THE BYAPINI

‘ମୁଖବହି’ରେ ଅନୁଭବଙ୍କ ମନର କଥା!

Get real time updates directly on you device, subscribe now.

ସୋସିଆଲ ମିଡ଼ିଆ ସାହାରାରେ ସାଂସଦ । ମୁଖବହିରେ କହିଛନ୍ତି ମନର କଥା । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବେ ସୋସିଆଲ ମିଡ଼ିଆ ଉପରେ ବେଶ ନିର୍ଭରଶୀଳ ହୋଇପଡିଛନ୍ତି । ନିଜର ମନର କଥା କହିବାକୁ ଏବେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ଧୁମ ବ୍ୟବହାର କରୁଛନ୍ତି ଅନୁଭବ । କାରଣ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ଆଉ ସାଂସଦଙ୍କୁ ସୁଯୋଗ ଦିଆଯାଉନଥିବା ଚର୍ଚ୍ଚା ହେଉଛି । ତେଣୁ ମନର କଥା ଓ ବ୍ୟଥା ବଖାଣିବାକୁ ଏବେ ସୋସିଆଲ ମିଡିଆ ହିଁ ଏକମାତ୍ର ବାଟ ତାହା ବୁଝିସାରିଛନ୍ତି ଅନୁଭବ । ପ୍ରତିଦିନ ସାଂସଦ କିଛି ନା କିଛି ପୋଷ୍ଟ କରୁଥିବା ବେଳେ ଶନିବାର ଯେଉଁ ପୋଷ୍ଟଟି କରିଛନ୍ତି ସେ ବାବଦରେ ଟିକିଏ ଅଧିକ ଚର୍ଚ୍ଚା ହେଉଛି । କାରଣ ପିପିଲି ପ୍ରଚାର ମୈଦାନରୁ ଅନୁଭବଙ୍କୁ ଦଳ ଦୂରେଇ ରଖିଥିବା ବେଳେ ସୋସିଆଲ ମିଡ଼ିଆରେ କିନ୍ତୁ ଦଳୀୟ ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ସାଂସଦ ।

କେବଳ ପ୍ରଚାର କରୁନାହାନ୍ତି ବରଂ ଷ୍ଟାର ପ୍ରଚାରକ ତାଲିକାରେ ଥିବା ନେତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ତେବେ ପ୍ରାର୍ଥୀଙ୍କ ସହ ଷ୍ଟାର ପ୍ରଚାରକଙ୍କୁ ଶୁଭେଚ୍ଛା ଜଣାଇବା ପଛର ସଂକେତ କଣ ତାହା ବୁଝିବାର ଆବଶ୍ୟକତା ରହିଛି । ଏଭଳି ପୋଷ୍ଟ କରି ପୁଣିଥରେ ଦଳର ସୁପ୍ରିମୋ ଓ ଥିଙ୍କଟ୍ୟାଙ୍କଙ୍କ ଭରସା ଜିତିବାକୁ ଉଦ୍ୟମ କରୁଥାଇ ପାରନ୍ତି ଅନୁଭବ । କାରଣ ଷ୍ଟାର ପ୍ରଚାରକ ତାଲିକାରେ ଯେଉଁ ଚେହେରା ରହିଛନ୍ତି ସେମାନଙ୍କ ମଧ୍ୟରୁ ଏବେ ଅଧିକାଂଶ ନେତା ନବୀନଙ୍କ ଗୁଡବୁକରେ ରହିଛନ୍ତି । ତେଣୁ ସେମାନଙ୍କ ମନ ଜିଣିବା ସହ ପୁଣିଥରେ ସୁପ୍ରିମୋଙ୍କ ଗୁଡବୁକରେ ସ୍ଥାନ ପାଇବାକୁ ଉଦ୍ୟମ କରୁଥାଇପାରନ୍ତି ଅନୁଭବ ।

