ବିଜେଡି ସୁପ୍ରିମୋଙ୍କ ଡିଜିଟାଲ ପ୍ରଚାର: କହିଲେ, ବିଜେପୁର ଭଳି ବାଲେଶ୍ୱରର ବିକାଶ ଦାୟିତ୍ୱ ତାଙ୍କର ।
ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡିଜିଟାଲ ପ୍ରଚାର କରିଛନ୍ତି । ବିଜେପୁର ଭଳି ବାଲେଶ୍ୱର ବିକାଶ ଦାୟିତ୍ୱ ସେ ନେବେ ବୋଲି କହିଛନ୍ତି । ଏହା ସହ ଲୋକଙ୍କ ସହ ସବୁବେଳେ ଅଛନ୍ତି ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
ବାଲେଶ୍ୱର ବାସୀଙ୍କୁ ସମ୍ବୋଧନ କରି ସେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଭୋଟ ଦେବାକୁ କହିଥିଲେ । ବିଜେଡି ସୁପ୍ରିମୋ ଆହୁରି ମଧ୍ୟ କହିଥିଲେ, ସେ ଜାଣିଛନ୍ତି ଲୋକଙ୍କ ଭଲପାଇବା ତାଙ୍କ ସହ ଅଛି । ସେ ବାଲେଶ୍ୱର ଯାଇଥିଲେ ବହୁ ସଂଖ୍ୟକ ଲୋକ ଆସିଥାନ୍ତେ । ତେଣୁ ସେ ଚାହାଁନ୍ତି ନାହିଁ କାହା ଜୀବନ ବିପଦର ପଡୁ । କରୋନା ଗଲେ ସେ ବାଲେଶ୍ୱର ନିଶ୍ଚୟ ଯିବେ ବୋଲି କହିଛନ୍ତି । ଏହି ଅବସରରେ ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ଦିନଟି ସ୍ମରଣୀୟ। କାରଣ ଠିକ୍ ୨୧ ବର୍ଷ ତଳେ ଆଜିର ଦିନରେ ମହାବାତ୍ୟା ଆସିଥିଲା। ଉପକୂଳ ଓଡ଼ିଶା ଛାରଖାର ହୋଇଯାଇଥିଲା। ହେଲେ ଏବେ ବାତ୍ୟା ମୁକାବିଲାରେ ଓଡ଼ିଶା ମଡେଲ ପାଳଟିଛି । ଲୋକଙ୍କ ଜୀବନ ବଂଚାଇବା ଆମର ମୁଖ୍ୟ ଲକ୍ଷ୍ୟ। କେବଳ ସେତିକି ନୁହେଁ, ଓଡ଼ିଶାର କୋଭିଡ ପରିଚାଳନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ପ୍ରଶଂସା କରିଛି।
ନିଜ ସରକାରର ସଫଳତା ବର୍ଣ୍ଣନା କରି ବିଜେଡି ସୁପ୍ରିମୋ କହିଥିଲେ, ବସ୍ତି ବିକାଶ କାମ, ବିଜୁଳି ଯୋଗାଣ ଓ ପିଇବା ପାଣି ସୁବିଧା କରାଯାଉଛି । ପ୍ରତି ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯାଉଛି। ଗରିବ ଲୋକଙ୍କୁ ଭୂମି ଅଧିକାର ଦିଆଯାଉଛି। ଗାଁର ଗରିବ ଲୋକଙ୍କୁ ଜମି, ଘର ଦିଆଯାଉଛି। ଜମିକୁ ପାଣି, ଗାଁକୁ ରାସ୍ତା, ବିଜୁଳି ଯୋଗାଇ ଦିଆଯାଉଛି। ଏଥିସହ ବାଲେଶ୍ୱର ଆସିଲେ ଫକୀର ମୋହନ ସେନାପତିଙ୍କ କଥା ମନେପଡେ ବୋଲି ନବୀନ କହିଛନ୍ତି। ଫକୀରମୋହନ ସେନାପତି ହେଉଛନ୍ତି ମୋର ପ୍ରିୟ ଲେଖକ। ତାଙ୍କ ଦ୍ୱାରା ଲେଖାଯାଇଥିବା ଗଳ୍ପ ‘ରେବତୀ’ ମୋତେ ବହୁତ ଭଲ ଲାଗେ। ବାଲେଶ୍ବର କଥାପଡ଼ିଲେ ବିଜୁ ବାବୁ ଓ ଏପିଜେ ଅବଦୁଲ କାଲାମଙ୍କୁ ବି ମନେପଡେ। ଏପିଜେ ଅବଦୁଲ୍ କାଲାମଙ୍କୁ ବିଜୁ ବାବୁ କହୁଥିଲେ, ଆପଣ ଚାନ୍ଦିପୁରକୁ ଏଭଳି କରନ୍ତୁ, ଯେପରି ଚୀନ ଡରିବ। ଚାନ୍ଦିପୁରରୁ ଏବେ ମିସାଇଲ ଟେଷ୍ଟ କରାଯାଉଛି। ଏହି ମହାନ ଦେଶ ଭକ୍ତଙ୍କୁ ମନେ ପକାଯାଉଛି।