ଅର୍ଣ୍ଣବଙ୍କ ଗିରଫଦାରୀକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା । ଆରମ୍ଭ ହେଲା ରାଜନୈତିକ ବୟାନବାଜି
ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଅର୍ଣ୍ଣବଙ୍କ ଗିରଫକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିନ୍ଦା କରିଛନ୍ତି । ସେ କହିଛନ୍ତି ଏହା ଗଣତନ୍ତ୍ରର ଚତୃର୍ଥ ସ୍ତମ୍ଭ ଏବଂ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଆକ୍ରମଣ । ଏହା ୧୯୭୭ର ଜରୁରୀକାଳୀନ ସ୍ଥିତିକୁ ମନେପକାଉଛି ଏବଂ ଏଭଳି ଆକ୍ରମଣକୁ ବିରୋଧ କରାଯିବା ଆବଶ୍ୟକ ବୋଲି ଶାହା କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ କରି ଅର୍ଣ୍ଣବଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି ।କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କୁ ଧର୍ମେନ୍ଦ୍ର ଟାର୍ଗେଟ କରିଛନ୍ତି । ମହାରାଷ୍ଟ୍ରର ମେଂଟ ସରକାର କାହିଁକି ଭୟଭୀତ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିପରି ଅର୍ଣ୍ଣବ ଗୋସ୍ୱାମୀଙ୍କ ସପକ୍ଷରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଚୌହାନ । ଲୋକତନ୍ତ୍ରରେ ଗଳାଚିପି ହତ୍ୟା କରାଯାଇଛି । କଂଗ୍ରେସର ଇସାରାରେ ଏହି କାର୍ଯ୍ୟାନୁଷ୍ାଂନ ନିଆଯାଇଛି ।କିନ୍ତୁ କଂଗ୍ରେସ ଏବଂ ମହାରାଷ୍ଟ୍ର ସରକାରଙ୍କ ଏଭଳି ହୀନ ପ୍ରୟାସ କେବେ ସଫଳ ହେବନି ବୋଲି ସେ କହିଛନ୍ତି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ନାଁ ନନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ମାଆ, ପୁଅ ଯେଉଁ ମାଫିଆ ସରକାର ଚଳାଇଛନ୍ତି ଏଥିରେ କେବଳ ପ୍ରେସକୁ ଆଘାତ ହୋଇଛି ତା ନୁହେ, ଯେତେବେଳେ ମନ ପସନ୍ଦର ନ୍ୟାୟ ତାଙ୍କୁ ମିଳେନି ସେତେବେଳେ ସେ ଶୀର୍ଷ ନ୍ୟାୟଳୟକୁ ବି ଛାଡନ୍ତି ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସମ୍ବିତ ପାତ୍ର ।
ସେପଟେ ଅର୍ଣ୍ଣବଙ୍କ ଓକିଲ କହିଛନ୍ତି, ବିନା ନୋଟିସରେ ତାଙ୍କ ପତ୍ନୀଙ୍କୁ ନଜଣାଇ ତାଙ୍କୁ ଗିରଫ କରାଯାଇଛି । ଅର୍ଣ୍ଣବଙ୍କ ହାତ ଓ ପିଠିକୁ ପୁଲିସ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି ।