ଆସିଲା ଅନଲକ୍ ୬.୦ ଗାଇଡଲାଇନ୍: ନଭେମ୍ବରରେ କୋହଳ ମନା, କଣ୍ଟେନମେଣ୍ଟ ଜୋନରେ ବଳବତ୍ତର ରହିବ ଲକଡାଉନ।
ଅନଲକ ୬.୦ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ହେଲେ ନଭେମ୍ବର ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବଳବତ୍ତର ରହିବ । ନୂଆ ନିୟମ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ କଡା ନିୟମ ପାଳନ କରାଯିବ । ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡିଦେଲେ ଅନ୍ୟ ସବୁରେ କଟକଣା ଲାଗୁ କରାଯିବ । କଣ୍ଟେନମେଣ୍ଟ ଜୋନ ଗୁଡିକ ଜିଲ୍ଲା ଓ ରାଜ୍ୟ ୱେବସାଇଟ ଦ୍ୱାରା ସୂଚିତ କରାଯିବ । ରାଜ୍ୟ ଭିତରେ ଓ ଅନ୍ୟ ରାଜ୍ୟକୁ ଗମନାଗମନରେ କଟକଣା ନାହିଁ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଗତ ସେପ୍ଟେମ୍ବର ୧୬ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଅନଲକ୍ ୫.୦ ଗାଇଡଲାଇନ ଅନୁସାରେ ଅକ୍ଟୋବର ୧୫ରୁ ସାରା ଦେଶରେ ସିନେମା ହଲ ଖୋଲିବାକୁ ଅନୁମତି ଦିଆଯାଇଥିଲା । ତେବେ କଣ୍ଟେନମେଣ୍ଟ ମଧ୍ୟରେ ଆସୁଥିବା ସିନେମା ହଲ ଗୁଡ଼ିକ ବନ୍ଦ ରଖିବାକୁ କୁହାଯାଇଥିଲା । ଅନ୍ୟପକ୍ଷରେ ବାଣିଜ୍ୟିକ ପ୍ରଦର୍ଶନୀଗୁଡ଼ିକର ଆୟୋଜନକୁ ମଧ୍ୟ ଅନୁମତି ଦିଆଯାଇଥିଲା । ସେହିପରି କ୍ରୀଡ଼ାବିତଙ୍କ ଅଭ୍ୟାସ ପାଇଁ ଉଦ୍ଦିଷ୍ଟ ସ୍ୱିମିଂ ପୁଲ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଥିଲା । ମନୋରଂଜନ ପାର୍କ ଓ ସମାନ ଧରଣର ପାର୍କ ଗୁଡ଼ିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡ଼ାଯାଇଥିଲା ।
କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୪ ତାରିଖରେ ଦେଶରେ ଲକଡାଉନ ଘୋଷଣା କରିଥିଲେ । ପ୍ରାୟ ୩ ମାସ ଧରି କଡା ଲକଡାଉନ ଜାରି ରହିଥିଲା । ପରେ ଏବେ ଅନଲକ ଆରମ୍ଭ ହୋଇଛି । ସରକାର ସ୍ଥିତି ସୁଧାରିବାକୁ ଧିରେ ଧିରେ ସବୁ ଖୋଲିବାକୁ ଅନଲକ ଆରମ୍ଭ କରିଛନ୍ତି ।