ହସ୍ପିଟାଲରେ ଭର୍ତ୍ତି ହେଲେ କ୍ରିକେଟର ଭଗବାନ
ହସ୍ପିଟାଲରେ ଭର୍ତ୍ତି ହେଲେ କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାଭାଇରସ୍ ନମୁନା ପରୀକ୍ଷା ‘ପଜିଟିଭ୍’ ଆସିବାର ୬ ଦିନ ପରେ ତେନ୍ଦୁଲକର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ କହିଛନ୍ତି କି ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାସହ ସେ ଖୁବଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ବାହାରିବେ ବୋଲି କହିଛନ୍ତି ।
ଟୁଇଟ୍ କରି ସଚିନ୍ ଲେଖିଛନ୍ତି, ଶୁଭକାମନା ଏବଂ ପ୍ରାର୍ଥନା ଲାଗି ଆପଣମାନଙ୍କୁ ଧନ୍ୟବାଦ। ଯତ୍ନଶୀଳ ହୋଇ ସମସ୍ତେ ନିରାପଦ ରୁହନ୍ତୁ। ଏହା ସହ , ଆଜି ଭାରତ ଦ୍ୱିତୀୟ ବିଶ୍ୱକପ୍ ପାଇବାର ୧୦ମ ବାର୍ଷିକୀ ଅବସରରେ ମଧ୍ୟ ସେ ତାଙ୍କ ଟିମ୍ମେଟ୍ ଏବଂ ପ୍ରତ୍ୟେକ ଭାରତୀୟ କ୍ରିକେଟ୍ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨୦୧୧ ଏପ୍ରିଲ୍ ୨ ତାରିଖ ଦିନ ଭରପୂର ଦର୍ଶକ ଥିବା ମୁମ୍ବାଇର ଓ୍ଵାଖେଣ୍ଡେ ଷ୍ଟାଡିୟମ୍ରେ ଶ୍ରୀଲଙ୍କାକୁ ୬ ଓ୍ଵିକେଟ୍ରେ ପରାସ୍ତ କରି ଏମ୍ଏସ୍ ଧ୍ୱନିଙ୍କ ଅଧିନାୟକତ୍ୱରେ ଦୀର୍ଘ ୨୮ ବର୍ଷ ପରେ ଭାରତ ଦ୍ୱିତୀୟ ଥର ‘ଆଇସିସି କ୍ରିକେଟ୍ ଓ୍ଵାର୍ଲଡ୍ କପ୍’ ବିଜୟୀ ହୋଇଥିଲା।
ନିକଟରେ ଇଣ୍ଡିଆ ଲିଜେଣ୍ଡ୍ସକୁ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍ରେ ଚାମ୍ପିୟନ ହେବା ପରେ ଗତ ୨୭ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ ସଚିନ୍। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ। ଏଥିସହ ସେ ହୋମ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଥିଲେ।