THE BYAPINI

ଭୁଲ ହୋଇଗଲା ‘ନବୀନ ନିବାସ’ ଯିବା..

Get real time updates directly on you device, subscribe now.

() ନାଟକ ଲେଖା ହେଲା, ଚରିତ୍ର ବଛାଗଲା, ରିହର୍ସଲ ହେଲା, ନାଟକ ଯେଉଁ ମଞ୍ଚରେ ହବା କଥା ସେଠାକୁ ଦଳବଳ ଘେନି ବାହାରିଲେ ବିରୋଧୀ । ଆଉ ଯେଉଁ ସ୍ଥାନରେ ଯାହା ହେବା କଥା ତାର ବ୍ୟତିକ୍ରମ ହେବାରୁ ଫାଟକ ଆଗରେ ଚାଲିଲା ନାଟକ । ଡ୍ରାମା ତ ନୁହେଁ ହାଇ ଭୋଲଟେଜ ଡ୍ରାମା । ନାଟକ ସରିଲା, ଘର ବାହୁଡା ହେଲେ । ଆଉ ପରଦିନ ଅନୁତାପ କରାଗଲା, ନାଟକ କରି କି ଲାଭ ମିଳିଲା ବରଂ ମସ୍ତବଡ ଭୁଲ ହୋଇଗଲା । କିଛି ଏମିତି ନାଟକୀୟ ଢଙ୍ଗରେ କାଲିରୁ ଆଜି ଯାଏଁ ବିଜେଡି- ବିଜେପି ମଧ୍ୟରେ ଡ୍ରାମେବାଜ ଚାଲିଛି । ଆଉ ରାଜ୍ୟ ରାଜନୀତିର ଏ ବିନା ରଙ୍ଗମଞ୍ଚ, ବିନା ରଙ୍ଗ ପାଉଡର ମଖା ନାଟକ ଦେଖୁଛନ୍ତି ରାଜ୍ୟବାସୀ ।

ଦୀର୍ଘ ୬ ଦିନ ହେବ ଧାନକିଣା ପ୍ରସଙ୍ଗ ଓ ବିଜେପି ବିଧାୟକଙ୍କ ଗୃହରେ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ଗୃହକୁ ଆସୁ ନାହାନ୍ତି ତାକୁ ‘ନିଖୋଜ ନବୀନ’ର ନାରା ଦେଇ କାଲି ନବୀନ ନିବାସ ବାହାରିଥିଲେ ବିଜେପି ସଦସ୍ୟ । ମୁଖ୍ୟମନ୍ତ୍ରୀକୁ ଖୋଜି ଖୋଜି ସେମାନେ ନବୀନ ନିବାସ ଆଗରେ ବବାଲ ମଚେଇଥିଲେ ଆଉ ସ୍ଥିତି ଅଣାୟତ ହେବାରୁ ଖୋଦ ମୁଖ୍ୟମନ୍ତ୍ରୀ ଘରୁ ବାହାରି ବିରୋଧୀ ବିଧାୟକଙ୍କୁ ନବୀନ ନିବାସକୁ ପାଛୋଟି ନେଇଥିଲେ । ଯାହା ରାଜ୍ୟ ରାଜନୀତିର ଏକ ନିଆରା ଚିତ୍ର, ବିରଳ ଘଟଣା ଥିଲା । ନବୀନଙ୍କ ନିମନ୍ତ୍ରଣ ପରେ ଧାନ କିଣା ପ୍ରସଙ୍ଗରେ ବିଜେପି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ନବୀନ ନିବାସରେ ବିରୋଧୀଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରିବା ପରେ ଆମ୍ବଗଛ ଛାଇ ତଳେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଖାଲି ସେତିକି ନୁହେଁ ଆତିଥ୍ୟତା ଦୃଷ୍ଟିରୁ ଖରାରେ ଚାଲି ଚାଲି ଆସିଥିବା ବିଜେପି ବିଧାୟକଙ୍କୁ ଘୋଳଦହି ବି ଦେଇଥିଲେ । କଥାବାର୍ତ୍ତା, ଖିଆ ପିଆ ସାରି ଗୃହକୁ ସ୍ୱାଭାବିକ କରିବାକୁ ସବୁ ହଁ ହାଁ ମାରି କାଲି ଫେରିବା ପରେ ଆଜି ପୁଣି ବୁଲିପଡିଲେ ବିରୋଧୀ ବିଜେପି । ନବୀନଙ୍କ ଆଗରେ କାଲି ବାଧ୍ୟ ଶିଶୁ ପାଲଟିଥିବା ବିଜେପି ବିଧାୟକଙ୍କୁ ବିବେକ ବାଧା ଦେଲା ନା କଣ ଆଜି ପୁଣି ମନ୍ତ୍ରୀଙ୍କ ଉତ୍ତର ପରେ ଓଲଟିପଡି କାଲିର ନବୀନ ନିବାସ ଅଭିଯାନ ପାଇଁ ଅନୁତାପ କରିଛନ୍ତି ବିରୋଧୀ ବିଜେପି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ନବୀନ ବାବୁଙ୍କ ଘରକୁ ଯିବାଟା ଆମର ଭୁଲ ଥିଲା । ଘରକୁ ଡାକି ନବୀନ ବାବୁ ଆମକୁ ଠକି ଦେଇଛନ୍ତି, ଆମ ସହ ପ୍ରତାରଣା କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ବି ସମାନ କଥାକୁ ଦୋହରାଇଛନ୍ତି । ନବୀନ ନିବାସରେ ବିଜେପି ବିଧାୟକଙ୍କୁ ଅପମାନିତ କରିବା ପାଇଁ କାଲି ସୁଚିନ୍ତିତ ଷଡଯନ୍ତ୍ର ରଚାଯାଇଥିଲା ବୋଲି ମୋହନ ତୀର ମାରିଛନ୍ତି ।

