THE BYAPINI

ସରକାରଙ୍କ ଇଜ୍ଜତ ତଳେ ପକାଇଲେଣି କି ଅଚ୍ୟୁତ?

Get real time updates directly on you device, subscribe now.

କିଟ୍ ଓ କିସ୍ ପାଇଁ ତାଳି, ସରକାରଙ୍କୁ ଗାଳି । କିଟ୍ ଓ କିସ୍ ନାଁ ଉପରକୁ ଉଠିଲା, ସରକାରଙ୍କ ନାଁ ତଳେ ପଡିଲା । ସରକାରଙ୍କୁ ଅକଳରେ ପକାଇଲାଣି କି ଅଚ୍ୟୁତଙ୍କ ହାତଗଢା କିଟ୍ ଓ କିସ୍ । ଏଭଳି ଏକ ଚର୍ଚ୍ଚା ଏଥିପାଇଁ ଆରମ୍ଭ ହୋଇଛି କାରଣ ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଯେଉଁ ମତ ମନ୍ତବ୍ୟ ରଖିଲେ ତାହା ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ବଡ ପ୍ରଶ୍ନବାଚୀ ଛିଡା କରିଛି । କେବଳ ଯେ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ତାହା ନୁହେଁ ବରଂ ଘରୋଇ ଶିକ୍ଷାନୁଷ୍ଠାନ କିଟ୍ ଓ କିସ୍ ପାଇଁ ସୁର ଦେଇଥିବା ସାର୍ଟିଫିକେଟ ସରକାରଙ୍କ ପାଇଁ ଏକପ୍ରକାର ସଙ୍କଟ ବଢାଇଛି । ଆଉ ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ଯେ, ସରକାରଙ୍କ ଇଜ୍ଜତ ପକାଇଲେଣି ଅଚ୍ୟୁତ୍ ।

ଅଚ୍ୟୁତ ସାମନ୍ତ । ବିଜେଡିର କନ୍ଧମାଳ ସାଂସଦ ତଥା ପାୱାର କରିଡରରେ ଦବଦବା ରଖିଥିବା ଚେହେରା । ରାଜନୀତିରେ ତାଙ୍କର ଆଉ ଏକ ଉପଲବ୍ଧି ହେଉଛି ବିଜେଡିରେ ସକାଳେ ମିଶି ସନ୍ଧ୍ୟାରେ ରାଜ୍ୟସଭା ପାଇଁ ଟିକେଟ ହାତେଇଥିବା ବ୍ୟକ୍ତିତ୍ୱ । ବିଜେଡି ପରିବାରରେ ଖୁବ କମ ଦିନ ହେବ ମିଶିଥିଲେ ମଧ୍ୟ ଦଳର ସୁପିମୋ ତାଙ୍କୁ ଅନେକ ସୁଯୋଗ ଦେଇଛନ୍ତି । କେତେବେଳେ ରାଜ୍ୟସଭା ତ ପୁଣି କେତେବେଳେ ଲୋକସଭା । ତେବେ ରାଜନୀତିରେ ଆସିବା ପୂର୍ବରୁ ଅଚ୍ୟୁତ ଜଣେ ନାମକରା ଶିକ୍ଷାବିତ୍ ଭାବେ ରାଜ୍ୟ ସମେତ ଦେଶରେ ପରିଚିତ । ନିଜର ହାତଗଢା କିସ୍ ଓ କିଟ୍ ପାଇଁ ପୂରା ରାଜ୍ୟରେ ଅଚ୍ୟୁତ ଜଣାଶୁଣା । କିନ୍ତୁ ଅଚ୍ୟୁତଙ୍କ ଏହି ଶିକ୍ଷାନୁଷ୍ଠାନ ରାଜ୍ୟ ସରକାରଙ୍କ ଗୌରବ ବଢାଉଛି ନା ସରକାରଙ୍କ ପାଇଁ ନୂଆ ସଙ୍କଟ ହୋଇ ଛିଡା ହୋଇଛି ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଅଚ୍ୟୁତଙ୍କ ଏହି ଦୁଇ ଘରୋଇ ଶିକ୍ଷାନୁଷ୍ଠାନ ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି କରିଛି । ଶାସକ ଦଳରେ ଥିବା ଅଚ୍ୟୁତଙ୍କ ହାତଗଢା ଘରୋଇ ଶିକ୍ଷାନୁଷ୍ଠାନ, ଏବେ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଛିଡା କରାଇବାରେ ବିରୋଧୀଙ୍କୁ ସୁଯୋଗ ଆଣିଦେଇଛି । ଯେଉଁଥିପାଇଁ ବିଧାନସଭାରେ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ଟିପ୍ପଣୀ ଦେଉ ଦେଉ ସୁର କହିଛନ୍ତି, ଯଦି ମେଡିକାଲ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ବାହାର କରିବାକୁ ଚାହୁଁଛ ତେବେ ଅଚ୍ୟୁତଙ୍କ ଦୁଇ ଶିକ୍ଷାନୁଷ୍ଠାନ ଯାଇ ଅନୁଧ୍ୟାନ କର । ସରକାରୀ ଶିକ୍ଷାନୁଷ୍ଠାନର ମୂଳଦୁଆ ଠିକ୍ ନାହିଁ । ଯେଉଁଠି ବିଜ୍ଞାନଗାରାଟିଏ ଠିକ୍ ନାହିଁ, ବିଜ୍ଞାନ ଶିକ୍ଷକଟିଏ ନାହାନ୍ତି ସେଠାରୁ ଡାକ୍ତର ଓ ଇଞ୍ଜନିୟର କଣ ବାହାରିବେ ବୋଲି ପ୍ରଶ୍ନ କରିଛନ୍ତି ସୁର? ଆଉ ସୁରଙ୍କ ଏହି ବୟାନ ସରକାରୀ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି । ଯାହା ସରକାରଙ୍କୁ ପୂରା ରାଜ୍ୟରେ ନିନ୍ଦିତ କରିଥିବା ବେଳେ ଅଚ୍ୟୁତଙ୍କ ପାଇଁ ଆର୍ଶୀବାଦ ପାଲଟିଛି ।