ପାରିବାରିକ ବିବାଦ ପରେ ଦଳ ତାଙ୍କ ଉପରୁ ଏକପ୍ରକାର ବିଶ୍ୱାସ ଓ ଭରସା ହରାଇ ସାରିଛି ବୋଲି ବାହାରେ ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଅନୁଭବଙ୍କୁ ଖୋଜାଯାଉନି । ଏପରିକି ଦୀର୍ଘ ବର୍ଷ ଧରି ଦଳର ଷ୍ଟାର ପ୍ରଚାରକ ଥିବା ଅନୁଭବଙ୍କୁ ପିପିଲି ଭଳି ହାଇଭୋଲଟେଜ ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଛି । ଯାହା ଦର୍ଶାଉଛି ଦଳରେ ଆଉ ପୂର୍ବଭଳି ଅନୁଭବଙ୍କର କାଟତି ନଥିବା ବେଳେ ରାଜନୈତିକ ଭବିଷ୍ୟତ ମଧ୍ୟ ଅନ୍ଧାର ଆଡକୁ ଗତି କରୁଛି । ଏଭଳି ସ୍ଥିତିରେ ରାଜନୀତିରେ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଏବେ ଅନୁଭବ ପ୍ରଂଶସା ପଲିଟିକ୍ସକୁ ଆପଣାଇଛନ୍ତି ।

କାରଣ ଅନୁଭବ ଜାଣିଛନ୍ତି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିବା ପରେ ଯଦି ଅସନ୍ତୋଷ ଜାହିର କରୁଛନ୍ତି ଓ ଅଭିମାନ କରି ଚୁପ୍ ବସୁଛନ୍ତି ତେବେ ତାଙ୍କ ପାଇଁ ରାଜନୀତିର ଆଗାମୀ ରାସ୍ତା ଆହୁରି କଣ୍ଟକିତମୟ ହେବ । ତେଣୁ ଅସନ୍ତୋଷ ଝାଡିବା ବଦଳରେ ଦଳର ନିଷ୍ପତି ତାଙ୍କ ପାଇଁ ସର୍ବମାନ୍ୟ ବୋଲି ବାର୍ତ୍ତା ଦେବାକୁ ଚାହୁଁଥାଇପାରନ୍ତି ଅନୁଭବ । ପ୍ରଚାର ମୈଦାନକୁ ନ ଗଲେ ମଧ୍ୟ ଅନ୍ୟ ଉପାୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଦଳ ପାଇଁ ନିସ୍ୱାର୍ଥପର ଭାବେ କାମ କରୁଛି ବୋଲି ସୁପ୍ରିମୋଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବାକୁ ଚାହୁଁଥାଇପାରନ୍ତି ଅନୁଭବ । ଯେଉଁଥିପାଇଁ ଉକ୍ତ ପୋଷ୍ଟରେ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ୍ କରିଛନ୍ତି ଅନୁଭବ । ଏହି ପୋଷ୍ଟ ସହ ଦଳର ସୁପ୍ରିମୋଙ୍କ ନିଷ୍ପତିକୁ ସେ ସମ୍ମାନ ଦେଉଥିବା ଏବଂ ଦଳ ପ୍ରତି ତାଙ୍କର ଆନୁଗତ୍ୟ ଓ ଭଲପାଇବା ରହିଛି ବୋଲି ସିଧାସଳଖ ଏକ ବାର୍ତ୍ତା ଦେବାକୁ ଚାହୁଁଥାଇପାରନ୍ତି ଅନୁଭବ । ଉକ୍ତ ପୋଷ୍ଟର ପ୍ରଥମ ଧାଡିରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ ହେବାର ଶୁଭେଚ୍ଛା ଦେବା ପରେ ଦ୍ୱିତୀୟ ଧାଡିରେ ନିଜ ରାଜନୈତିକ କ୍ୟାରିୟରକୁ ସଜାଡିବାକୁ ଅନୁଭବ ଛାଡିଛନ୍ତି ସମ୍ମାନ ଓ ଭଲପାଇବାର ବାଣ ।

Get real time updates directly on you device, subscribe now.

Leave A Reply

Your email address will not be published.