THE BYAPINI

ହାତ ଯୋଡିଲେ ନେତା, କହିଲେ ଭୋଟ ଦିଅନି

Get real time updates directly on you device, subscribe now.

ଭୋଟ ଦେଲା କୋଟିଆ । ମତଦାନ ସମସ୍ତଙ୍କର ମୌଳିକ ଅଧିକାର, କିନ୍ତୁ ଗୁରୁବାର କୋଟିଆରେ ଯେଉଁ ଭୋଟଗ୍ରହଣ ହୋଇଛି ତାହା ଦୁଇ ରାଜ୍ୟ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦକୁ ଆଉ ପାଦେ ଆଗକୁ ନେଇଛି । ସାଧାରଣତଃ ସ୍ୱଇଚ୍ଛାରେ ମତଦାନ କରିବାକୁ ନେତା ଅପିଲ କରିଥାନ୍ତି, କିନ୍ତୁ କୋଟିଆରେ ଭୋଟ ନ ଦେବା ପାଇଁ ଲୋକଙ୍କୁ ଓଡ଼ିଶାର ସବୁ ଦଳର ନେତା ହାତ ଯୋଡୁଥିଲେ, ଲୋକଙ୍କୁ ବୁଝାଉଥିଲେ । କାରଣ ଭୋଟ ସହ ଜଡିତ ରହିଥିଲା କୋଟିଆର ଭାଗ୍ୟ । ଯେଉଁଥିପାଇଁ କୋରାପୁଟ ସୀମାନ୍ତ ଗାଁରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଉ ଏହି ଭୋଟ ସହ ସରକାରଙ୍କ ଚିନ୍ତା ବଢାଇଛନ୍ତି କୋଟିଆବାସୀ ।

କରୋନା କଟକଣାକୁ ଦୃଷ୍ଟିରେ ରଖି କୋଟିଆରେ ଲାଗିଥିଲା ୧୪୪ ଧାରା । ପୂରା ଅଞ୍ଚଳ ପୋଲିସ ଛାଉଣୀରେ ପରିବର୍ତ୍ତନ ହୋଇସାରିଥିଲା । ଛକ ଛକରେ ଜଗିଲେ ପୋଲିସ । ଯେପରି ପଦାକୁ କେହି ବାହାରି ପାରିବେନି । କିନ୍ତୁ ସରକାରଙ୍କ ଏହି ସକ୍ରିୟତା କରୋନା ପାଇଁ ଯେତିକି ନଥିଲା ତାହା ଠାରୁ ଅଧିକ ଥିଲା କୋଟିଆବାସୀଙ୍କୁ ଏକତ୍ରୀତ ନ କରାଇ ଦେବା ପାଇଁ । ଆଉ ଏହା ପଛର ସବୁଠୁ ବଡ କାରଣ ଥିଲା କୋଟିଆରେ ଆନ୍ଧ୍ରର ନିର୍ବାଚନ । କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ଥିଲା ଭୋଟଗ୍ରହଣ । ୧୪୪ ଧାରା ଲାଗିଥିବା ସତ୍ତ୍ୱେ ମଧ୍ୟ ସକାଳ ହେବା କ୍ଷଣି ଲୋକେ ମୁହାଁଇଥିଲେ ମତଦାନ କେନ୍ଦ୍ର ଆଡକୁ । ପୋଲିସ ଅଟକାଇବାକୁ ଚେଷ୍ଟା କରିବାକୁ ମୁହାଁମୁହିଁ ପରିସ୍ଥିତି ଉପୁଜିଲା । ଓଡ଼ିଶାର ବିଭିନ୍ନ ଦଳର ନେତା ପହଞ୍ଚିଲେ, ଜନତାଙ୍କୁ ବୁଝାଇ ଚାଲୁଥିଲେ ଭୋଟ ନ ଦେବା ପାଇଁ । ପ୍ରଲୋଭନ ଦେଖାଉଥିଲେ, ପ୍ରତିଶ୍ରୁତି ମଧ୍ୟ ଦେଉଥିଲେ । କିନ୍ତୁ ଏହି ସମୟରେ ଆନ୍ଧ୍ରର ଅଧିକାରୀ ଆସି ଭୋଟ ଦେବା ପାଇଁ ଲୋକଙ୍କୁ ଉସୁକାଇବା ଆରମ୍ଭ କଲେ । ଯାହାକୁ ନେଇ ଓଡ଼ିଶା ନେତା ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃ୍‌ଷ୍ଟି ହେଲା । କିନ୍ତୁ ମତଦାନ କେନ୍ଦ୍ର ଆଡକୁ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇ କୋଟିଆବାସୀ ରାଜ୍ୟ ସରକାରଙ୍କୁ ପଚାରୁଥିଲେ ଅନେକ ଅକୁହା ପ୍ରଶ୍ନ । ଯାହାର ଉତ୍ତର ହୁଏତ ନେତାଙ୍କ ମୁହଁରେ ନଥିଲା ।

