ଲୋକଙ୍କ ପାଇଁ କାମ କରିବା କଣ ଭୁଲ୍?
ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ବିଜୁ ଯୁବ ଜନତା ଦଳ ସଭାପତି । ଛାତ୍ର ରାଜନୀତିରୁ ସଫଳତାର ଶିଖରମୁହାଁ ହୋଇଥିବା ଏହି ନେତାଙ୍କ ପଛରେ ପଡିଛନ୍ତି ଏବେ କିଛି ତଥାକଥିତ ନିରପେକ୍ଷ ଗଣମାଧ୍ୟମ । ଏଜେଣ୍ଡା ରଖି ସକାଳୁ ସନ୍ଧ୍ୟା ଯାଏଁ କାମ କରୁଥିବା ଏହି ୱେବ ମିଡିଆ ଏବଂ କିଛି ନ୍ୟୁଜ ଚ୍ୟାନେଲ ଏକପାଖିଆ ଖବର ପ୍ରସାରଣ କରିବାରେ ବ୍ୟସ୍ତ । ବାସ୍ତବତା ଠାରୁ ଢେର ଦୁରକୁ ଯାଇ ଜଣେ ନେତାଙ୍କୁ ବଦନାମ କରିବାର ମୁହିମ ଚାଲୁଥିବା ଦେଖିବାକୁ ମିଳିଛି । ସତ କଣ ମିଛ କଣ ଜାଣିବା ବଦଳରେ ମୋବାଇଲ ଏବଂ ଟିଭି ସ୍କ୍ରୀନ ଜରିଆରେ ମିଛ ବିକିବାକୁ ବ୍ୟସ୍ତ ନିଜର ଅସ୍ତିତ୍ୱ ହରାଇ ବସିଥିବା କିଛି ସାମ୍ବାଦିକ । କାହିଁକି ଏଭଳି ସ୍ଥିତି ସୃଷ୍ଟି ହୋଇଛି, ତାହା କାହାକୁ ଅଛପା ନୁହେଁ । ସାମ୍ବାଦିକତା ଆଜି କାଲି ଆଉ ସତକୁ ନେଇ ନୁହେଁ ବରଂ ସାମ୍ବାଦିକତା କିଛି ନିର୍ଦ୍ଦିଷ୍ଟ ନେତା ଏବଂ ରାଜନୈତିକ ଦଳଙ୍କ ସୁରକ୍ଷା କବଚ ପାଲଟି ଯାଇଛି ଓ ସାମ୍ବାଦିକ ଏସବୁର ମୁଖପାତ୍ର ।
ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କର ଏକ ଅଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲା । ପରେ ଏହାକୁ କିଛି ତଥାକଥିତ ଗଣମାଧ୍ୟମ ଖବର କଲେ । ହେଡିଂ ରହିଲା ବିଧାୟକଙ୍କ ଦାଦାଗିରି । ଧମକ ଦେଲେ ବିଧାୟକ । ନାଲିଆଖି ଦେଖାଇଲେ ବ୍ୟୋମକେଶ । ପୋଲିସ ଉପରେ ପଡୁଛି ନେତାଙ୍କ ଚାପ ଏମିତି କେତେ କଣ । ହେଲେ କେହି ଜଣେ ବି ଏହି ଅଡିଓର ମୁଳକୁ ଯିବାକୁ ଚିନ୍ତା କଲେନାହିଁ । ଯଦି ଅସଲରେ ସାମ୍ବାଦିକତା କରୁଥାନ୍ତେ ତେବେ ଯଥାସମ୍ଭବ ଚେଷ୍ଟା କରିଥାନ୍ତେ ଅଡିଓ ପଛର ସତ ଜାଣିବାକୁ । ଅନେକ ପ୍ରଶ୍ନ ବ୍ୟାପିନୀ ପ୍ରତିନିଧିଙ୍କ ମନରେ ବି ଆସୁଥିଲା । ବିଧାୟକ କରିଥିବା କିଛି ଶଦ୍ଦ ହୁଏତ ଆପତ୍ତିଜନକ ଥାଇପାରେ ହେଲେ ଏହାପଛରେ ଥିବା କାରଣକୁ ମଧ୍ୟ ସମସ୍ତଙ୍କୁ ବୁଝିବାର ଆବଶ୍ୟକତା ରହୁଛି
ବିଧାୟକ ଫୋନରେ ପୋଲିସ ଅଧିକାରୀଙ୍କୁ କହୁଥିଲେ, ଜନତାଙ୍କୁ ଅସୁବିଧାରେ ପକାଇବା ବନ୍ଦ କର । ଲୋକଙ୍କୁ ମିଛ କେସରେ ଫଶାଅନି, ଧମକ ଚମକ ଦିଅନାହିଁ । ଯଦି ଏଭଳି ପୋଲିସ ଅଧିକାରୀ କରନ୍ତି ତେବେ ତାଙ୍କୁ ମୋଟୁ ବଦଳି କରିଦେବେ । ଏହି କଥାରେ ମୁଳ ଉଦ୍ଦେଶ୍ୟ ଥିଲା ଲୋକଙ୍କ ସ୍ୱାର୍ଥ । ପୋଲିସ ବାବୁ ଜଣଙ୍କ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ନେଇ ଯେତେବେଳେ ବିଧାୟକଙ୍କ ନିକଟକୁ ଅଭିଯୋଗ ଆସିଲେ ସେତେବେଳେ ହିଁ ବ୍ୟୋମକେଶ ସାମ୍ନାକୁ ଅସିଥିଲେ ଆଉ ପୋଲିସ ବାବୁଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ନିଜ ଭୁଲ ବୁଝିବା ବଦଳରେ ବାବୁ ଜଣଙ୍କ ଚାଲାକିରେ ଭଏସ୍ ରେକର୍ଡିଂ କରିବା ସହ ତାକୁ ଭାଇରାଲ କରିଦେଲେ ।
ଯେଉଁସବୁ ଗଣମାଧ୍ୟମ ଭାଇରାଲ ହେଉଥିବା ଅଡିଓକୁ ନେଇ ଘନ ଘନ ଖବର ପ୍ରସାରଣ କଲେ ସେସବୁ ଗଣମାଧ୍ୟମ ନୟାପଲ୍ଲୀରେ ହୋଇଥିବା ଆତଙ୍କରାଜ ବେଳକୁ ଚୁପ୍ ରହିଥିଲେ । ଅପରାଧୀକୁ ସୁରକ୍ଷା ଦେବା ଏମାନଙ୍କର ଅଭ୍ୟାସ । ଅପରାଧୀ ସହ ହାତ ମିଳିାଇବା ଏମାନଙ୍କର ଏଜେଣ୍ଡା । ଆଉ ସେସବୁ ସାମ୍ବାଦିକ ସାମ୍ନାକୁ ଆସି କହୁଛନ୍ତି ବିଧାୟକ ଭୁଲ କରିଦେଲେ । ନୈତିକତାର ଶୀକ୍ଷା ଦେଉଛନ୍ତି । ବଡ କଥା ହେଉଛି ଏହି ଅଡିଓ ପାଇଲା ପରେ ସାମ୍ବାଦିକର ପ୍ରଥମ କାମ ହେଉଛି ଦୁଇପକ୍ଷକୁ ଚିନ୍ତା କରିବା । ବିଧାୟକ ଭୁଲ କରିଥାଇପାରନ୍ତି, ହେଲେ ଲୋକଙ୍କୁ ଅସୁବିଧାରେ ପକାଉଥିବା ବାବୁଙ୍କୁ ବୁଝାଇବା କଣ ଭୁଲ୍? ଯଦି ପ୍ରକୃତ ସାମ୍ବାଦିକତା କରୁଥାନ୍ତେ ତେବେ ପ୍ରଥମେ ଉକ୍ତ ପୋଲିସ ବାବୁ ଜଣଙ୍କ କଣ ଭୁଲ କରିଛନ୍ତି ତାକୁ ବୁଝିଥାନ୍ତେ, ସେ କାମ କରୁଥିବା ଥାନା ଅଧୀନରେ ତାଙ୍କ ଟ୍ରାକ୍ ରେକର୍ଡ ଅନୁଧ୍ୟାନ କରିଥାନ୍ତେ, ସ୍ଥାନୀୟ ଲୋକଙ୍କ ମତାମତ ନେଇଥାନ୍ତେ । ହେଲେ ଏଭଳି କିଛି କରିବା ବଦଳରେ ସିଧା ନିଷ୍କର୍ସରେ ପହଁଚିଯିବାକୁ ସାମ୍ବାଦିକତା କୁହାଯାଏନି । ଯଦି ରଡିବାର ଅଛି ତେବେ ଦୁଇପକ୍ଷକୁ ନେଇ ରଡ, ଏକପାଖିଆ ହୋଇ ନୁହେଁ । ଆଉ ବିଧାୟକ ଯଦି ଜନତାଙ୍କୁ ସୁଖ ଦୁଃଖରେ ଠିଆ ହେବନି ଏବଂ ଅତ୍ୟାଚାରୀ ବାବୁ ବିରୋଧରେ ମୁହଁ ଖୋଲିବନି, ତେବେ ସେ ଲୋକ ପ୍ରତିନିଧି କାହିଁକି ହେବ?