ଏସବୁ ଭିତରେ ପ୍ରଶ୍ନ ଉଠୁଛି ଶିକ୍ଷା କ୍ଷେତ୍ରରେ କଣ ସରକାରଙ୍କ ବ୍ୟବସ୍ଥା ଠାରୁ ଅଚ୍ୟୁତ ସାମନ୍ତ ଭଲ ବ୍ୟବସ୍ଥା କରିଛନ୍ତି । ବିରୋଧୀଙ୍କ ଦାବି ଅନୁଯାୟୀ ଯଦି ହଁ, ତେବେ ସରକାରଙ୍କୁ ଏହି ବ୍ୟବସ୍ଥା ବାବଦରେ ଅବଗତ କରାଇବା କଣ ଉଚିତ୍ ବୋଲି ଭାବୁନାହାନ୍ତି କି ଅଚ୍ୟୁତ୍ । ନା ନିଜ ଶିକ୍ଷାନୁଷ୍ଠାନର ଚାହିଦା କମିଯିବାର ଭୟ ରହିଛି ଅଚ୍ୟୁତଙ୍କ ମନରେ? ଶାସକ ଦଳରେ ଥିବା ସତ୍ତ୍ୱେ ମଧ୍ୟ ଏ ପ୍ରସଙ୍ଗରେ ମୁହଁ ନ ଖୋଲିବା କଣ ସଂକେତ ଦେଉଛି? ନିଜକୁ ସରକାରଙ୍କ ଠାରୁ ବଡ ବୋଲି ପ୍ରତିପାଦିତ କରିବାକୁୁ ସୁଯୋଗ ଖୋଜୁଛନ୍ତି କି ସାଂସଦ ଅଚ୍ୟୁତ? ଅଚ୍ୟୁତଙ୍କ ହାତଗଢା ଶିକ୍ଷାନୁଷ୍ଠାନ ବିଶ୍ୱସ୍ତରୀୟ ବୋଲି ବାରମ୍ବାର ବିଜ୍ଞାପନ ମାଧ୍ୟମରେ ଡିଣ୍ଡିମ ପିଟାଯାଉଛି । ଏଭଳି କରି ସରକାରୀ ଶିକ୍ଷା ବ୍ୟବସ୍ଥା ପ୍ରତି ସଙ୍କଟ ଛିଡା କରୁନାହାନ୍ତି କି ସାମନ୍ତ? ଯେଉଁଠି ରାଜ୍ୟ ସରକାର, ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୃଦୃଢ କରିବାକୁ ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖିଛନ୍ତି ସେଠି ଘରୋଇ ଶିକ୍ଷାନୁଷ୍ଠାନକୁ ବିରୋଧୀଙ୍କ ପ୍ରଂଶସା ପରେ ମଧ୍ୟ ଚୁପ୍ ରହିବାକୁ କାହିଁକି ଶ୍ରେୟସ୍କର ମଣୁଛନ୍ତି ଅଚ୍ୟୁତ୍ । ନା ଏହାପଛରେ ଅଚ୍ୟୁତଙ୍କର ଆଉ କିଛି ଆଭିମୁଖ୍ୟ ଲୁଚି ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.