THE BYAPINI

ଦିଲ୍ଲୀରେ ‘ମଣ୍ଡି’ ତାତି

Get real time updates directly on you device, subscribe now.

ଦିଲ୍ଲୀରେ ‘ମଣ୍ଡି’ ତାତି । ଗତକାଲି ବିଜେଡି ସାଂସଦ ଆଉ ଆଜି ବିଜେପି ସାଂସଦ । ଏପଟେ ମଣ୍ଡି ସମସ୍ୟା ନେଇ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ସେପଟେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟୁଛନ୍ତି ସାଂସଦ । ସୋମବାର ବିଜେଡି ସାଂସଦ ଭେଟିବା ପରେ ଆଜି ବିଜେପି ସାଂସଦ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ରାଜ୍ୟରେ ଧାନ ସଂଗ୍ରହ ପ୍ରସଙ୍ଗରେ ହସ୍ତକ୍ଷେପ ଦାବି କରିଛନ୍ତି ।

ଚଳିତ ବର୍ଷ ରାଜ୍ୟରେ ଭଲ ଅମଳ ହୋଇଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଅପାରଗତାରୁ ଚାଷୀ ହନ୍ତସନ୍ତ ହେଉଛନ୍ତି। କେନ୍ଦ୍ର ପକ୍ଷରୁ ଯାହା ଏମଏସପି ଦର ଧାର୍ୟ୍ୟ ହୋଇଛି। ସେ ଅନୁସାରେ ଧାନ ସଂଗ୍ରହ କରାଯାଉ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କୁ ଜଣାଇଛନ୍ତି ବିଜେପି ସାଂସଦ । ଧାନ ସଂଗ୍ରହ ସୀମା ସଂଶୋଧନ କରାଯାଉନି। ଫଳରେ ଏମ୍ଏସ୍‌ପିଠୁ ବହୁ କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ବୋଲି ବିଜେପି ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି। ରାଜ୍ୟ ସରକାର ଧାନ ସଂଗ୍ରହ ନେଇ ଚାଷୀଙ୍କୁ ବିଭ୍ରାନ୍ତ କରୁଥିବା କହିଛନ୍ତି ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଟ୍ୱିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଧାନ ସଂଗ୍ରହ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଧାନ କିଣା ବିଳମ୍ବର ସତ୍ୟତା ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହାକୁ ଗମ୍ଭୀରତାର ସହ ନେଇ ଏହି ପ୍ରସଙ୍ଗରେ ଥିବା ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍‌ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‌ କରିଛନ୍ତି।

ସୋମବାର ଧାନ ସଂଗ୍ରହ ଓ ସବସିଡି ପ୍ରସଙ୍ଗରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିିଥିଲେ ବିଜେଡି ସାଂସଦମାନଙ୍କର ପ୍ରତିନିଧି ମଣ୍ଡଳ । ଓଡିଶାକୁ ଧାନ ସଂଗ୍ରହରୁ ମିଳିବାକୁ ଥିବା ସବସିଡିକୁ ତୁରନ୍ତ ପ୍ରଦାନ କରିବା ପାଇଁ ଦାବି କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.