‘ସରକାର ବାହାରେ ଜଗିଛନ୍ତି, ମା’ ମାନେ ଘରେ ଜଗନ୍ତୁ’
ସରକାର ବାହାରେ ଜଗିଛନ୍ତି, ମାଆ ମାନେ ଘରେ ଜଗନ୍ତୁ । ପରିବାର ଲୋକ ବାହାରକୁ ବାହାରିଲେ ମାଆ ମାନେ ମାସ୍କ ପିନ୍ଧାଇ ଛାଡନ୍ତୁ ବୋଲି ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିବା ବେଳେ କହିଛନ୍ତି । ମା’ମାନେ ସତର୍କ ହେଲେ କେବେ ବି କରୋନା ଘରକୁ ଆସିପାରିବନି । ମାସ୍କ ପିନ୍ଧିଲେ କରୋନାକୁ ବିନା ଲକ୍ଡାଉନ୍ରେ ରୋକିପାରିବା । ଯଦି ନିଜର ଜୀବନ ଜୀବିକାକୁ ବଜୟା ରଖିବାକୁ ଚାହାନ୍ତି ତେବେ, ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଓଡିଶାରେ ମଧ୍ୟ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଡେଇଁଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି।ମୁଖ୍ୟମନ୍ତ୍ରୀ କୋଭିଡ୍ ନିୟମ ପାଳନ ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ଵାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ସରକାର ବାହାରେ ଜଗିଛନ୍ତି, ଓଡିଶାର ମାଆ ମାନେ ଘରେ ଜଗନ୍ତୁା ମାଆ ମାନେ ଅଧିକ ସଚେତନ ହେବା ସହିତ ପରିବାର ଲୋକ କିଭଳି ଭାବେ ନିୟମିତ ମାସ୍କ ବ୍ୟବହାର କରିବେ ସେନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଣିକି ମାସ୍କ ନପିନ୍ଧିଲେ ୨ ଗୁଣା ଫାଇନ ଆଦାୟ ହେବ। ଏଥିପାଇଁ ପୋଲିସକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ କରି ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ମାସ୍କ ପିନ୍ଧିବା ଜରୁରୀ। ଆଉ ଯେଉଁମାନେ ଟିକା ନେଇଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧନ୍ତୁ। ତା ହେଲେ ଯାଇ ଆମେ ବିନା ଲକ୍ଡାଉନ୍ରେ କରୋନାକୁ ରୋକି ପାରିବା। ଏଥିସହ ଆଜିଠୁ ୧୪ ଦିନିଆ ମାସ୍କ ଅଭିଯାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାନବ ଇତିହାସରେ ଏଭଳି ସଙ୍କଟ କେବେ ଆସିନଥିଲା। ବିଶ୍ଵ ଏବେ ଅସାଧାରଣ ସ୍ଥିତି ଦେଇ ଗତି କରୁଛି। ପୂର୍ବାପେକ୍ଷା ଆମକୁ ଅଧିକ ଯତ୍ନବାନ ହେବାକୁ ପଡିବ। ସମସ୍ତ ସହଯୋଗରୁ ଆମେ ଅନେକ ଜୀବନ ରକ୍ଷା କରି ପାରିଛେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୂଳନାରେ କମ ଥିଲା। ଆମକୁ କଠୋର ପଦକ୍ଷେପ ନେବାକୁ ପଡିଥିଲା। ବାରମ୍ବାର ଲକ୍ଡାଉନ୍ ଓ ସଟ୍ଡାଉନ୍ କରିବାକୁ ପଡିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।