ବିବାଦ: ପ୍ରତାପଙ୍କ ପଛେପଛେ…
() ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ମହଙ୍ଗା ହୋଇପାରେ ମାହାଙ୍ଗା ମର୍ଡର କେସ । ଆଇନ ମନ୍ତ୍ରୀଙ୍କୁ ନେଇ ବିବାଦ ମୁଣ୍ଡ ଟେକୁଥିବା ବେଳେ ଏବେ ମାହାଙ୍ଗା ହତ୍ୟାକାଣ୍ଡ ଘଟଣା ଭୁବନେଶ୍ୱରେ ହାଜର । ମାହାଙ୍ଗାରୁ ଆସି ରାଜନୀତିର ହେଡକ୍ୱାଟରର୍ସ କୁହାଯାଉଥିବା ରାଜଧାନୀରେ ପହଞ୍ଚିଲାଣି ବିବାଦ । ତେଣୁ ମନ୍ତ୍ରୀଙ୍କ ପାଇଁ ବଢିପାରେ ଅଡୁଆ । ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀଙ୍କ ସମ୍ପୃତି ଥିବା ସିଧା ଅଭିଯୋଗ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବିଜେପି । ମାହାଙ୍ଗାରୁ ଏକ ବିଶାଳ ଶୋଭାଯାତ୍ରା ଭୁବନେଶ୍ୱରରେ ପହଞ୍ଚିଛି । ଆଜି ବିଧାନସଭା ଘେରାଓ କରିବାକୁ ଯୋଜନା ରଖିଥିବା ବେଳେ ବିଧାନସଭା ଚଲୋ ନାରା ଦେଇ ମାଡି ଚାଲିଛନ୍ତି ବିଜେପି କର୍ମୀ । ମାର୍ଚ୍ଚ ୧୭ରୁ ଶୋଭାଯାତ୍ରା ମାହାଙ୍ଗା କୁଳିଆ ମଠରୁ ବାହାରି ଜଗତପୁରରେ ପହଞ୍ଚିଥିଲା । ପରେ କଟକରୁ ଭୁବନେଶ୍ୱର ରସୁଲଗଡରେ ଶୋଭାଯାତ୍ରାକୁ ସ୍ୱାଗତ କରିବା ସହ ସାମିଲ ହୋଇଛନ୍ତି ରାଜ୍ୟ ବିଜେପି ସଦସ୍ୟ ସମୀର ମହାନ୍ତି ।
ଅନ୍ୟପଟେ ସମାନ ଦାବିରେ ବି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ କର୍ମୀମାନେ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ଆଉ ଶିଶୁଭବନ ଛକରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ତେବେ ଜାନୁୟାରୀ ୨ ରାତିରେ ମାହାଙ୍ଗାରେ ଡବଲ ମର୍ଡର ହୋଇଥିଲେ ବି ଏଯାଏଁ ରାଜନୀତି ସରିନି । ହତ୍ୟାକାଣ୍ଡକୁ ୩ ମାସ ବିତି ସାରିଥିବା ବେଳେ ନ୍ୟାୟ ଦାବିରେ ଏବେ ବିଧାନସଭା ଘେରାଓ କରିବାକୁ ଯୋଜନା କରୁଛି ବିଜେପି । ଯଦିଓ ଘଟଣା ପରେ ପରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ତାସହ ଏଯାଏଁ ୭ ଜଣଙ୍କୁ ବାନ୍ଧିଲାଣି ପୋଲିସ । କିନ୍ତୁ ବିଜେପି ନାଟକରୁ ଓହରିବାକୁ ନାରାଜ । ବିଜେପିର ସେହି ଗୋଟିଏ ଜିଦ୍ ମନ୍ତ୍ରୀ ପ୍ରତାପ ଜେନା ଇସ୍ତଫା ଦିଅନ୍ତୁ, ତାଙ୍କୁ ଗିରଫ କରାଯାଉ । ସେଇଥିପାଇଁ ଶନିବାର ବିଧାନସଭା ଘେରାଉ କରି ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିବ ବିଜେପି ।
ବିବାଦ ମନ୍ତ୍ରୀ ପ୍ରତାପ ଜେନାଙ୍କ ପିଛା ଛାଡୁନି । ଏକଥା ସେ ଦେଇଥିବା ଆଉ ଏକ ବିବାଦୀୟ ବୟାନ ହିଁ ପ୍ରମାଣିତ କରୁଛି । ଯେତେବେଳେ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ଯାଇ ନବୀନ ନିବାସରେ ପହଞ୍ଚିଗଲେ ଠିକ ସେତିକି ବେଳେ ପ୍ରତାପ କହିଥିଲେ, ନବୀନ ନିବାସ ଏକ ପବିତ୍ର ସ୍ଥାନ, ଏଠାକୁ ଆସିଲେ ପବିତ୍ର ହୋଇଯିବ । ତେବେ ମନ୍ତ୍ରୀଙ୍କ ଏହି ବୟାନ ବିରୋଧୀଙ୍କ ଦେହରେ ନିଆଁ ଲଗାଇଦେଇଥିବା ବେଳେ ବିରୋଧୀ ବିଜେପି ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ।