କ୍ଷମା ମାଗନ୍ତୁ ମନ୍ତ୍ରୀ ପ୍ରତାପ
ତେଜିଲା ଓଡିଆ- ଅଣଓଡିଆ ଠିକାଦାର ବିବାଦ । ବିଧାନସଭାରେ ଠିକାଦାର ପ୍ରସଙ୍ଗ ଉଠିବା ପରେ ଏବେ ଚେତାବନୀ ଦେଇଛି ଠିକାଦାର ମହାସଙ୍ଘ । ନିଖିଳ ଓଡିଶା ଠିକାଦାର ମହାସଙ୍ଘ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ କ୍ଷମା ପ୍ରାର୍ଥନା ପାଇଁ ଦାବି କରାଯାଇଛି । ପବିତ୍ର ଗୃହରେ ଓଡିଆ ଠିକାଦାରଙ୍କ ପ୍ରତି ମନ୍ତ୍ରୀ ଯେଉଁ ମିସ୍ତ୍ରୀ ମୂଲିଆ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ସେ କ୍ଷମା ମାଗନ୍ତୁ ନହେଲେ ଏହା ଓଡିଆ ଜାତିର ଅସ୍ମିତାକୁ ଅପମାନ କଲାଭଳି ବ୍ୟବହାର ହେବ ବୋଲି ଠିକାଦାର ମହାସଙ୍ଘ ପକ୍ଷରୁ କୁହାଯାଇଛି । ଯଦି ପ୍ରତାପ ଜେନା କ୍ଷମା ପ୍ରାର୍ଥନା ନକରନ୍ତି ତେବେ ତାଙ୍କ ବାସଭବନ ଘେରାଉ କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କୁ ବିରୋଧ ହେବ ବୋଲି କଡା ଚେତାବନୀ ଦେଇଛି ନିଖିଳ ଓଡିଶା ଠିକାଦାର ମହାସଙ୍ଘ ।

ତେବେ ଓଡିଶାରେ ଯେତେ ଜଳ ପ୍ରକଳ୍ପ ହେଉଛି ସେସବୁର ଟେଣ୍ଡର ଓଡିଶା ବାହାରର ଠିକାଦାରଙ୍କୁ ଦିଆଯାଉଛି । ସରକାର ଛୋଟ ଛୋଟ ପ୍ରକଳ୍ପକୁ ବଡ କରି ବିରାଟ ପ୍ରକଳ୍ପର ନାଁ ଦେଉଛନ୍ତି ଆଉ ଶହ ଶହ କୋଟି ଟଙ୍କାର ମେଗା ପ୍ରକଳ୍ପକୁ ଅଣଓଡିଆଙ୍କ ହାତକୁ ଟେକି ଦେଉଛନ୍ତି । ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ ଠିକାଦାରଙ୍କୁ ପ୍ରକଳ୍ପ କାମ ହସ୍ତାନ୍ତର କରାଯାଉଛି ଆଉ ଓଡିଆ ଠିକାଦାରଙ୍କୁ ଅଣଦେଖା କରାଯାଉଛି । ଓଡିଆ ଠିକାଦାରଙ୍କୁ ବର୍ଗଫୁଟ ପ୍ରତି ୧୫୦୦ ଟଙ୍କାରେ କାମ ମିଳୁଥିବା ବେଳେ ଅଣଓଡିଆ କମ୍ପାନୀର ଠିକାଦାରଙ୍କୁ ବର୍ଗଫୁଟ ପ୍ରତି ୫୫୦୦ ଟଙ୍କାରେ କାମ ଦିଆଯାଉଛି । ଓଡିଆ ଜାତିକୁ ଦିନ ଦରିଦ୍ର ଭଳି ରଖାଯାଉଛି । କଣ ପାଇଁ ଏ ଅସମାନତା, କଣ ପାଇଁ ଏ ବାଛ ବିଚାର । ଓଡିଶାର ଠିକାଦାର ବିଶ୍ୱର ବିଭିନ୍ନ ସ୍ଥାନରେ ପାଇପ କାମରେ ସିଦ୍ଧହସ୍ତ । ସେମାନେ ଅନେକ କୂଶଳୀ ଏସବୁ ପରେ ବି କଣ ପାଇଁ ସେମାନଙ୍କୁ ମେଗା ପ୍ରକଳ୍ପ କାମ ଦିଆଯାଉନି । ଏ ସବୁ ମନୋବୃତି ବନ୍ଦ କରିବାକୁ ଚେତାବନୀ ଦେଇଛି ।

ତେବେ ଗତ ମଙ୍ଗଳବାର ବିଧାନସଭାରେ ଉକ୍ତ ପ୍ରସଙ୍ଗ ଉଠାଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ମେଗା ପ୍ରକଳ୍ପ କରି ବାହାର ରାଜ୍ୟର ଠିକାଦାରଙ୍କୁ କାମ ଦିଆଯାଉଛି । କାମ ଓଡିଶାରେ, ପ୍ରକଳ୍ପ ଓଡିଶାରେ ଥାଇ ବି ଏହି ପାନୀୟ ଜଳ କାମରେ କଣ ପାଇଁ ଓଡିଆ ଠିକାଦାରଙ୍କୁ କାମ ମିଳୁନି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସୌମ୍ୟରଞ୍ଜନ । ତେବେ ଏହି ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ପ୍ରତାପ କହିଥିଲେ ୫୦ କୋଟିରୁ ଅଧିକ ପ୍ରକଳ୍ପକୁ ଅଣ ଓଡିଆ ଠିକାଦାରଙ୍କୁ ଦିଆଯାଉଛି ଆଉ ୫୦ କୋଟିରୁ କମ ପ୍ରକଳ୍ପରେ ଓଡିଆଙ୍କୁ ସାମିଲ କରାଯାଉଛି । ଯଦି ଓଡିଆ ଠିକାଦାରଙ୍କ ମେଗା ପ୍ରକଳ୍ପରେ କାମ କରିବାର ଅଛି ତେବେ ସେମାନେ ବାହାର ରାଜ୍ୟର ଠିକାଦାର ପାଖରେ ମିସ୍ତ୍ରୀ, ମୂଲିଆ ହୋଇ କାମ କରିପାରିବେ ବୋଲି କହିଥିଲେ । ଯାହାକୁ ବିଧାନସଭାରେ ବିରୋଧ ହୋଇଥିଲା । ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ଗୃହ ଅଚଳ ହୋଇଥିଲା । ଆଉ ଏବେ ଠିକାଦାର ମହାସଙ୍ଗ ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଚାହିଁଛି ।