ବାପା ! ତମେ ଭାରି ମନେପଡୁଛ…
ଏଇ କାଲି ପରି ଲାଗୁଛି । ମୁଁ ଟିକିଟେ ହେଇଥିଲି । ଡାଇନିଂ ଟେବୁଲରେ ବସି ଖାଇବାର ମୋର ବୟସ ହୋଇନଥିଲା କି ହାତ ବି ପାଉ ନଥିଲା । ତେଣୁ ତମେ ତମ ପାଖରେ ବସେଇ ମତେ ଖୁଆଇ ଦେଉଥିଲ । ଭାତ, ଡାଲି, ମାଂସ, ସାଲାଡ ନିଜ ହାତରେ ଖୁଆଇ ଦେଉଥିଲ । ଆଉ ମୁଁ ଏଡେ ବଡ ଆଁଟେ କରି ଖାଇଦେଉଥିଲି । କାଳେ ପେଟ ପୂରି ନଥିବ ତେଣୁ ମୁଁ ମନା କରିବା ପରେ ବି ତମେ ଜବରଦସ୍ତ ଖୁଆଇଦିଅ । ପିଲାଦିନର ଗୋଟି ଗୋଟି କଥା ମନେପଡୁଛି ବାପା, ସବୁ ମନେପଡୁଛି…

ସମୟ ବଦଳିଯାଇଛି ଆଜି ମୁଁ ଅଛି ହେଲେ ତମେ ନାହଁ । ତମ କୁନି ପୁଅ ରୁଦ୍ର ଆଜି ତମ ପ୍ରତିନିଧି ହୋଇ ଛିଡା ହୋଇଛି । ପିପିଲି ଲଢେଇରେ ତମ ଜାଗାରେ ମତେ ବଛାଯାଇଛି । ତମେ ଗଲା ପରେ ତମ ସ୍ୱପ୍ନକୁ ମୁଁ ପୂରା କରିବାକୁ ମୋ କାନ୍ଧରେ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜାଣିଛ ବାପା ପ୍ରଚାର କଲା ବେଳେ ଅନେକ ବୁଢାବୁଢୀ ମଉସା ମାଉସୀମାନେ ମୋ ଭିତରେ ତମକୁ ଖୋଜୁଛନ୍ତି । ଜଣେ ବୁଢୀମାଉସୀ ତମେ ଭାବି ମୋତେ କୁଣ୍ଢେଇପକାଇଲା । ସତରେ ବାପା ତମ ଭଳି ମୁଁ ଲୋକଙ୍କ ସେବା କରିବାକୁ ଚେଷ୍ଟା କରିବି । ଉପରେ ଥାଇ ମତେ ଆଶୀର୍ବାଦ ଦିଅ ବାପା ବିଜୟ ପାଇଁ ତମ ଆଶିଷ ଦିଅ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ପିପିଲିର ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପିଲାଦିନର ଫଟୋ । ଯେଉଁଠି ବାପା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସହ ପିଲାବେଳର କିଛି ଫଟୋ ସୋସିଆଲ ମିଡିଆରେ ଘୂରିବଲୁଛି । ବିଜେଡି ଜୁନିୟର ମହାରଥୀଙ୍କୁ ପିପିଲି ଟିକେଟ ଦେବା ପରେ ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବାକୁ କହିଥିଲେ । ଆଉ ତାପରେ ବାପାଙ୍କ ସହ ଥିବା ରୁଦ୍ରଙ୍କର ଏହି ସବୁ ଫଟୋ ଭିନ୍ନ ଭିନ୍ନ ହାସଟ୍ୟାଗରେ ଟ୍ରେଣ୍ଡ ହେଉଛି । ପ୍ରଦୀପ ମହାରଥୀଙ୍କ ଦେହାନ୍ତର ୨୭ ଦିନ ପରେ ଫେସବୁକରେ ବାପାଙ୍କ ସହ ପିଲାଦିନର ଫଟୋ ପୋଷ୍ଟ କରିଥିଲେ ରୁଦ୍ର । ଆଉ ଲେଖିଥିଲେ ମିସ ୟୁ ବାବା । ତମ ବିନା ଗୋଟେ ମୁହୂର୍ତ୍ତ ବି ବଞ୍ଚିବା କଷ୍ଟକର… ୩୦ ଅକ୍ଟୋବରରେ ପୋଷ୍ଟ କରିଥିବା ଫଟୋରେ ପ୍ରଦୀପ ମହାରଥୀ ରୁଦ୍ରଙ୍କୁ ଖୁଆଇ ଦେଉଛନ୍ତି । ଯାହା ଏବେ ଭାଇରାଲ ହେଉଛି ।

ପିତୃ ଦିବସରେ ବାପାଙ୍କ କୋଳରେ ବସିଥିବା ଫଟୋ ବି ଏବେ ନିର୍ବାଚନ ପାଇଁ ରୁଦ୍ରଙ୍କ ସପକ୍ଷରେ ଭାଇରାଲ ହେଉଛି । ବାପାମାଆ ଭାଇ ଭଉଣୀ ଥିବା ଅନ୍ୟ ଏକ ଫଟୋରେ ବି ପିଲା ବେଳର ରୁଦ୍ର ଆଜି ପିପିଲିର ମଙ୍ଗ ଧରିବାକୁ ଯାଉଛନ୍ତି ବୋଲି କେହି କେହି ଲେଖି ରୁଦ୍ରଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଆଉ ୟାରି ଭିତରେ ନାମାଙ୍କନ ଭରି ସାରି ପ୍ରଚାରକୁ ଓହ୍ଲାଇଲେଣି ରୁଦ୍ର । ଯେଉଁ ଯେଉଁ ସ୍ଥାନରେ ତାଙ୍କୁ ଅଦ୍ଭୂତ ପୂର୍ଣ୍ଣ ସମର୍ଥନ ମିଳୁଛି ସେଠି ଲୋକେ ରୁଦ୍ରଙ୍କୁ ପ୍ରଦୀପ ମହାରଥୀ ଭାବୁଛନ୍ତି ଯାହା ଜୁନିୟର ମହାରଥୀଙ୍କୁ ଭାବବିହ୍ୱଳ କରିଦେଉଥିବ ନିଶ୍ଚୟ । ପୁଅ ଭିତରେ ଯେତେବେଳେ ଲୋକେ ବାପାଙ୍କୁ ଦେଉଛନ୍ତି ତାହା ଆଖିର ଲୁହ ଜକେଇ ଆଣିବ ନିଶ୍ଚିତ ।

ସେପଟେ ବିଜୟ ପରେ ବାପାଙ୍କ ଭଳି ଲୋକଙ୍କ ସେବା କରିବାକୁ ପଣ କରିଥିବା ରୁଦ୍ର ପ୍ରଥମେ ମାଟି, ପରେ ମହାରଥୀ ବୋଲି କହିଛନ୍ତି । ଆଉ ପୁଅ ଦ୍ୱାରା ସ୍ୱାମୀଙ୍କ ଅପୂରଣୀୟ ସ୍ୱପ୍ନରୁ ପୂରଣ କରିବାକୁ ମାଆ ପ୍ରତିଭା ମହାରଥୀ ପୁଅ ମଥାରେ ବିଜୟର ଟୀକା ଲଗାଇଛନ୍ତି ଆଉ ବିଜୟୀ ଭବଃର ଆଶୀର୍ବାଦ ଦେଇଛନ୍ତି ।