THE BYAPINI

ସରକାର ! ମଦମୁକ୍ତ ଓଡିଶା କେବେ ?

Get real time updates directly on you device, subscribe now.

ଗାନ୍ଧୀ ହେ ! ତୁମ ଦେଶରେ, ଏବେ ଅଧିକାଂଶ ଲୋକ ନିଶାରେ… ମଦମୁକ୍ତ ଦେଶ ଗଠନର ସ୍ୱପ୍ନ ଦେଖୁଥିବା ବାପୁଙ୍କ ବିଚାର ଥିଲା ‘ଭାରତ ଗରିବ ହୋଇ ରହୁ ଏହାକୁ ମୁଁ ପସନ୍ଦ କରିବି, କିନ୍ତୁ ହଜାର ହଜାର ଲୋକ ମଦୁଆ ହୁଅନ୍ତୁ ମୁଁ ଏହାକୁ ବରଦାସ୍ତ କରିବିନି’ । ଏହି ବିଚାରଧାରାରେ ବଞ୍ଚୁଥିଲେ ପ୍ରିୟ ବାପୁଜୀ ଆଉ ଲୋକଙ୍କୁ ମଦ ବିରୋଧରେ ସ୍ୱର ଉଠାଇବାକୁ ବାର୍ତ୍ତା ଦେଉଥିଲେ । ହେଲେ ଗାନ୍ଧୀ ଗଲା ପରେ ପରେ କଣ ହୋଇଛି ଦେଶର ସ୍ଥିତି ? ମଦକୁ ନେଇ ଓଡିଶାର ସ୍ଥିତି କଣ? ଦିନକୁ ଦିନ ମଦ୍ୟପଙ୍କ ସଂଖ୍ୟା ବଢି ଚାଲିଛି କିନ୍ତୁ କମିବାର ନାଁ ଧରୁନି କଣ ପାଇଁ? ନିଶା ପାଇଁ ଦାୟୀ କିଏ ? ସରକାର ନା ସାଧାରଣ ଲୋକ ? ଏ ପ୍ରଶ୍ନ ଆମେ ଏଇଥିପାଇଁ ଉଠାଉଛୁ କାରଣ ମଦ ପାଇଁ ନିଇତି ମହାଭାରତ ହେଉଛି । ଦେଶକଥା ଛାଡନ୍ତୁ ଆମ ଓଡିଶାରେ ମଦ ସବୁ ଅଘଟଣ, ଅପରାଧର ମୂଳ କାରଣ ସାଜୁଛି । କେଉଁଠି ମଦ ଗୋଟେ ଗୋଟେ ଗାଁକୁ ପୁରୁଷଶୂନ୍ୟ କରିଦେଇଛି ତ କାହାର ଉଜୁଡି ଯାଇଛି ସଂସାର । ମଦ କାହା ବାପାକୁ ଛଡାଇ ନେଇଛି, କାହାଠୁ ସ୍ୱାମୀକୁ । ଏଇ ନିଶା ପାଇଁ ନିଇତି ହତ୍ୟା, ଦୁଷ୍କର୍ମ, ବ୍ୟଭିଚାର, ଲୁଟ ଭଳି ସାଙ୍ଘାତିକ ଅପରାଧ ଘଟୁଛି । ମଦ ପିଇ ସ୍ୱାମୀ ଘରେ ସ୍ତ୍ରୀକୁ ଅକଥନୀୟ ଅତ୍ୟାଚାର କରୁଛି, ମାଡ ଗାଳି ଦେଇ ତାକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ବାଡଉଛି । ଏମିତି ଅନେକ ଚିତ୍ର ଗାଁ ଗହଳି, ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଛି ଯାହାର କାରଣ ମଦ କୁହାଯାଉଛି ।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ ଥିଲା ନିଶାମୁକ୍ତ ରାଷ୍ଟ୍ର ଗଠନ । ଆଉ ମଙ୍ଗଳବାର ଥିଲା ମହାତ୍ମାଙ୍କ ପୂଣ୍ୟଭୂମି ଓଡିଶାରେ ପାଦ ଦେବାର ଶତବାର୍ଷିକୀ । ୧୯୨୧ ମାର୍ଚ୍ଚ ୨୩ରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ ଗାନ୍ଧୀ । ଆଉ ସେହି ମହାନ ଆତ୍ମାଙ୍କ ମହାମୁହୂର୍ତ୍ତକୁ ମନେପକାଇ ଓଡିଶା ପାଳିଛି ଗାନ୍ଧୀଙ୍କ ଆଗମନକୁ ଶହେ ବର୍ଷ ପୂର୍ତ୍ତି । ବିଧାନସଭାଠୁ ବଡ ବଡ ଅଫିସ, କଟକରୁ ଭଦ୍ରକ, ପୁରୀରୁ ବ୍ରହ୍ମପୁର ସବୁଠି ଗାନ୍ଧୀଙ୍କୁ ମନେପକାଇ ଗାନ୍ଧିଙ୍କ ଆଗମନୀ, ସେ କରିଥିବା ଜନସଭା ଆଉ ଲୋକଙ୍କୁ ସ୍ୱରାଜ ପାଇଁ, ବିକାଶ ପାଇଁ କେମିତି ମନ୍ତ୍ର ଦେଉଥିଲେ ତାକୁ ମନେପକାଇଛନ୍ତି ନେତାଠୁ ଜନତା ।

ବିଧାନସଭାରେ ତ ପୂରା ଦିନ ଗାନ୍ଧିଗିରି ଚାଲିଥିଲା । ମହାତ୍ମା ଗାନ୍ଧୀଙ୍କ ଉପରେ ସ୍ୱତନ୍ତ୍ର ଆଲୋଚନା ଚାଲିଥିଲା । ପାଖାପାଖି ୩ ଘଣ୍ଟାରୁ ଅଧିକ ସମୟ ଧରି ଗାନ୍ଧିଙ୍କ ଗାରିମା, ତାଙ୍କ ସ୍ୱପ୍ନ, ଗାନ୍ଧିଙ୍କ ବିଚାରଧାରା ଉପରେ ମନ୍ତ୍ରୀ, ବିଧାୟକ ଆଲୋଚନା କରିଥିଲେ । ଗାନ୍ଧୀଜୀଙ୍କ ଜୀବନ ଦର୍ଶନ, ନୀତି ଆଦର୍ଶ ଉପରେ ମୁଖ୍ୟମନ୍ତ୍ରୀ କହିଥିବା ବେଳେ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ପାଇଁ ସର୍ବସମ୍ମତିକ୍ରମେ ଏକ ସଙ୍କଳ୍ପ ପାରିତ ହୋଇଥିଲା । ଗାନ୍ଧୀ ଜଣେ ବ୍ୟକ୍ତି ନୁହଁନ୍ତି ଏକ ବିଚାର ବୋଲି ବିଧାୟକମାନେ ଭିନ୍ନ ଭିନ୍ନ ମତ ରଖିଥିଲେ । ଆଉ ତମାମ ଗୃହରେ ଚାଲିଥିଲା ଗାନ୍ଧିଗିରି । ବିଧାନସଭାରେ ରାମଧୂନ ଶୁଭୁଥିଲା, ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦିଆଯାଇଥିଲେ ହେଲେ ଗାନ୍ଧିଙ୍କ ବିଚାରକୁ ବଡ ପାଟିରେ କହୁଥିବା କେହି ଗାନ୍ଧୀଙ୍କ ବଡ ସ୍ୱପ୍ନ ନିଶାମୁକ୍ତ ଦେଶ କଥା ଉଠାଇ ନଥିଲେ ।

