THE BYAPINI

ପରାଜୟର ବୋଝ ମୁଣ୍ଡାଇବାକୁ ଚାହୁଁନାହାନ୍ତି କି ପ୍ରଧାନ ବାବୁ?

Get real time updates directly on you device, subscribe now.

ପିପିଲି ବ୍ୟାଟଲଗ୍ରାଉଣ୍ଡରେ ଏବେ ଚାଲିଛି ବିଗ୍ ଫାଇଟ । ଖାସକରି ବିଜେପି-ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ଯୁଦ୍ଧ ପାଇଁ ଉଭୟ ଦଳର ନେତା ସିପାହୀ ସାଜି ପିପିଲିରେ ଡେରା ପକାଇ ରହିଛନ୍ତି । କୋଭିଡ କାରଣରୁ ନବୀନ ଭର୍ଚୁଆଲ ପ୍ରଚାର କରି ରୁଦ୍ରଙ୍କ ପାଇଁ ଭୋଟ ମାଗିବେ । ସେହିଭଳି ରାଜ୍ୟ ବିଜେପିର ପୋଷ୍ଟରବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୩ରେ ଆଶ୍ରିତଙ୍କ ପାଇଁ ପ୍ରଚାର ମୈଦାନରେ ପାଦ ଦେବେ । ତେବେ ଧର୍ମେନ୍ଦ୍ରଙ୍କ ବିଳମ୍ବିତ ପ୍ରଚାର ସୂଚୀକୁ ନେଇ ରାଜନୈତିକ ମହଲରେ ଭିନ୍ନ ଧରଣର ଚର୍ଚ୍ଚା ହେଉଛି ।ଏପରିକି ପିପିଲି ଉପ-ନିର୍ବାଚନକୁ ନେଇ ଧର୍ମେନ୍ଦ୍ର ସେତେଟା ଆଗ୍ରହୀ ନୁହଁନ୍ତି ବୋଲି ବିଭିନ୍ନ ରାଜନୈତିକ ଖଟିର ବଡ ପ୍ରସଙ୍ଗ ପାଲଟିଛି । ଆଉ ଏହା ପଛର କାରଣ ପରାଜୟର ବୋଝ ଓ ଭାବମୂର୍ତ୍ତି ଭୁଶୁଡିବାର ଭୟ ବୋଲି ଚର୍ଚ୍ଚା ହେଉଛି ।

ଉପ-ନିର୍ବାଚନ, ପରାଜୟ ଓ ପଦ୍ମ ଦଳ । ରାଜ୍ୟ ରାଜନୀତିରେ ଏହି ୩ ଶବ୍ଦ ପରସ୍ପରର ପରିପୂରକ । କାରଣ ନବୀନଙ୍କ ହାତ ଛାଡିବା ପରେ ଏଯାଏଁ ଗୋଟିଏ ବି ବିଧାନସଭା ଉପ-ନିର୍ବାଚନରେ ବିଜୟର ସ୍ୱାଦ ଚାଖିପାରିନି ବିଜେପି । ଖାସକରି ଗତ କିଛି ବର୍ଷ ମଧ୍ୟରେ ଉପ-ନିର୍ବାଚନ ଜିତିବାକୁ ଜୋର ଲଗାଇଥିଲେ ବି ପଦ୍ମ ଦଳକୁ ଦେଖିବାକୁ ପଡିଛି ପରାଜୟର ମୁହଁ । ଉପ-ନିର୍ବାଚନରେ ପରାଜୟ ପଦ୍ମ ଦଳ ପାଇଁ ଯେପରି ଦେହସୁହା ହୋଇପଡିଛି । ଏପରିକି ପିପିଲି ଉପ-ନିର୍ବାଚନକୁ ନେଇ ମଧ୍ୟ ବୋଧହୁଏ ସେତେଟା ପଜିଟିଭ୍ ରେସପନ୍ସ ପାଇନାହାନ୍ତି ଧର୍ମେନ୍ଦ୍ର । କାରଣ ବିଜେଡି ଗଡରେ ପଦ୍ମ ଫୁଟାଇବା ଏତେ ସହଜ ନୁହେଁ ଏହାର ଅନ୍ଦାଜ ବୋଧହୁଏ ଆଗରୁ ଲଗାଇ ସାରିଛନ୍ତି ମୁକୁ । ଯେଉଁଥିପାଇଁ ପିପିଲିରେ ଆଗୁଆ ଫ୍ରଣ୍ଟଲାଇନକୁ ଆସିବାକୁ ପ୍ରଧାନ ବାବୁ ଟିକିଏ କୁଣ୍ଠାବୋଧ କରୁଥିବା କୁହାଯାଉଛି ।

