THE BYAPINI

ଯୁଦ୍ଧ ଜିତିବାକୁ ଯୁଧିଷ୍ଠିର ଭରସା?

Get real time updates directly on you device, subscribe now.

ପିପିଲି ବ୍ୟାଟଲଗ୍ରାଉଣ୍ଡରେ ହେବ ବଡ ଲଢେଇ । ଉପ-ନିର୍ବାଚନ ପାଇଁ ପିପିଲି ରଣକ୍ଷେତ୍ରକୁ ଓହ୍ଲାଇ ସାରିଲେଣି ୩ ପ୍ରମୁଖ ଦଳର ଯୋଦ୍ଧା । ସବୁଠୁ ବଡ କଥା ହେଲା, ପ୍ରଥମଥର ପାଇଁ ପିପିଲି ବାଜି କିଏ ଜିତିବ ତାହାର ଅନ୍ଦାଜ ଲଗାଇବା ମୁସ୍କିଲ ହୋଇପଡିଛି । ୩ ଦଳର ପ୍ରାର୍ଥୀଙ୍କ ବାବଦରେ ପୂରା ନିର୍ବାଚନମଣ୍ଡଳୀ ଅବଗତ । ତେଣୁ କେଉଁ ଆଧାରରେ ପିପିଲିବାସୀ ନିଜର ବିଧାୟକ ବାଛିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି? ଖାସକରି ବିଜେଡି-ବିଜେପି ମଧ୍ୟରେ ଏଠାରେ ଦ୍ୱିମୁଖୀ ଲଢେଇ ହେବ ବୋଲି କୁହାଯାଉଥିଲେ ମଧ୍ୟ କଂଗ୍ରେସ ମଧ୍ୟ ଚଳିତ ଉପ-ନିର୍ବାଚନରେ ବଡ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛି । କିନ୍ତୁ ପିପିଲି ଯୁଦ୍ଧ ଜିତିବାକୁ ଯେଉଁ ବ୍ୟକ୍ତିଙ୍କୁ ଅଧିକ ଖୋଜା ପଡିବ ସେ ହେଉଛନ୍ତି ଯୁଧିଷ୍ଠିର ସାମନ୍ତରାୟ । ଯୁଧିଷ୍ଠିରଙ୍କ ବିନା ପିପିଲି ହାତେଇବା ସହଜ ନୁହେଁ ବୋଲି ଏ ବାବଦରେ ବେଶ ଭଲଭାବେ ଅବଗତ ଅଛନ୍ତି ୩ ଦଳ । ତେବେ ଯୁଧିଷ୍ଠିର କିଏ ଓ ପିପିଲି ଉପ-ନିର୍ବାଚନରେ କଣ ତାଙ୍କର ଭୂମିକା ରହିବ ସେ ବାବଦରେ ଜାଣିବାର ଆବଶ୍ୟକତା ରହିଛି ।

ପିପିଲି ଫାଇଟ ପାଇଁ ବିଜେଡି ରୁଦ୍ର, ବିଜେପି ଆଶ୍ରିତ ଓ କଂଗ୍ରେସ ଅଜିତଙ୍କ ନାଁରେ ମୋହର ମାରିଛି । କିନ୍ତୁ ଯୁଧିଷ୍ଠିର କୌଣସି ଦଳରୁ ପ୍ରାର୍ଥୀ ହୋଇନଥିଲେ ମଧ୍ୟ ଉପ-ନିର୍ବାଚନରେ ନେବେ ନିର୍ଣ୍ଣାୟକ ଭୂମିକା । କାରଣ ଯୁଧିଷ୍ଠିରଙ୍କ ପଛରେ ଏବେ ବି ରହିଛି ବଡ ଭୋଟବ୍ୟାଙ୍କ । ଯାହାକୁ ହାତେଇବା ଅର୍ଥ ପିପିଲି ଲଢେଇରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଦୁଇ ପାଦ ଆଗରେ ରହିବା । କାରଣ ଦୀର୍ଘ ଦୁଇ ଦଶନ୍ଧି ହେବ ବିଜେଡିର ଗଡ ରହି ଆସିଥିବା ପିପିଲିରେ ମହାରଥୀଙ୍କୁ ଚ୍ୟାଲେଞ୍ଜ ଦେଇ ଆସୁଥିଲେ ଯୁଧିଷ୍ଠିର । ପ୍ରତି ନିର୍ବାଚନରେ ମହାରଥୀଙ୍କ ସହଜ ବିଜୟକୁ କଷ୍ଟସାଧ୍ୟ କରୁଥିଲେ ଯୁଧିଷ୍ଠିର । ତେଣୁ ଯୁଧିଷ୍ଠିରଙ୍କ ନାଁରେ ପିପିଲିରେ କିଛି ପାରମ୍ପରିକ ଭୋଟବ୍ୟାଙ୍କ ରହିଛି । ଯାହାକୁ ହାତେଇବା ପାଇଁ ଏବେ ୩ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ଦୀର୍ଘ ୨ ଦଶନ୍ଧି ହେବ ପିପିଲି ବିଜେଡି ଗଡ ଭାବେ ପରିଚିତ ରହିଛି । ଆଉ ଏହି ଗଡକୁ ସମ୍ଭାଳି ରଖିଥିଲେ ପ୍ରଦୀପ । କିନ୍ତୁ ପ୍ରଦୀପଙ୍କ ଅବର୍ତ୍ତମାନରେ ପିପିଲି ଗଡକୁ ବଞ୍ଚାଇ ରଖିବା ବିଜେଡି ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ନିର୍ବାଚନୀ ମୈଦାନକୁ ପୁଅ ରୁଦ୍ର ମହାରଥୀ ଓହ୍ଲାଇଥିଲେ ମଧ୍ୟ ଭୋଟ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ । ତେଣୁ ଏଭଳି ସମୟରେ ଦଳ ଅନୁଭବୀ ଯୁଧିଷ୍ଠିରଙ୍କ ସାହାଯ୍ୟ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଗତ ୨୦୧୯ ନିର୍ବାଚନରେ ଯୁଧିଷ୍ଠିର କଂଗ୍ରେସରୁ ମିଳିଥିବା ଟିକେଟ ଫେରାଇ ଦେଇ ନିର୍ବାଚନ ନ ଲଢିବା ପାଇଁ ନିଷ୍ପତି ନେଇଥିଲେ । ଯାହା ଉଭୟ ମହାରଥୀ ଓ ବିଜେଡି ପାଇଁ ବିଜୟୀ ବରଦାନ ସାବ୍ୟସ୍ତ ହୋଇଥିଲା । ଯୁଧିଷ୍ଠିର ନିର୍ବାଚନ ନ ଲଢିବା ଫଳରେ କଂଗ୍ରେସର କିଛି ଭୋଟ ବିଜେଡି ଭୋଟବ୍ୟାଙ୍କରେ ପଡିଥିଲା । ଏପରିକି ପିପିଲିରେ ଚର୍ଚ୍ଚା ହୋଇଥିଲା ଯେ, ମହାରଥୀଙ୍କୁ ପରୋକ୍ଷରେ ସାହାଯ୍ୟ କରିବାକୁ ନିର୍ବାଚନରୁ ଓହରିଥିଲେ ଯୁଧିଷ୍ଠିର ।

ସେହିଭଳି ଯୁଧିଷ୍ଠିର ୨୦୧୯ ନିର୍ବାଚନ ନ ଲଢିବା ବିଜେଡିକୁ ଯେତିକି ଫାଇଦା ଦେଇଥିଲା ବିଜେପିକୁ ତାହା ଠାରୁ ଅଧିକ ଫାଇଦା ଆଣି ଦେଇଥିଲା । ବିଜେପିର ଭୋଟହାର ୨୦୧୪ ତୁଳନାରେ ୧୦ ଗୁଣା ଅଧିକ ବଢି ଯାଇଥିଲା । ୨୦୧୪ରେ ମାତ୍ର ୭ ହଜାର ଭୋଟ ପାଇଥିବା ବିଜେପି ୨୦୧୯ରେ ୭୦ ହଜାର ପ୍ଲସ ଭୋଟ ପାଇଥିଲା । ତେଣୁ ଏଥର ମଧ୍ୟ ଯୁଧିଷ୍ଠିରଙ୍କ କ୍ୟାମ୍ପର ଭୋଟବ୍ୟାଙ୍କ ଉପରେ ବିଜେପିର ନିଶ୍ଚୟ ନଜର ରହିବ । ସେହିଭଳି ୨୦୧୯ରେ କଂଗ୍ରେସ ଟିକେଟ ଫେରାଇଥିଲେ ମଧ୍ୟ ଦଳ ସହ ପୁରୁଣା ସମ୍ପର୍କ ରହିଥିବାରୁ ଯୁଧିଷ୍ଠିରଙ୍କ ଭୋଟବ୍ୟାଙ୍କକୁ ହାତେଇବାକୁ ପ୍ରୟାସ କରିବ ହାତ ।

କିନ୍ତୁ ଯୁଧିଷ୍ଠିରଙ୍କ ରାଜନୈତିକ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ମହାରଥୀଙ୍କ ବ୍ୟତୀତ ଅଜିତ ଓ ଆଶ୍ରିତ ମଧ୍ୟ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ରହି ସାରିଛନ୍ତି । ଏପରିକି ପୂର୍ବ ନିର୍ବାଚନ ଗୁଡିକରେ ଅଜିତ ଓ ଆଶ୍ରିତଙ୍କ ପାଇଁ ପରାଜୟର ସ୍ୱାଦ ଚାଖିଥିବା ଯୁଧିଷ୍ଠିର ଚଳିତ ନିର୍ବାଚନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିବାର ଆଶା ଯଥେଷ୍ଟ କମ । ଅନ୍ୟପଟେ ମହାରଥୀଙ୍କ ନିକଟରୁ ବାରମ୍ବାର ପରାଜିତ ହୋଇଥିଲେ ମଧ୍ୟ ୨୦୧୯ ନିର୍ବାଚନରେ ତାଙ୍କ ବିପକ୍ଷରେ ନ ଲଢିବା କେଉଁଠି ନା କେଉଁଠି ଭିନ୍ନ ଏକ ସଂକେତ ଦେଇଥିଲା । ଏପରିକି ଗତ ନିର୍ବାଚନରେ ମହାରଥୀଙ୍କୁ ଯୁଧିଷ୍ଠିରଙ୍କ ସହଯୋଗ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଯଦି ସତ୍ୟତା ଥାଏ ତେବେ ରୁଦ୍ରଙ୍କୁ ମଧ୍ୟ ସମାନ ଫର୍ମୁଲା ଆପଣାଇବାକୁ ପଡିବ ।

ପିପିଲି ପଲିଟିକ୍ସରେ ଏବେ ଯୁଧିଷ୍ଠିରଙ୍କ ଗୁରୁତ୍ୱ ଯଥେଷ୍ଟ ବଢିଯାଇଛି । ଭୋଟ ରାଜନୀତିରୁ ଦୂରେଇ ରହିଥିଲେ ମଧ୍ୟ ଯୁଧିଷ୍ଠିରଙ୍କ ନାଁରେ ବଡ ଭୋଟବ୍ୟାଙ୍କ ରହିଛି ଏକଥାକୁ ଗ୍ରହଣ କରିବାକୁ ପଡିବ । ତେଣୁ ପିପିଲି ଯୁଦ୍ଧ ଜିତିବାକୁ ହେଲେ ଯୁଧିଷ୍ଠିର ହିଁ ଏକମାତ୍ର ଭରସା ତାହା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ବୁଝିବାକୁ ପଡିବ । ଯୁଧିଷ୍ଠିରଙ୍କ ବିନା ଯୁଦ୍ଧ ଜିତିବା ସହଜ ନୁହେଁ ଏଭଳି କିଛି ଚର୍ଚ୍ଚା ଏବେ ପିପିଲି ଭୋଟରଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ତେଣୁ ଯୁଧିଷ୍ଠିରଙ୍କୁ କିଏ ନିଜ ସପକ୍ଷରେ ନେବାକୁ ସକ୍ଷମ ହେଉଛି ତାହା ଦେଖିବା ବାକି ରହିଲା ।

Get real time updates directly on you device, subscribe now.

Leave A Reply

Your email address will not be published.