ତେବେ ବିଜେପିର ଏ ସବୁ ଅନୁଶୋସନା ଭିତରେ କଟା ଘାରେ ଚୂନ ମାରିଛି କଂଗ୍ରେସ । ବିଜେପି- ବିଜେଡି ଭାଇ ଭାଇ କହି ଆସୁଥିବା କଂଗ୍ରେସକୁ ଆଉ ଟିକେ ସୁଯୋଗ ଦେଇଛି କାଲି ଏ ହାଇଡ୍ରାମା । କଂଗ୍ରେସର ଟାଣୁଆ ନେତ ତାରା ଓ ନରସିିଂହ ମିଶ୍ର କହିଛନ୍ତି ବିଜେପି ବାଲା କାଲି ବରଯାତ୍ରୀ ସାଜି ଯାଇଥିଲେ ଆଉ ନବୀନ କର୍ତ୍ତା ସାଜି ତାଙ୍କୁ ସିନ୍ଦୂର, ଚନ୍ଦନ ମାରି ପାଛୋଟି ନେଇଥିଲେ । ଯାହା ସେମାନଙ୍କ ଭିତିରି ସମ୍ପର୍କର କଥା ସ୍ପଷ୍ଟ କରୁଛି ବୋଲି କଂଗ୍ରେସ କହିଛି ।

ସେପଟେ ଏ ସବୁ ଭିତରେ ବିଚରା ମନ୍ତ୍ରୀ ପ୍ରତାପ ଜେନା ନିଜ ଟଙ୍ଗସ୍ଲିପ ପାଇଁ ଘାଣ୍ଟି ଦେଉଛନ୍ତି । ନବୀନ ନିବାସକୁ ନେଇ କାଲି ଯେଉଁ ପାପ ଧୁଆ ମନ୍ତବ୍ୟ ଦେଇଥିଲେ ଆଜି ତାହା ତାଙ୍କୁ ବୁମେରାଂ ସାଜିଛି । ବିଜେଡି ମୁଖିଆଙ୍କୁ ସିନା ଖୁସ କରିବାକୁ କାଲି କହୁ କହୁ ନବୀନ ନିବାସ ପବିତ୍ର ସ୍ଥାନ, ଏଠାକୁ ଆସି ବିରୋଧୀଙ୍କ ପାପ ଧୋଇଯିବ କହିଦେଇଥିଲେ । ହେଲେ ଆଜି ବିଧାନସଭା ସେଇ ମନ୍ତବ୍ୟ ପାଇଁ ପଡୁଛି ଉଠୁଛି । ଆମେ କଣ ପାପୀ, ପ୍ରତାପ ଜେନା ଆମକୁ ପାପୀ କହିଛନ୍ତି ବୋଲି ସିଧା ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ତେବେ ସବୁ ଘଟଣାକ୍ରମକୁ ଲକ୍ଷ୍ୟ କଲେ ଗୋଟିଏ କଥା କୁହାଯାଇପାରେ, ସତରେ ଭୁଲ ହେଲା କି ନବୀନ ନିବାସ ଯିବା…?

Get real time updates directly on you device, subscribe now.

Leave A Reply

Your email address will not be published.