ଏହାଛଡା ୨୦୧୭ ପରଠାରୁ ରାଜ୍ୟରେ ହୋଇଥିବା ନିର୍ବାଚନରେ ଧର୍ମେନ୍ଦ୍ରଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଛି । ବିଜେପୁର ଉପ-ନିର୍ବାଚନରୁ ତିର୍ତ୍ତୋଲ ଉପ-ନିର୍ବାଚନ ପର୍ଯ୍ୟନ୍ତ, ପ୍ରତି ଉପ-ନିର୍ବାଚନରେ ଧର୍ମେନ୍ଦ୍ରଙ୍କର ସକ୍ରିୟତା ସ୍ପଷ୍ଟ ବାରି ହୋଇ ପଡୁଥିଲା । ଘନ ଘନ ପ୍ରଚାର ସାଙ୍ଗକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ, ଲାଗୁଥିଲା ସତେ ଯେପରି ଧର୍ମେନ୍ଦ୍ରଙ୍କ ଷ୍ଟ୍ରାଟେଜିରେ ନିର୍ବାଚନ ଲଢୁଥିଲା ବିଜେପି । ଏତେ ପରିଶ୍ରମ ସତ୍ତ୍ୱେ ମଧ୍ୟ ବିଜେପିକୁ ବିଜୟର ସ୍ୱାଦ ଚାଖିବାକୁ ସୁଯୋଗ ଦେଇନଥିଲେ ବିଜେଡି ସୁପ୍ରିମୋ । ଦଳର ବଡ ଚେହେରା ହୋଇଥିବାରୁ ପରାଜୟ ପାଇଁ ଧର୍ମେନ୍ଦ୍ରଙ୍କ ଉପରକୁ ଆଙ୍ଗୁଳି ମଧ୍ୟ ଉଠିଥିଲା । ତେଣୁ ପିପିଲିରେ ଏମିତି କୌଣସି ରିସ୍କ ନେବାକୁ ବୋଧହୁଏ ଚାହୁଁନାହାନ୍ତି ଧର୍ମେନ୍ଦ୍ର, ଯାହା ତାଙ୍କର ପତିଆରା ଉପରେ ପ୍ରଶ୍ନ ଚିହ୍ନ ଛିଡା କରିବ ।

ଏକଥା ଆମେ ଏଥିପାଇଁ କହୁଛୁ କାରଣ, ପିପିଲି ଉପ-ନିର୍ବାଚନ ପରେ ଆଗକୁ ରାଜ୍ୟରେ ହେବ ପୌର ଓ ପଞ୍ଚାୟତ ନିର୍ବାଚନ । ୨୦୨୪ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ସେମିଫାଇନାଲ ସଦୃଶ । ତେଣୁ ଏହି ନିର୍ବାଚନ ପୂର୍ବରୁ କୌଣସି ରିସ୍କ ନେବାକୁ ଚାହୁଁନଥାଇପାରନ୍ତି ଧର୍ମେନ୍ଦ୍ର । କାରଣ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଯେଉଁଭଳି ପ୍ରଦର୍ଶନ କରିଥିଲା ତାହାର ସମସ୍ତ ଶ୍ରେୟ ନିଜ ସପକ୍ଷରେ ନେଇଥିଲେ ଧର୍ମେନ୍ଦ୍ର । ତେଣୁ ପୁଣିଥରେ ସେହିଭଳି ପ୍ରଦର୍ଶନ ଦୋହାରାଇବାକୁ ଧର୍ମେନ୍ଦ୍ର ନିଶ୍ଚୟ ଚେଷ୍ଟା କରିବେ । ଅନ୍ୟପଟେ ବିଜେଡିର ଗଡ ଥିବା ପିପିଲିରେ ଗେରୁଆ ବାନା ଉଡାଇବା ଏତେ ସହଜ ମଧ୍ୟ ନୁହେଁ ଏକଥାକୁ ବେଶ ଭଲ ଭାବରେ ଆକଳନ କରିଥାଇପାରନ୍ତି ଧର୍ମେନ୍ଦ୍ର । ଦଳୀୟ ଭୋଟବ୍ୟାଙ୍କ ଓ ନବୀନଙ୍କ ଲୋକପ୍ରିୟତା ପିପିଲିରେ ବିଜେପିକୁ ବ୍ୟାକଫୁଟକୁ ଠେଲି ଦେଇପାରେ । ଏଭଳି ସ୍ଥଳେ ଯଦି ପିପିଲି ଆସନରେ ପଦ୍ମ ନ ଫୁଟୁଛି ତେବେ ପରାଜୟର ବୋଝ ନେତୃତ୍ୱ ନେଉଥିବା ନେତାଙ୍କ ମୁଣ୍ଡରେ ବୋଳାଯିବ । ଏଭଳିସ୍ଥଳେ ପରାଜୟ ସହ ଦଳୀୟ ମହଲରେ ନିଜର ଛବି ଖରାପ କରିବାକୁ କିଏ ବା ଚାହିଁବ? ତେଣୁ ପୌର ଓ ପଞ୍ଚାୟତ ନିର୍ବାଚନରେ ପିପିଲି ପରାଜୟର ଟ୍ୟାଗ୍ ଧରି ନ ଓହ୍ଲାଇବାକୁ ମନ ବଳାଇଥାଇ ପାରନ୍ତି ମୁକୁ ଭାଇ?

