THE BYAPINI

ପ୍ରମିଳା ମ୍ୟାଡାମ… ପ୍ରସଙ୍ଗ କେବେ ପ୍ରହସନ ନୁହେଁ !

Get real time updates directly on you device, subscribe now.

ବିଧାନସଭାରେ ଧାନ କିଣା ପ୍ରସଙ୍ଗ ଉଠିବା, ବିରୋଧୀ ବିଧାୟକ ଶାସକ ଦଳକୁ ଘେରିବା କିଛି ନୁଆ କଥା ନଥିଲା । ହେଲେ ଶୁକ୍ରବାର ଗୃହ ଭିତରେ ଏଭଳି ଏକ ଘଟଣା ଘଟିଲା, ଯାହା ପ୍ରସଙ୍ଗର ସାଂଘାତିକ ରୁପକୁ ସାମ୍ନାକୁ ଆଣିଥିଲା । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ଶାସକ ଦଳର ସଭ୍ୟ ସାନିଟାଇଜର ଛଡାଇ ଆଣିଥିଲେ । ଗୃହ ଭିତରେ ହଠାତ୍ ଘଟିଯାଇଥିବା ଏହି ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଥିଲା । ହେଲେ ଏହା ପରେ ଆରମ୍ଭ ହୋଇଥିବା ବୟାନବାଜି ଆହୁରି ମାମଲାକୁ ରୋଚକ ମୋଡ ଦେଇଥିଲା ।

ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ବିଜେପି ବିଧାୟକ ପ୍ରହସନ କରୁଛନ୍ତି । ଏହି ଗୋଟିଏ ପଦ କଥା ହିଁ ପ୍ରମିଳା ମଲ୍ଲିକଙ୍କ ଚାଷୀ କୁଳ ପ୍ରତି ଧାରଣା କଣ ତାକୁ ପ୍ରମାଣିତ କରିଥିଲା । କାରଣ ଆଜି ବି ରାଜ୍ୟରେ ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି । ରାସ୍ତାରେ ଧାନ ଢାଳି ପ୍ରତିବାଦ କରୁଛନ୍ତି । ଟୋକନ ଥାଇ ଧାନ ବିକ୍ରି କରିପାରୁନାହାନ୍ତି ତ ଆଉ କେଉଁଠି ଧାନ ମଣ୍ଡିରେ ଧରି ବସିବା ସତ୍ତେ୍ୱ ଟୋକନ ମିଳୁନାହିଁ । ସରଳ ଶଦ୍ଦରେ କହିବାକୁ ଗଲେ ରାଜ୍ୟରେ ଧାନ କିଣା ପ୍ରସଙ୍ଗ ଏକ ବିଚିତ୍ର ସ୍ଥିତି ଦେଇ ଗତି କରୁଛି । ସରକାର କହୁଛନ୍ତି ଚାଷୀଙ୍କ ସବୁ ଧାନ କିଣିବୁ ହେଲେ ଚାଷୀ ଏହା ଉପରେ ବିଶ୍ୱାସ କରିବାକୁ ନାରାଜ । ଏତେ ସମସ୍ୟା ଥିଲେ ବି ଜଣେ ଜନ ପ୍ରତିନିଧି ଯେତେବେଳେ ଏନେଇ ବିଧାନସଭାର ଗୃହ ଭିତରେ ପ୍ରସଙ୍ଗ ଉଠାଇ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ସେ ପ୍ରହସନ ବୋଲି କହିବା ସଠିକ ମନେ ହେଉନାହିଁ ।

ଦେବଗଡର ବିଜେପି ବିଧାୟକ ଯେଉଁ ମାଧ୍ୟମ ଆପଣାଇ ପ୍ରସଙ୍ଗ ଉଠାଇଥିଲେ ତାହା ହୁଏତ ଭୁଲ ହୋଇଥାଇପାରେ ହେଲେ ରାଜ୍ୟରେ ଧାନ କିଣାରେ ଅନିୟମିତତା ଦେଖିବାକୁ ମିଳୁଛି ଏହା ହିଁ ବାସ୍ତବତା । ବିଧାନସଭାର ପବିତ୍ର ଗୃହ ଭିତରେ ଏନେଇ ଆଲୋଚନା ବାରମ୍ବାର କରାଯାଉଛି ହେଲେ କୈାଣସି ସୁଫଳ ମିଳିପାରୁ ନାହିଁ । ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଅନେକ ସ୍ଥାନରେ ଚାଷ ନକରି ଅନେକ ବ୍ୟକ୍ତି ଧାନ ବିକ୍ରି କରୁଥିବା ଅଭିଯୋଗ ବିଜେପି ବାରମ୍ବାର କରିଆସିଛି । ସରକାର ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ବଦଳରେ ତାକୁ ଦୁର କରିବା ଦରକାର । ଦିଲ୍ଲୀରେ ଯେତେବେଳେ ଚାଷୀ ଆନ୍ଦୋଳନ ତୀବ୍ର ରୁପ ଧାରଣ କରିଥିଲା ସେତେବେଳେ ଶାସକ ଦଳ ରାଜ୍ୟରେ କହୁଥିଲା, ସେମାନେ ଚାଷୀଙ୍କ ସହ ଅଛନ୍ତି । ହେଲେ ଆଜିର ଦିନରେ ଧାନ କିଣାକୁ ନେଇ ଯେଉଁ ସମସ୍ୟା ଦେଖିବାକୁ ମିଳୁଛି ତାହା ହୁଏତ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳରେ ପରିଣତ ହୋଇପାରେ, ଯାହା ଶାସକ ଦଳକୁ ଅଡୁଆରେ ପକାଇପାରେ । ଆଉ ଏଭଳି ସମୟରେ ପୁର୍ବତନ ମନ୍ତ୍ରୀ ତଥା ଶାସକ ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ରଖୁଥିବା ବୟାନ ହୁଏତ ନିଆଁରେ ଘିଅ ଢାଳିବା ସଦୃଶ ହୋଇପାରେ ।

Get real time updates directly on you device, subscribe now.

Leave A Reply

Your email address will not be published.