THE BYAPINI

ସାବଧାନ! ସତର୍କ ନହେଲେ ଅସମ୍ଭାଳ

Get real time updates directly on you device, subscribe now.

ସାବଧାନ! ସତର୍କ ନହେଲେ ଅସମ୍ଭାଳ ହେବ ସ୍ଥିତି । ପୁଣି ଥରେ ଲୋକଙ୍କ ମନରେ ଛନକା ପଶାଇଲାଣି କରୋନା । ଦେଶରେ ଦୀର୍ଘ ୫ମାସର ବ୍ୟବଧାନ ପରେ ୫୦ ହଜାର ଟପିଛି ସଂକ୍ରମଣ ସଂଖ୍ୟା । ୨୦୨୦ ଅକ୍ଟୋବର ୨୩ ପର ଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ରେକର୍ଡସଂଖ୍ୟକ ୫୩,୪୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି ଭାଇରସ । ନୂଆ ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଗତବର୍ଷ ସେପ୍ଟେମ୍ବର ମଧ୍ୟ ଭାଗରେ କରୋନା ଦେଶରେ ସର୍ବୋଚ୍ଚ ଗତିରେ ଥିଲା। ଏହି ସମୟରେ ଦୈନିକ ସଂକ୍ରମଣ ୫୦ ହଜାର ଉପରେ ରହୁଥିଲା। ଏବେ ପୁଣିଥରେ ଦେଶରେ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୩,୩୬୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୭,୮୭,୫୩୪ରେ ପହଞ୍ଚିଛି। କରୋନା ଭୁତାଣୁ ସଂକ୍ରମଣର ବୃଦ୍ଧି ଫଳରେ ଦେଶରେ ଏବେ ଆକ୍ଟିଭ୍ ମାମଲା ୪ ଲକ୍ଷ ପାଖା ପାଖି ପହଂଚି ଯାଇଛି ।

ସଂକ୍ରମିତଙ୍କ ମଧ୍ୟରୁ ୬୦ ପ୍ରତିଶତ ସଂକ୍ରମିତ କେବଳ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ମହାରାଷ୍ଟ୍ରରେ ୩୧ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ସହର ମାନଙ୍କରେ ସମ୍ପୂର୍ଣ୍ଣ ଲକଡାଉନ ଲଗାଇଛନ୍ତି । ଏହାସହ ପୁଣିଥରେ ଦେଶର ରାଜଧାନୀ ଦିଲ୍ଲୀରେ ବି କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଂଟାରେ ଦିଲ୍ଲୀରେ ୧୨୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ମହାରାଷ୍ଟ୍ର ନୁହେଁ, ଦିଲ୍ଲୀ, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତାମିଲନାଡୁରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏବେଠୁ ସତର୍କ ନହେଲେ ଆଗକୁ ପୁଣି ପୂର୍ବ ପରି ସ୍ଥିତି ଉପୁଜିବା ସହ ସଂକ୍ରମଣ ଲକ୍ଷେ ଛୁଇଁପାରେ ।

Get real time updates directly on you device, subscribe now.

Leave A Reply

Your email address will not be published.