THE BYAPINI

‘ମେଟ୍ରୋ ଟ୍ରେନ୍ ପାଇଁ ମିଛ କୁହାଇଛନ୍ତି ସରକାର’

Get real time updates directly on you device, subscribe now.

କଟକ –ଭୁବନେଶ୍ୱର ଟୁଇନ ସିଟିରେ ମେଟ୍ରୋ ଟ୍ରେନ ଚଳାଇବା ନେଇ ଯେଉଁ ସ୍ୱପ୍ନ ଦେଖାଯାଉଥିଲା ତାହା ଏବେ ମଉଳିଯାଇଛି । ଏଥିପାଇଁ ଆମକୁ ୨୦୪୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଟୁଇନ୍ ସିଟିରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବା ପ୍ରସଙ୍ଗରେ ବିଧାନସଭାରେ ଆଜି ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ଉତ୍ତର ରଖିବା ପରେ ଉଭୟ ବିଜେପି ଓ କଂଗ୍ରେସ କଡ଼ାଭାଷାରେ ସମାଲୋଚନା କରିଛନ୍ତି।

କେଇ ମିନିଟ ଭିତରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନର ପହଚାଂଇଦେଉଥିବା ମେଟ୍ରୋ ଟ୍ରେନ ଓଡ଼ିଶାରେ ଦେଖିବାକୁ ଆହୁରି ଦୁଇ ଦଶନ୍ଧିରୁ ଅଧିକ ସମୟ ଲାଗିବ । ଆଜି ପ୍ରଶ୍ନକାଳରେ ମେଟ୍ରୋ ଟ୍ରେନ୍ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖି କହିଛନ୍ତି ୨୦୪୧ ପର୍ୟ୍ୟନ୍ତ ଟୁଇନ୍ ସିଟିରେ ମେଟ୍ରୋ ରେଳ ଗଡ଼ିବା ଅସମ୍ଭବ । ଜନସଂଖ୍ୟା ଆଧାରରେ ସର୍ଭେ ଅନୁସାୟୀ ଫିଜିବିଲିଟି ନଥିବାରୁ ଏହାକୁ ଆଗକୁ ବଢ଼ାଯାଇ ପାରୁନି ।

କଟକ ଓ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଚଳାଇବା ପାଇଁ ହୋଇଥିବା ଫିସିବିଲିଟି ରିପୋର୍ଟ କହୁଛି ମେଟ୍ରୋ ଟ୍ରେନ, ଏବେ ନୁହେଁ କି ୨୦୪୧ ପର୍ୟ୍ୟନ୍ତ ନୁହେଁ । ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ଓ କଟକରେ ମେଟ୍ରୋ ରେଳ ଚାଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ କି ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ । ଭୁବନେଶ୍ୱର କଟକରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ଟେଣ୍ଡର ହୋଇଥିଲା । ଏଥିପାଇଁ ୫ଟି କଂପାନୀ ଭାଗ ନେଇଥିଲେ । ବାଲାଜୀ ରେଲ୍ ଆଣ୍ଡ ରୋଡ୍ ବର୍ଷାଲିକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା । ଜନସଂଖ୍ୟା ଆଧାରରେ ସର୍ଭେ ଅନୁସାୟୀ ଫିଜିବିଲିଟି ନଥିବାରୁ ଏହାକୁ ଆଗକୁ ବଢ଼ାଯାଇ ପାରୁନି । ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଟଙ୍କା ଦେଇଥିବା ବେଳେ କଂପାନୀକୁ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ଦେଇଥିଲେ । ତେବେ ଗୃହର ଅନ୍ୟ ସଦସ୍ୟମାନେ ପୁଣି ଥରେ ଏହି ସର୍ଭେ କରିବା ପାଇଁ ଦାବି ରଖିଛନ୍ତି । ସଦସ୍ୟଙ୍କ ଦାବି ପରେ ପୁଣିଥରେ ସର୍ଭେ ପାଇଁ କେନ୍ଦ୍ର ପାଖରେ ଦାବି ହେବ। ଏଥିରେ କଟକରୁ ଚଣ୍ଡିଖୋଲ ଓ ଭୁବନେଶ୍ୱରରୁ ପୁରୀ,ଭୁବନେଶ୍ୱରରୁ ଖୋର୍ଦ୍ଧା ପର୍ୟ୍ୟନ୍ତ ଏହାକୁ ସମ୍ପ୍ରସାରଣ କରିବାର ପ୍ରସ୍ତାବ ରହିବ ବୋଲି ମନ୍ତ୍ରୀ କହିଥିଲେ ।

ସର୍ଭେ ରିପୋର୍ଟ ମିଳିଥିବା ସମ୍ପର୍କରେ ସୂଚନା ଦେବାପରେ ବିରୋଧୀ ଦଳ ନେତା ଶ୍ରୀ ନାଏକ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ବିଜେଡି ସରକାର ଭୋଟ୍ ପାଇବା ପାଇଁ ରାଜ୍ୟପାଳଙ୍କ ମୁହଁରେ ମେଟ୍ରୋ ଟ୍ରେନ୍ ନେଇ ବିଧାନସଭାରେ ମିଛ କୁହାଇଛନ୍ତି । ଖାଲି ସେତିକି ନୁହେଁ ବିଜେଡି ତା’ର ୨୦୧୯ ନିର୍ବାଚନ ଇସ୍ତାହାରରେ ମଧ୍ୟ କେମିତି ଏହି ପ୍ରସଙ୍ଗକୁ ସାମିଲ କରିଥିଲା। ଯଦି ସରକାର ଜାଣିଶୁଣି ଏହା କରିଛନ୍ତି ତା’ହେଲେ ବିଜେଡି ସ୍ୱୀକାର କରୁଛି ଯେ ସେମାନେ ଭୋଟ୍ ପାଇବା ପାଇଁ ଏଭଳି କହିଥିଲେ ବୋଲି ଶ୍ରୀ ନାଏକ କଟାକ୍ଷ କରି କହିଛନ୍ତି। ସେହିପରି ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ବିରୋଧୀ ଦଳ ନେତାଙ୍କୁ ସମର୍ଥନ କରିଥିଲେ । ମେଟ୍ରେ ଟ୍ରେନ ଚଳାଚଳ ପାଇଁ ସର୍ଭେ କାର୍ୟ୍ୟ ପୁଣିଥରେ କରିବା ପାଇଁ ଗୃହର ଅନ୍ୟ ସଦସ୍ୟମାନେ ଦାବି କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.