ପିପିଲି ଉପ-ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଛି । କିନ୍ତୁ ପୋଷ୍ଟର ବୟ ପ୍ରଧାନ ବାବୁ ଡେରା ପକାଇଛନ୍ତି ପଶ୍ଚିମବଙ୍ଗରେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ଦ୍ଧୁମ ପ୍ରଚାର କରୁଛନ୍ତି, ଖରାତରାରେ ବୁଲି ଭୋଟ ମାଗୁଛନ୍ତି । କୁହାଯାଉଛି ବିଜୟର ସମ୍ଭାବନା ରହିଥିବାରୁ ପଶ୍ଚିମବଙ୍ଗ ଏବେ ବିଜେପିର ଫୋକସରେ । ତେଣୁ ନିଜେ ଦାୟିତ୍ୱ ନେଇଥିବା ଅଞ୍ଚଳରେ ପ୍ରାର୍ଥୀଙ୍କୁ ବିଜୟୀ କରି ମୋଦିଙ୍କ ଗୁଡବୁକରେ ଆଉ ଗୋଟିଏ ପାଦ ଆଗକୁ ବଢାଇବାକୁ ଚାହୁଁଥାଇପାରନ୍ତି ଧର୍ମେନ୍ଦ୍ର । କିନ୍ତୁ ପଶ୍ଚିମବଙ୍ଗର ପ୍ରଚାର ଭିତରେ ପିପିଲି କଥା ବୋଧହୁଏ ପୂରା ଭୁଲି ଯାଇଛନ୍ତି ଧର୍ମେନ୍ଦ୍ର । ଲାଗୁଛି ଯେପରି ପ୍ରଧାନ ବାବୁଙ୍କ ଫୋକସରେ ନାହିଁ ପିପିଲି । କାରଣ ୧୭ରେ ହେବ ପିପିଲି ଉପ-ନିର୍ବାଚନ ଆଉ ପ୍ରଚାର ମୈଦାନକୁ ପ୍ରଧାନ ବାବୁ ଆସିବେ ୧୩ ତାରିଖରେ । ଅଥାର୍ତ ନିର୍ବାଚନ ଠାରୁ ମାତ୍ର ୪ ଦିନ ପୂର୍ବରୁ ପିପିଲିରେ ପାଦ ଦେବେ ଧର୍ମେନ୍ଦ୍ର । ତେବେ ପିପିଲି ଗଣିତ ଏବେ ପ୍ରତିଦିନ ବଦଳୁଥିବା ବେଳେ ତାହାର ଆକଳନ କରିବା ଆଉ ସହଜ ହୋଇନାହିଁ । ଏପରିକି ବିଜୟ ନେଇ ବିଜେଡି ନେତାଙ୍କ ଦମ୍ଭୋକ୍ତି କେଉଁଠି ନା କେଉଁଠି ପଦ୍ମ ଶିବିରକୁ ବିଚଳିତ କରିଛି । ତେଣୁ ଏଭଳି ସ୍ଥଳେ ପିପିଲି ପ୍ରଚାର ମୈଦାନରେ ପ୍ରଧାନ ବାବୁଙ୍କ ଭଳି ଅନୁଭବୀ ଓ ପ୍ରଭାବଶାଳୀ ନେତାଙ୍କର ଉପସ୍ଥିତି ଦଳ ଯଥେଷ୍ଟ ଆବଶ୍ୟକତା କରୁଛି । କିନ୍ତୁ ପିପିଲିକୁ ଧର୍ମେନ୍ଦ୍ରଙ୍କ ଏଣ୍ଟ୍ରି ହେବ ନିର୍ବାଚନର ୪ ଦିନ ପୂର୍ବରୁ । ତେଣୁ ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ନିର୍ବାଚନର ୪ ଦିନ ପୂର୍ବରୁ କ୍ୟାମ୍ପେନିଂ କରି ଭୋଟରଙ୍କୁ ଆକୃଷ୍ଟ କରି ପାରିବେ ତ ଧର୍ମେନ୍ଦ୍ର? ନା କେବଳ ଦଳୀୟ ନେତା ଭାବେ ପିପିଲିକୁ ଆସି ଆଣ୍ଡେନାନ୍ସ ପକାଇ କାମ ସାରିଦେବେ ମୁକୁ ଭାଇ? ନିର୍ବାଚନରେ ପରାଜୟର ବୋଝ ସବୁବେଳେ ବଡ ଚେହେରାକୁ ମୁଣ୍ଡାଇବାକୁ ପଡିଥାଏ, ଏମିତିରେ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କୁ ବଡ ଚେହେରା ଭାବେ ଚିତ୍ରଣ କରାଯାଇଥାଏ । ତେଣୁ ପିପିଲିରେ ଯଦି ଏହି ଡହଡହ ଖରାରେ ପଦ୍ମ ନ ଫୁଟେ ତେବେ ଏହାର ଭାର ମୁଣ୍ଡାଇବାକୁ ପଡିବ ବୋଲି ଭାବି ପ୍ରଚାର ମୈଦାନକୁ ଶୀଘ୍ର ଆସିବାକୁ ପଛଘୁଞ୍ଚା ଦେଉଛନ୍ତି କି ପ୍ରଧାନ ବାବୁ?

Get real time updates directly on you device, subscribe now.

Leave A Reply

Your email address will not be published.