ମାଉସୀ ମା’ ମନ୍ଦିରରୁ ଚୋରି..ଚିନ୍ତା ପ୍ରକଟ କଲେ ଗଜପତି
ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଉସୀ ଘର କୁହାଯାଇଥିବା ମାଉସୀ ମା’ ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଚୋରି ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଶ୍ରୀକ୍ଷେତ୍ର ଭଳି ଧାର୍ମିକସ୍ଥଳରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଗଜପତି ।
ବଡଦାଣ୍ଡର ବଳଗଣ୍ଡିଠାରେ ଥିବା ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ପଶିଛନ୍ତି ଲୁଟେରା ।ଭିତରେ ୩ ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରିଛନ୍ତି । ମନ୍ଦିର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି । ସେହିପରି ଭିତର ଆଲମାରୀ ଭାଙ୍ଗି ମାଆଙ୍କ ରୁପା ଅଳଙ୍କାର ଓ ଦାତା ଦେଇଥିବା ଶାଢୀ ଚୋରୀ କରିନେଇଥିବା ଜଣାପଡିଛି । ଘଟଣାରେ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗଜପତି କହିଛନ୍ତି, ଚୋରି ଘଟଣାରେ ଅଭିଯୁକ୍ତଙ୍କ ଧରିବାକୁ ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଉ ।
କିଛି ଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ହୋଇଥିଲା । କୁମ୍ଭାରପଡା ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଥିବା ବେଳେ ପୁରୀ ବଡ଼ଦାଣ୍ଡ ଉପରେ ଏଭଳି ଚୋରି, ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।ଅପରାଧୀଙ୍କୁ ଧରିବା ପାଇଁ ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଜପତି ମହାରାଜ କହିଛନ୍ତି।’