କୋଟିଆରେ ଆନ୍ଧ୍ରର ନିର୍ବାଚନ କିଛି ଛୋଟ କଥା ନୁହେଁ । ଏହି ଛୋଟିଆ ନିର୍ବାଚନ ପରବର୍ତ୍ତୀ ସମୟରେ ଓଡ଼ିଶା ମାନଚିତ୍ରକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ନିର୍ବାଚନ ବଳରେ ହିଁ କୋଟିଆକୁ ଓଡ଼ିଶାରୁ ଅଲଗା କରିବାକୁ ଆନ୍ଧ୍ର ଷଡଯନ୍ତ୍ର କରୁଥିବା ନେଇ ଅଭିଯୋଗ କରି ଆସୁଛି ଓଡ଼ିଶା । ତେବେ ଏହି ଅଭିଯୋଗ ଦୀର୍ଘଦିନର । କୋଟିଆରେ ଆନ୍ଧ୍ର ଦାଦାଗିରି କରୁଥିବା ନେଇ ଅନେକବାର କହି ଆସିଛନ୍ତି ରାଜ୍ୟ ସରକାର । କୋଟିଆ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି, ଯେଉଁଥିପାଇଁ କୋଟିଆବାସୀଙ୍କୁ ଆନ୍ଧ୍ର ପ୍ରଲୋଭିତ କରୁଛି । ଏପରିକି ସୀମା ଡେଇଁ ନିର୍ବାଚନ ମାଧ୍ୟମରେ କୋଟିଆରେ ନିଜର ଦବଦବା ଜାହିର କରିବାକୁ ଚାହୁଁଛି ଆନ୍ଧ୍ର । କିନ୍ତୁ ସେତେବେଳେ ଏହା କେବଳ ବୟାନ ଭିତରେ ସୀମିତ ରହିଥିଲା । ଆଉ ଏହାର ସୁଯୋଗ ଉଠାଇଥିଲା ଆନ୍ଧ୍ର ।

ରାଜ୍ୟ ସରକାରଙ୍କ ଅଭିଯୋଗ ଅନୁଯାୟୀ, ଆନ୍ଧ୍ର କୋଟିଆବାସୀଙ୍କୁ ପ୍ରଲୋଭିତ କରୁଛି । ଲୋକଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚାଇବାର ପ୍ରତିଶ୍ରୁତି ଦେଉଛି । ଓଡ଼ିଶା ସରକାରଙ୍କ ଅପେକ୍ଷା ଅଧିକ ଆର୍ଥିକ ସହାୟତା ମଧ୍ୟ ଦେଉଛି । ତେଣୁ ଏଭଳି ସୁବିଧାକୁ କିଏ ହାତଛଡା କରିବ? ଠିକ୍ ଯେପରି ଭୋଟ ପାଇବା ପାଇଁ ଲୋକଙ୍କୁ ନେତା ପ୍ରତିଶ୍ରୁତି ଓ ପ୍ରଲୋଭନ ଦେଖାଇଥାନ୍ତି । ଆଉ ପ୍ରଲୋଭନର ଶିକାର ହେବା ପରେ ନେତାଙ୍କ ଶିବିର ଆଡକୁ ଢଳିଥାନ୍ତି । ଠିକ୍ ସେହିଭଳି ଫର୍ମୁଲା ଆପଣାଇଛି ଆନ୍ଧ୍ର । ପ୍ରଲୋଭନ ଦେଖାଇ ନିଜ ଆଡକୁ କୋଟିଆବାସୀଙ୍କୁ ଆକୃଷ୍ଟ କରୁଛି ଆନ୍ଧ୍ର । ଏଥିରେ ସନ୍ଦେହ ନାହିଁ ସତ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଏତେ ଦିନ କାହିଁକି ଚୁପ୍ ବସିଥିଲେ? ଏବେ ଯେଉଁଭଳି କୋଟିଆକୁ ନେତାଙ୍କ ଗାଡି ଛୁଟୁଛି ସେହି ସମାନ ଦୃଶ୍ୟ ଯଦି ବର୍ଷେ ପୂର୍ବରୁ ଦେଖିବାକୁ ମିଳିଥାନ୍ତା ତେବେ ହୁଏତ ଆଜି ଆନ୍ଧ୍ର ସୀମା ଡେଇଁ ନିର୍ବାଚନ କରିବାକୁ ସାହସ କରିପାରିନଥାନ୍ତା ।

କୋଟିଆରେ ଆନ୍ଧ୍ରର ନିର୍ବାଚନ ଘଟଣା ସାମ୍ନାକୁ ଆସିବା ପରେ ହିଁ କ୍ରିୟାଶୀଳ ହୋଇଛନ୍ତି ରାଜ୍ୟର ବିଭିନ୍ନ ଦଳର ନେତା । ଓଡ଼ିଶାରୁ କୋଟିଆକୁ ଭାଗ କରିଦେବାର ଭୟ ରହିବା କାରଣରୁ ଶାସକ ଠାରୁ ଆରମ୍ଭ କରି ବିରୋଧୀ, ଏବେ ଡେରା ପକାଉଛନ୍ତି କୋଟିଆରେ । ହଁ ଶାସକ ଦଳକୁ ଘେରିବାକୁ ବିରୋଧୀଙ୍କୁ କୋଟିଆ ଭଳି ଗୋଟିଏ ବଡ ପ୍ରସଙ୍ଗ ମିଳିଯାଇଛି । ଯାହା ସରକାରଙ୍କ ବିଫଳତାକୁ ପଦାରେ ପକାଇଛି କିନ୍ତୁ ଏଥିରେ କୋଟିଆକୁ ଏଯାଏଁ ସେଭଳି ଆଖିଦୃଶିଆ ଫାଇଦା ମିଳିନି । ହଁ କମ ସଂଖ୍ୟକ ଲୋକ ଭୋଟରେ ଭାଗ ନେଇ ଓଡ଼ିଶା ସହ ଏବେ ବି ଅଛୁ ବୋଲି ଆନ୍ଧ୍ରକୁ ବାର୍ତ୍ତା ଦେଇଛନ୍ତି କୋଟିଆବାସୀ । ଯାହା ଏବେ ଓଡ଼ିଶା ପାଇଁ ଅବହେଳିତ କୋଟିଆବାସୀଙ୍କୁ ବିକାଶ ପଥରେ ଆଗେଇ ନେବା ପାଇଁ ସୁଯୋଗ ସୃଷ୍ଟି କରିଛି । କିନ୍ତୁ ଆନ୍ଧ୍ର ଦେଖାଇଥିବା ସୁନେଲୀ ସ୍ୱପ୍ନରୁ ଏଯାଏଁ ବାହାରିନାହାନ୍ତି କୋଟିଆବାସୀ । କାରଣ ରାଜ୍ୟର ସେହିଭଳି ଜଣେ ନେତୃତ୍ୱ ଏଯାଏଁ କୋଟିଆରେ ପହଞ୍ଚିନାହାନ୍ତି ଯାହା ପ୍ରତିଶ୍ରୁତିକୁ ଭରସା କରିପାରିବେ ଅଞ୍ଚଳବାସୀ । ତେଣୁ ରାଜ୍ୟର ନେତା ଭାବେ ନବୀନ ହିଁ କୋଟିଆ ଗସ୍ତ କରି ଆନ୍ଧ୍ର ଦେଖାଇଥିବା ସୁନେଲୀ ସ୍ୱପ୍ନର ମାୟାଜାଲରୁ ଅଞ୍ଚଳବାସୀଙ୍କୁ ବାହାର କରି ଆଣନ୍ତୁ ବୋଲି ଦାବି ହେଉଛି । କିନ୍ତୁ ପ୍ରଶ୍ନ ଉଠୁଛି, ନବୀନ କେବେ ଯେବେ କୋଟିଆ?

Get real time updates directly on you device, subscribe now.

Leave A Reply

Your email address will not be published.