ପୁରୁଣା ରାଗ ଶୁଝାଉଛନ୍ତି କି ମୁକୁ ଭାଇ?
ବିଶ୍ୱବିଦ୍ୟାଳୟ ରାଜନୀତିର କଥା । ସେତେବେଳେ ବାଣୀବିହାରରେ ଛାତ୍ରସଂସଦ ନିର୍ବାଚନରେ ମୁହାଁମୁହିଁ ହୋଇଥାନ୍ତି ଆଜିର କୃଷିମନ୍ତ୍ରୀ ଅରୁଣ ସାହୁ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନରେ ଅରୁଣ ଜିତିଲେ ଆଉ ଧର୍ମେନ୍ଦ୍ର ହାରିଥିଲେ । ହୁଏତ ପରୋକ୍ଷ ରାଜନୀତିରେ ଧର୍ମେନ୍ଦ୍ର ଆଜି ଦେଶରେ ଢେର ଆଗକୁ ଯାଇଛନ୍ତି, ହେଲେ ସିଧାସଳଖ ଅର୍ଥାତ୍ ପ୍ରତ୍ୟକ୍ଷ ରାଜନୀତିରେ ଆଜିର ଦିନରେ ସେ ସଫଳତା ପାଇବେ ତାର ସମ୍ଭାବନା ବେଶ କମ୍ । ହେଲେ ବିଶ୍ୱବିଦ୍ୟାଳୟ ସ୍ତରରୁ ହିଁ ନିଜକୁ ଜଣେ ଜନତାଙ୍କ ନେତା ଭାବେ ଉପସ୍ଥାପନ କରି ଆସିଛନ୍ତି ଅରୁଣ ସାହୁ । ବାସ୍, ଏହାହିଁ ଧର୍ମେନ୍ଦ୍ରଙ୍କୁ ପସନ୍ଦ ଆସିନାହିଁ । ମନ ଭିତରେ ଏଭଳି ଏକ ଦାଗ ଅରୁଣ ସାହୁ ଦେଇଛନ୍ତି, ଯାହାର ପ୍ରତିଶୋଧ ବୋଧହୁଏ ଏବେ କେନ୍ଦ୍ରମନ୍ତ୍ରୀ ନେବାକୁ ସୁଯୋଗ ଉଣ୍ଡିଛନ୍ତି ।
ଆମେ ଅରୁଣ ସାହୁଙ୍କ ସମର୍ଥକ ନୋହୁଁ । ହେଲେ କିଛି ଯୁକ୍ତି ଦର୍ଶାଇବାକୁ ଚାହିଁବୁ । ଭାବୁଛୁ, ଏଥିରେ ଆପଣ ସହମତ ହେବେ । ୨୦୧୯ରେ ନୟାଗଡର ବିଜେପି ପ୍ରାର୍ଥୀ ଇରାନୀ ରାୟ ଅରୁଣଙ୍କୁ କଡା ଟକ୍କର ଦେଉଥିଲେ । ଅଥଚ ୨୦୨୦ର ଏତେ ସମ୍ବେଦନଶୀଳ ଘଟଣା ବାବଦରେ କଣ ସେ ରାଜ୍ୟ ବିଜେପିର ସର୍ବ ଶକ୍ତିମାନ ନେତାଙ୍କୁ ଜୁଲାଇ ପରଠାରୁ ଅବଗତ କରିନଥିଲେ । ଏହାର ଦୁଇଟି ଅର୍ଥ ହୋଇପାରେ । ହୁଏତ ପରୀ ଘଟଣା ଏତ ବଡ ପ୍ରସଙ୍ଗ øାଲି ଇରାନୀ ଠଉରାଇ ପାରିନଥିଲେ ଅଥବା ଧର୍ମେନ୍ଦ୍ରଙ୍କୁ ସେ ଆଉ ନେତା ବୋଲି ଭାବିପାରୁ ନାହାନ୍ତି ।
ଦ୍ୱିତୀୟରେ ଏକଦା କନ୍ଧମାଳର ସାଂସଦ ଥିବା ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଆଜି ବିଜେପିରେ । ଅରୁଣ ସାହୁଙ୍କର ସେ ଘୋର ବିରୋଧୀ । ବିଜେଡିରେ ଥିଲା ବେଳୁ ହିଁ ଛକାପଂଝା । ଧର୍ମେନ୍ଦ୍ର ତାଙ୍କୁ ନେଇ ଦଳରେ ମିଶାଇଥିଲେ । ବିଜେଡି ରାଜନୀତିକୁ ପାଖରୁ ଦେଖି ବିଜେପିରେ ଆସି ସାମିଲ ହୋଇଥିବା ରାଣୀ ସାହେବା ଏହି ମୁଦ୍ଦାକୁ ଉଠାଇବାକୁ କେମିତି ପଛଘୁଂଚା ଦେଇଦେଲେ । ନା ବିଜେପି ନେତା ବାସ୍ତବତା ଠାରୁ ଢେର ଦୂରରେ? ଯଦି ପରୀକୁ ନ୍ୟାୟ ଦେବାକୁ ବିଜେପି ନେତା ଏତେ ବ୍ୟଘ୍ର, ଏହି ପ୍ରସଙ୍ଗରେ ଜୁଲାଇରୁ ହଟଚମଟ ହୋଇଯିବା କଥା । ହେଲେ ଏତେଦିନ ଧରି ଚୁପ କାହିଁକି ବସିଥିଲେ?
୨୦୧୯ ନିର୍ବାଚନ ପରଠାରୁ ରାଜ୍ୟ ସରକାରଙ୍କ ଉପରେ ମାପିଚୁପି ମନ୍ତବ୍ୟ ଦେଉଥିବା ଧର୍ମେନ୍ଦ୍ର ପ୍ରଧାନ ହଠାତ ପରୀ ପ୍ରସଙ୍ଗରେ ଅରୁଣ ସାହୁଙ୍କୁ ଟାର୍ଗେଟ କରିବା ଆରମ୍ଭ କଲେ । ଦିଲ୍ଲୀରୁ ଆସି ରାଜଧାନୀରେ ବିଧାୟକଙ୍କ ସହ କବାଟ କୀଳା ମନ୍ଥନ ପରେ ଯେଉଁ ଉକ୍ତିଟିି ଧର୍ମେନ୍ଦ୍ରଙ୍କ ମୁହଁରୁ ବାହାରିଲା, ସେଥିରେ ଆନ୍ତରିକତା କମ୍ ଅତୀତର ପୀଡା ଅଧିକ ସ୍ପଷ୍ଟ ଜଣାପଡୁଥିଲା । ଅର୍ଥାତ୍ ବିଶ୍ୱବିଦ୍ୟାଳୟରେ ଅରୁଣ ତାଙ୍କୁ ଯେଉଁ ଦାଗ ଦେଇଥିଲେ, ସେହି ଦାଗକୁ ଆଜି ପରିଶୋଧ କରିବାକୁ ଧର୍ମେନ୍ଦ୍ର ଉଦ୍ୟମ କରିଛନ୍ତି । କୁହାଯାଉଛି, କଲେଜ ପରାଜୟର ବଦଲା ନେବାକୁ ଏବେ କୁଆଡେ କେନ୍ଦ୍ରମନ୍ତ୍ରୀ ରଣନୀତି ପ୍ରସ୍ତୁତ କରି ବିଧାୟକଙ୍କୁ ବ୍ୟବହାର କରିବାକୁ ଉଦ୍ୟମ କରୁଛନ୍ତି ।