ଅହିଂସା ପାଇଁ ସଂକଳ୍ପ ପାରିତ ହେଲା ତାହା ସ୍ୱାଗତଯୋଗ୍ୟ । ହେଲେ ଯେଉଁଥିପାଇଁ ହଜାର ହଜାର ଲୋକ ମରୁଛନ୍ତି । ଗୋଟେ ଗୋଟେ ଗାଁ ଉଜୁଡି ଯାଉଛି ତା ଉପରେ କୌଣସି ଆଲୋଚନା ବି ହେଲାନି । ଗାନ୍ଧୀଙ୍କ ଓଡିଶା ଆଗମନୀକୁ ୧୦୦ ବର୍ଷ ପୂରିଲା ସମସ୍ତେ ଭାବିଥିଲେ ବିଧାନସଭାରେ ସରକାର କିଛି ଗୋଟେ ବଡ ଧରଣର ନିଷ୍ପତ୍ତି ନେବେ ଅର୍ଥାତ ମଦ ମୁକ୍ତ ଓଡିଶା ପାଇଁ ସଂକଳ୍ପ ପାରିତ କରିବେ ଯାହା ଜାତିର ପିତାଙ୍କ ପାଇଁ ହେବ ଏକ ବଡ ଶ୍ରଦ୍ଧାଞ୍ଜଳି ହେଲେ ତାହା କିଛି ବି ହେଲାନି ।


ଯେଉଁଠି ମଦକୁ ଖୋଦ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଅଧିକ ମଦ ବିକିଲେ ପୁରସ୍କାର ଘୋଷଣା କରୁଛନ୍ତି । ରାଜସ୍ୱ ଆଦାୟ ପାଇଁ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ସେଠି କଣ ମଦ ମୁକ୍ତ ଓଡିଶାର ସ୍ୱପ୍ନ ଦେଖାଯାଇପାରେ ? ସରକାରଙ୍କୁ ଟାର୍ଗେଟ କରି ବିରୋଧୀ ପ୍ରଶ୍ନ କରିଛନ୍ତି, ରାଜ୍ୟ ସରକାର ମଦର ଟିକସ କେମିତି ବଢିବ, ଲୋକେ କିପରି ଅଧିକ ମଦୁଆ ହେବେ ତାଉପରେ ଗୁରୁତ୍ୱ ଦେଉଛନ୍ତି ତାହା କି ପ୍ରକାର ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ।

ଗାଁ ଗାଁରେ ମଦୁଆ ବଢୁଛନ୍ତି, ୧୨-୧୪ ବର୍ଷରୁ ପିଲା କୁସଙ୍ଗରେ ପଡି ମଦପାନ କରୁଛନ୍ତି । ମାଟ୍ରିକ ନଡେଉଁଣୁ ମଦ ନିଶାକୁ ସାଥି କରୁଛନ୍ତି । ଆଉ ମଦ ମାଫିଆଙ୍କ ସହ ତ ପୋଲିସର ମଧୁ ଚନ୍ଦ୍ରିକା ଚାଲିଛି । ଥାନାରୁ ପୋଲିସ ଗାଡି ଚେକିଂରେ ବାହାରିଲେ କିଛି ଗୃହଭେଦୀ ବିଭୀଷଣ ମାଫିଆଙ୍କୁ ଫୋନ କରି ସତର୍କ କରାଇଦେଉଛନ୍ତି । ମଦ, ଟଙ୍କା ପାଇଁ ଏଠି ପୋଲିସ ବି ଚୋର ସାଜିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନର ଚିତ୍ର କିଛି ଏମିତି । ବୌଦ୍ଧ ଜିଲ୍ଲାର ମାଧପୁର ଗାଁ ଅଛି ଯେଉଁଠି ୭୦ ପ୍ରତିଶତ ମହିଳା ବିଧବା । କାରଣ ସେ ଗାଁ ଏବେ ପୁରୁଷଶୂନ୍ୟ ହେବାକୁ ବସିଲାଣି । ଦେଶୀ ମଦ ପିଇ ଅକାଳରେ ପୁରୁଷମାନଙ୍କ ମୃତ୍ୟୁ ହେଉଛି । ତେଣୁ ଗାଁର ମହିଳାମାନେ ଜୀବନକୁ ନେଇ ସଙ୍ଘର୍ଷ କରୁଛନ୍ତି । ଇଏ ହେଉଛି ମଦକୁ ନେଇ ଓଡିଶାର ଚିତ୍ର । ମଦ କେମିତି ଜୀବନକୁ, ମଣିଷକୁ ବରବାଦ କରିଦିଏ ତାହା ସମସ୍ତେ ଜାଣିଛନ୍ତି କିନ୍ତୁ ସମସ୍ତେ ଅବୁଝା ।

