚିକିତ୍ସା ହୋଇଥିଲା।”ଦୁଇ-ତିନି ଦିନ ମଧ୍ୟରେ ସେ ପ୍ରଚାର ମୈଇଦାନକୁ ଫେରିବେ ବୋଲି ମମତା ଭିଡିଓରେ କହିଛନ୍ତି।
୧ ମିନିଟ ୧୯ ସେକେଣ୍ଡର ଏହି ଭିଡିଓରେ ମମତା କହିଛନ୍ତି, ‘ମୁଁ ମୋର ଟିଏମସି ଭାଇ-ଭଉଣୀଙ୍କୁ ଶାନ୍ତି ଓ ଧାର୍ୟ୍ୟ ରଖିବାକୁ ଅପିଲ କରୁଛି। ଜନତାକୁ କଷ୍ଟ ହେଲାଭଳି କୌଣସି କାମ କରନ୍ତୁନି କି ଆଇନ ଉଲଙ୍ଘନ ନ କରନ୍ତୁ।’ ସେ କହିଛନ୍ତି ୪-୫ ଲୋକ ଆସି ତାଙ୍କୁ ଧକ୍କା ଦେବାରୁ ତାଙ୍କ ଗୋଡ଼ ଓ ବେକରେ ଆଘାତ ଲାଗିଛି। ଏହାକୁ ସେ ଓ ତାଙ୍କ ଦଳ ଷଡ଼ଯନ୍ତ୍ର ବୋଲି କହିଛି। କେହି ଟିଏମସିର ସ୍ୱରକୁ ଚପାଇ ପାରିବେ ନାହିଁ ବୋଲି ଟ୍ୱିଟ୍ କରି ଟିଏମସି କହିଛି।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏସଏସକେଏମ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କୁ ଏକ ୬ ଜଣିଆ ଡାକ୍ତର ଦଳ ଦେଖାଶୁଣା କରୁଛନ୍ତି । ଏହାସହିତ ବର୍ତ୍ତମାନ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ବୁଲେଟିନରେ କୁହାଯାଇଛି ।