କରୋନାକୁ ନିମନ୍ତ୍ରଣ!
ଦେଶରେ ଦ୍ରୁତଗତିରେ ବଢିଚାଲିଛି ସଂକ୍ରମଣ । ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ଆଗକୁ ସତର୍କ ନେହେଲେ ହୁଏତ ସ୍ଥିତି ଭୟଙ୍କର ହୋଇପାରେ । ସରକାର ମଧ୍ୟ କରୋନା ସତର୍କତା ମାନିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି । ହେଲେ ଉତ୍ତର ପ୍ରଦେଶର ଦ୍ୱାରିକାରୁ ଆସିଛି ଏମିତି ଏକ ଚିତ୍ର ଯାହାକୁ ନେଇ ଉଠିଛି ପ୍ରଶ୍ନ ।
ଗୋଟିଏ ଜାଗାରେ ଏକାଠି ହୋଇଛନ୍ତି ହଜାର ହଜାର ଲୋକ । ନା ଅଛି କାହାରି ମୁହଁରେ ମାସ୍କ । ନା ଅଛି ସାମାଜିକ ଦୂରତା । କରୋନା କଟକଣାରେ ହୋଲି ଖେଳିବାକୁ ସରକାର ଗାଇଡଲାଇନ କରିଥିବା ବେଳେ ଏଠାରେ ସମସ୍ତ ଲୋକ କଟକଣାକୁ ବେଖାତିର କରିଦେଇଛନ୍ତି । ହୋଲି ଉତ୍ସବ ପାଳନ ବେଳେ ହଜାର ହଜାର ଲୋକଙ୍କ ସମାଗମ ହୋଇଛି । କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ ଉତ୍ତର ପ୍ରଦେଶର ଦ୍ୱାରିକାରେ ଏଭଳି ସମାଗମ କରୋନାକୁ ନିମନ୍ତ୍ରଣ କରୁନାହିଁ ତ ?
କେବେଳ ଉତରପ୍ରଦେଶ ନୁହେଁ ଦେଶର ଅନେକ ସ୍ଥାନରେ ହୋଲି ପାଳନ ବେଳେ ଏଭଳି ଜନସମାଗମ ଦୃଶ୍ୟ ଦେଖିବାକୁ ମିଳିଛି । କରୋନାର ସଂକ୍ରମଣକୁ ଏଡାଇବା ପାଇଁ ସରକାର ବାହାରେ ହୋଲି ଖେଳିବାକୁ ବାରଣ କରିଥିଲେ । ହେଲେ ଉତ୍ସବ ମନାଇବା ଭିତରେ ଲୋକେ ଯେମିତି ସମସ୍ତ ସରକାରୀ କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି । ଦେଶରେ ଗତ ୨ ଦିନ ହେଲା ୬୨ ହଜାରରୁ ଅଧିକ ଦୈନିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଚଳିତବର୍ଷ ମାର୍ଚ୍ଚ ଆରମ୍ଭରୁ କରୋନାର ସଂକ୍ରମଣ ପୁଣି ଗତବର୍ଷ ଭଳି ଦ୍ରୁତ ବେଗରେ ବୃଦ୍ଧି ପାଉଛି । ଏଥିପାଇଁ ହୋଲିରୁ ଆରମ୍ଭ କରି ଇଦ-ଉଲ-ଫତର ଯାଏଁ ପର୍ବ ପର୍ବାଣୀରେ ଉତ୍ସବ ପାଳନ ଭିତରେ ଭିଡ ନକରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।