୨୦୧୭ରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ନିଷ୍ପତ୍ତି ସାରା ଦେଶକୁ ଚକିତ କରିଦେଇଥିଲା । ବିହାରକୁ ମଦମୁକ୍ତ କରିବାକୁ ନିତୀଶ ଘୋଷଣା କରିଥିଲେ । ଯାହା ଦେଶର ଅନ୍ୟରାଜ୍ୟକୁ ଏକ ବଡ ବାର୍ତ୍ତା ଯାଇଥିଲା । ସେପଟେ ସୁପ୍ରିମକୋର୍ଟ ବି ନିର୍ଦ୍ଦେଶ ଦେଇଛନ୍ତି ମଦ ଉପରେ ରାଜ୍ୟ ସରକାର ଚାହିଁଲେ କଡା କାର୍ଯ୍ୟାନୁଷ୍ଠାନ ନେଇପାରିବେ । ହେଲେ ଏତେ ସବୁ ପରେ କେହି ଶୁଣୁନାହାନ୍ତି । ମଦ ସେମିତି ବିକ୍ରି ହେଉଛି, ମୃତ୍ୟୁହାର ସେମିତି ବଢୁଛି । ଟିକସ ଆଦାୟ ସ୍ୱାର୍ଥରେ ସରକାର ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଲୋକେ ବି ସମପରିମାଣରେ ଦାୟୀ । ଗୋଟିଏ ହାତରେ ତାଳି ବାଜେନି । ଘରେ ଘରେ ଯଦି ମଦ ବିରୋଧୀ ଆନ୍ଦୋଳନ ଚାଲନ୍ତା । ଘରକୁ ନିଶାରେ ଫେରୁଥିବା ବ୍ୟକ୍ତିଙ୍କୁ ଯଦି ମହିଳା ପ୍ରତିବାଦ କରନ୍ତା ତେବେ ଗୋଟିଏ ଘରୁ, ଗୋଟିଏ ଗାଁ, ଆଉ ଗାଁରୁ ସହର ଏମିତି ସାରା ରାଜ୍ୟରେ ମଦ ପାଇଁ ଏକ ସ୍ୱର ସକ୍ରିୟ ହୁଅନ୍ତା । ଆଉ ଦିନେ ନା ଦିନେ ମଦ ଏ ରାଜ୍ୟରେ ବନ୍ଦ ହୁଅନ୍ତା । ମଦ ପାଇଁ ସ୍ୱାମୀ ହରାଇଥିବା ସ୍ତ୍ରୀ, ବାପା ହରାଇଥିବା ପିଲା ପଚାରୁଛି ସରକାର ! ଏ ତମ ରାଜ୍ୟରେ ମଦ ବନ୍ଦ ହେବ କେବେ ? ତେବେ ନୀତିଶଙ୍କ ପରି ଯଦି ନବୀନ ମଦମୁକ୍ତ ଓଡିଶା ଉପରେ ଜୋର ଦିଅନ୍ତେ ତାହାଲେ ଓଡିଶା ବି ହୁଅନ୍ତା ନିଶାମୁକ୍ତ ରାଜ୍ୟ । ଯାହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ହୁଅନ୍ତା ଏକ ବିରାଟ ଶ୍ରଦ୍ଧାଞ୍ଜଳୀ…

Get real time updates directly on you device, subscribe now.

Leave A Reply

Your email address will not be published.