ସମୀକ୍ଷା କରିଦେଲେ ସମସ୍ୟା କମିଯିବ କି?
ଜଳ ଅଛି ତ ଜୀବନ ଅଛି । ବିନା ଜଳରେ ଦୂବ ବି କଅଁଳିବା ଅସମ୍ଭବ । ଆଗକୁ ତାତି ବଢିବ ଓ ଜଳ ସଂକଟ ମଧ୍ୟ ଦେଖାଦେବ । ପ୍ରତିବର୍ଷ ମାର୍ଚ୍ଚ ୨୨କୁ ଜଳ ଦିବସ ରୂପେ ପାଳନ କରାଯାଇଥାଏ । ସୋସିଆଲ ମିଡିଆରେ ଅନେକ ସେଭ ୱାଟର ଭଳି ଅନେକ ନାରା ବି ଦେଖିବାକୁ ମିଳିଥାଏ । ସରକାର ମଧ୍ୟଜଳକୁ ସମୀକ୍ଷା କରିବା ସହ ନିଜ ସଫଳତା କହିଥାନ୍ତି । ହେଲେ ଦେଶର ଓ ରାଜ୍ୟର ଅନେକ ସ୍ଥାନ ଅଛି ଯେଉଁଠି ପାଣି ମୁନ୍ଦେ ପାଇଁ ଲୋକେ ଡହଳ ବିକଳ ହୋଇଥାନ୍ତି । ଟୋପେ ପାଣି ପାଇଁ ରାତି ଦିନ ସଂଘର୍ଷ କରିଥାନ୍ତି । କିନ୍ତୁ ସେମାନଙ୍କ ପାଖରେ ଆଜି ବି କିଛି ସୁବିଧା ପହଚିଂପାରିନି । ସରକାର ପାନୀୟ ଜଳ ପାଇଁ କେତେ ଯୋଜନାକ କରୁଛନ୍ତି । ବିଶୁଦ୍ଧ ଜଳ ପାଇଁ ରାଜ୍ୟ ସରକାର ବସୁଧା ଯୋଜନା କରୁଥିଲେ ବି ଅନେକ ଅଂଚଳରେ ଏହା ଅପହଂଚ । ତେଣୁ ଏଠି ପ୍ରଶ୍ନ ଉଠୁଛି ସରକାର କଣ ସମୀକ୍ଷା କରିଦେଲେ ସମସ୍ୟା ଦୂର ହୋଇଯିବ କି ?
ବର୍ଷ ତମାମ ରାଜ୍ୟରୁ ଅନେକ ଜଳ ଯନ୍ତ୍ରଣାର କାହାଣୀ ଆସେ । ଗଣମାଧ୍ୟମରେ ପ୍ରସାରଣ ହୁଏ । ସୋସିଆଲ ମିଡିତଆରେ ଭାଇରାଲ ହୁଏ । ହେଲେ ସରକାର କେଉଁଠି ସଂଗେ ସଂଗେ ପହଚିଂଯାନ୍ତି ତା କେଉଁଠି ପହଚିଂପାରନ୍ତି ନାହିଁ ମାର୍ଚ୍ଚ ୨୨ ବିଶ୍ୱ ଜଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଂଚଳ ଓ ଗ୍ରାମାଂଚଳର ପାନୀୟ ଜଳ ଯୋଗାଣ ନେଇ ସମୀକ୍ଷା କରି ଜଳ ଯୋଗାଣରେ ଏଚ୍ଛ ପ୍ରତିଶ୍ରୁତି ପ୍ରମାଣପତ୍ର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହଟସ୍ପଟ ଅଂଚଳ ଚିହ୍ନଟ ସହ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।ଏହା ସହ ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଅଭିଯୋଗର ଶୁଣାଣୀ ପାଇଁ ଏକ ତ୍ରୁଟି ଶୂନ୍ୟ ଅଭିଯୋଗର ଶୁଣାଣୀ ବ୍ୟବସ୍ଥା କରିବାକୁ କୁହାଯାଇଛି । ଗ୍ରାମାଚଂଳରେ ୧୭ ହଜାର କୋଟି ଟଙ୍କାର ୮୯ଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏବଂ ୨୦୨୪ ସୁଦ୍ଧା ସବୁ ଗ୍ରାମ୍ୟ ପରିବାରକୁ ଶତ ପ୍ରତିଶତ ପାଇପ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କୁହାଯାଇଛି । ଆଗକୁ ତାତି ବଢିବ ତେଣୁ ଏବେଠୁ ଜଳଯୋଗାଣ ନେଇ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
କିନ୍ତୁ ରାଜ୍ୟରେ ଏବେ ବି ଅନେକ ଅଂଚଳ ଅଛି ଯେଉଁଠି ପାଣି ପାଇଁ ଦେଖାଦିଏ ହାହାକାର ପରିସ୍ଥିତି । ଅନେକ ଜିଲ୍ଲା ଅଛି ଯେଉଁଠି ପାନୀୟ ଜଳ ସମସ୍ୟା ଯୁଗ ଯୁଗରୁ ଦେଖାଦେଉଛି । କିନ୍ତୁ ଆଜି ଯାଏ ବି ସେମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ହୋଇପାରିନି । ଟୋପେ ପାଣି ପାଇଁ ସେମାନଙ୍କୁ ମାଇଲ ମାଇଲ ଦୂର ଯିବାକୁ ପଡୁଛି । ରାତି ପାହିଲେ ଲୋକେ ପାଣି ପାଇଁ ହନସନ୍ତ ହୁଅନ୍ତି । ପୂର୍ବରୁ ବି ସରକାର ଗ୍ରାମାଂଚଳରେ ଓ ଅପହଂଚ ଅଂଚଳରେ ପାନୀୟ ଜଳ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଲୋକେ କେତେଦୂର ଏହାର ସୁବିଧା ପାଇଛନ୍ତି ତାହା ବଡ଼ ପ୍ରଶ୍ନ?ତେଣୁ କେବେଳ ସରକାର ସମୀକ୍ଷା କରିଦେଲେ ହେବନି କିଭଳି ଲୋକଙ୍କ ପାଖରେ ଏହାର ସୁବିଧା ପହଚିଂପାରିବ ସେ ନେଇ ପଦକ୍ଷେପ ନେବା ଆବଶ୍ୟକ । କେବେଳ ଯୋଜନା କରିଦେଇ ବସିପଡିଲେ ହେବନି । କାରଣ ଯେଉଁ ଅଂଚଳରେ ପାଣି ନାହିଁ ସେଠି ଜଳର ମୂଲ୍ୟ ଅନେକ ।