‘ସୁନ୍ଦରୀ’କି ସୁହାଇଲାନି କି ସାତକୋଶିଆ?
ଯେଉଁଠୁ ଆସିଥିଲା ପୁଣି ସେଠାକୁ ଫେରିଯିବ । ବାନ୍ଧବଗଡ଼ର ବାଘୁଣୀ ତଥା ସାତକୋଶିଆର ବ୍ୟାଘ୍ର ପ୍ରକଳ୍ପର ବିଫଳ ନାୟିକା ସୁନ୍ଦରୀ ପୁଣି ଫେରିଯିବ କାହ୍ନା । ସୁନ୍ଦରୀକୁ ନେବାକୁ ମଧ୍ୟପ୍ରଦେଶର ଏକ ବିଶେଷଜ୍ଞ ଦଳ ଆସି ସାତକୋଶିଆରେ ପହଚିଂଛନ୍ତି । ସୁନ୍ଦରୀର ସ୍ୱାସ୍ଥ ପରୀକ୍ଷା ପରେ ଏଇ ସପ୍ତାହରେ ତାକୁ ଫେରାଇନେବାକୁ ବନ୍ଦୋବସ୍ତ କରାଯିବ ।
ସୁନ୍ଦରୀକୁ ନେବାକୁ ମଧ୍ୟପ୍ରଦେଶ ବ୍ୟାଘ୍ର ପ୍ରକଳ୍ପର ୬ ଜଣିଆ ଟିମ ଆସିଛନ୍ତି । ଡାକ୍ତରଙ୍କ ଦ୍ୱାରା ସୁନ୍ଦରୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯଦି ସୁନ୍ଦରୀ ସୁସ୍ଥ ଥିବା ୩ରୁ ୪ ଦିନ ଭିତରେ ସୁନ୍ଦରୀକୁ କାହ୍ନା ନିଆଯିବ । ସାତକୋଶିଆ ଅଧିକାରୀମାନଙ୍କ ସହ ଆଲୋଚନା ପରେ ରାଇଗୁଡା ଏନକ୍ଲୋଜରକୁ ଯାଇ ବାଘୁଣୀର ପରିସ୍ଥିତି ଅନୁଧ୍ୟାନ କରିବାର ଯୋଜନା ରହିଛି । ସ୍ଥିତି ପରଖିବା ପରେ ବାଘୁଣୀକୁ ସ୍ଵତନ୍ତ୍ର ଗାଡିରେ ନେଇ ଜଙ୍ଗଲ ପ୍ରବୃତି ଫେରାଇ ଆଣିବାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାକୁ ନିଆଯିବ ।
ଦୀର୍ଘ ଦିନ ଧରି ଏନକ୍ଲୋଜରରେ ବନ୍ଦୀ ରହିବା ଫଳରେ ସୁନ୍ଦରୀର ସହଜାତ ପ୍ରବୃତି ହରାଇବାକୁ ବସିଛି । ସେଠାରେ ତାର ଜଙ୍ଗଲ ପ୍ରକୃତି ଫେରାଇ ଆଣିବାକୁ ଉଦ୍ୟମ କରାଯିବ । ସୁନ୍ଦରୀକୁ ଖୁଆଡ଼ ଭିତରେ ଦେଲେ ଶିକାର କରୁଛି । ଏପରିକି ତାର ହିଂସ୍ରପଣ ଓ ଶିକାର କରିବା ଦକ୍ଷତା ମଧ୍ୟ ପ୍ରଭାବିତ ହୋଇଛି ।
ତେବେ ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ଏହା ଥିଲା ଦେଶର ପ୍ରଥମ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ । ହେଲେ ୨୦୧୮ ଜୁନରେ ସୁନ୍ଦରୀ ଆସିବା ଦିନରୁ ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ବିଶେଷ କରି ସୁନ୍ଦରୀ ଆକ୍ରମଣରେ ୨ ଜଣ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ଏହାକୁ ନେଇ ଅଂଚଳବାସୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାପରେ ସେହିବର୍ଷ ନଭେମ୍ବରରୁ ସୁନ୍ଦରୀ ଏନକ୍ଲୋଜର ଭିତରେ ବନ୍ଦୀ ଜୀବନ ବିତାଉଛି ।