ମାଓ ଜାଲରୁ ମୁକୁଳିଲେ ରାକେଶ୍ୱର
ଛଅ ଦିନ ବନ୍ଦୀ ଜୀବନ କାଟିବା ପରେ ନକ୍ସଲଙ୍କ କବଳରୁ ମୁକ୍ତ ହେଲେ ଅପହୃତ ଯବାନ ରାକେଶ୍ୱର ସିଂହ ମନହାସ୍ ।ମାଓବାଦୀମାନେ ଦୀର୍ଘ ୫ ଦିନ ଯାଏଁ ତାଙ୍କୁ ବନ୍ଦୀକରି ରଖିବା ପରେ ଯବାନ ରାକେଶ୍ବରଙ୍କୁ ଛାଡ଼ି ଦେଇଛନ୍ତି । ରାକେଶ୍ବରଙ୍କୁ ଜଙ୍ଗଲ ନିକଟସ୍ଥ ଗ୍ରାମରେ ଆୟୋଜିତ ଏକ ପ୍ରଜାକୋର୍ଟରେ ହାଜର କରାଯାଇଥିଲା ଓ ଏହାପରେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କୁ ଛଡ଼ାଯାଇଥିଲା । ସରକାରଙ୍କ ପକ୍ଷରୁ ମାଓବାଦୀଙ୍କୁ ଭେଟିବାକୁ ଯାଇଥିବା ମଧ୍ୟସ୍ଥିଙ୍କ ସହ ଆଲୋଚନା ପରେ ରାକେଶ୍ବର ମୁକ୍ତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚିବା ପରେ ଗୋଟିଏ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାସାଗୁଡ଼ା ଥାନାକୁ ଅଣାଯାଇଛି। ସେଠାରେ ତାଙ୍କୁ ଏସ୍ପି କମଳଲୋଚନ କଶ୍ୟପ ସ୍ୱାଗତ କରିଛନ୍ତି।
ବୀର ଯବାନ ରାକେଶ୍ୱର ସିଂହ ମନହାସ ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ଖୁସିରେ ଆତ୍ମହରା ହୋଇଛନ୍ତି ଯବାନଙ୍କ ପତ୍ନୀ । ମୋ ସ୍ୱାମୀ ଫେରିଆସିବେ ବୋଲି ବିଶ୍ୱାସ ଥିଲା, କିନ୍ତୁ କେବେ ଫେରିବେ ଜଣାନଥିଲା । ଆଜି ଆମେ ବହୁତ ଖୁସି । ସରକାର କିଛି କହୁନଥିଲେ, କିନ୍ତୁ ତାଙ୍କ କାମ କରୁଥିଲେ । ଏହା ଆମ ପାଇଁ ବଡ଼ କଠିନ ସମୟ ଥିଲା ।‘ହିମ୍ମତ ହରାଇନଥିଲି, ଧୈର୍ୟ୍ୟ ରଖିଥିଲି ବୋଲି କହିଛନ୍ତି ଯବାନଙ୍କ ପତ୍ନୀ । ରାକେଶ୍ୱରଙ୍କୁ ମୁକୁଳାଇବା ପାଇଁ ସରକାର ପଦ୍ମଶ୍ରୀ ଧର୍ମପାଲ ସାଇନି ଓ ଗୋଣ୍ଡୱାନା ସମାଜ ମୁଖ୍ୟ ତେଲେମା ବୋରିୟାଙ୍କୁ ନିଯୁକ୍ତ କରିଥିଲେ। ଆଜି ମାଓବାଦୀମାନେ ଦୁଇ ମଧ୍ୟସ୍ଥ ଓ ଶତାଧିକ ଗାଁ ଲୋକଙ୍କ ଉପସ୍ଥିତିରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଛାଡ଼ିଛନ୍ତି।
ଛତିଶଗଡ଼ର ବିଜାପୁର ସୁକ୍ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶ୍ୱରଙ୍କୁ ଅପହରଣ କରିନେଇଥିଲେ । ମାଓ ଅପରେସନ୍ ବେଳେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଯବାନ ଆହତ ହୋଇଥିଲେ ।ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ ।