ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା
ପବିତ୍ର ଓଡ଼ିଶା ଦିବସ ଅବସରରେ ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ପଠାଇ ନୂଆ ଆର୍ଥିକ ବର୍ଷ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆଜି ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ପଠାଯାଇଛି । କାର୍ୟ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ପବିତ୍ର ଓଡ଼ିଶା ଦିବସ । ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ । ଏହି ଅବସରରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି ।
ଆଜି ଠାରୁ ମଧ୍ୟ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ୟ୍ୟକ୍ରମରୁ ହିଁ ମୁଁ ଆଜି ନୂଆ ଆର୍ଥିକ ବର୍ଷର ଆରମ୍ଭ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ୟ୍ୟକ୍ରମ । ଆଜି ଆମର ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ ୭୦୦ କୋଟି ଟଙ୍କା ଜମା କରାଗଲା । ଚାଷୀର ତ୍ୟାଗ ଓ ସ୍ୱାଭିମାନ ହିଁ ଆଜି ଓଡିଶାର ସ୍ୱାଭିମାନ ବୃଦ୍ଧି କରିଛି । ଓଡିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି ଏବଂ କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି । ଏହାସହ ମୁଁ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି । ଦେଢ ଗୁଣ ଏମଏସପି କାହାର ଦୟା ନୁହେଁ , ଏହା ଚାଷୀର ହକ୍ । ଚାଷୀକୁ ତାର ହକ୍ ଦେବାପାଇଁ ଆମର ଲଢେଇ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଚାଷୀ ଆମ ଅର୍ଥନୀତିର ମହାଶକ୍ତି । କୋଭିଡ୍ ସମୟରେ ଚାଷୀ ଭାଇ ହିଁ ଆମର ଅର୍ଥନୀତିକୁ ରକ୍ଷା କରିଛି । ତେଣୁ ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ । ମୁଖ୍ୟମନ୍ତ୍ରୀ କହିଛନ୍ତି- ମୁଁ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛି । ସ୍ୱାମୀ ନାଥନ୍ କମିଟି ସୁପାରିସକୁ କାର୍ୟ୍ୟକାରୀ କରିବା ପାଇଁ ଆମର ଦାବୀ ଜାରି ରହିବ। ସବୁ କଠିନ ପରିସ୍ଥିତିରେ ଚାଷୀ ଦେଶ ପ୍ରତି ତାର ଦାୟିତ୍ବ ନିଷ୍ଠାର ସହ କରିଚାଲିଛି । ମାଟି ମା ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ। ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ ।