ଅପରେସନ ‘ହାଇଦର’
ମହାମାରୀ କରୋନାର କମବ୍ୟାକ ପରେ ସମସ୍ତଙ୍କ ନଜର ସେପଟେ ଥିବା ସେହି ସମୟରେ ପୁଲିସକୁ ବଡ଼ ଚକମା ଦେଇଛି ଗ୍ୟାଙ୍ଗଷ୍ଟର ହାଇଦର । ପୁଲିସ ଆଖିରେ ଧୁଳି ଦେଇ ଏସିସିିବି ମେଡିକାଲରୁ ଚମ୍ପଟ ମାରିଛି । କେମିତି ପୁଲିସ ଆଖିରେ ଧୁଳିଦେଇ ଖସିଗଲା ଗ୍ୟାଙ୍ଗଷ୍ଟର ? ଫେରାର ପଛରେ ରହିଛି କି କାହାର ଷଡଯନ୍ତ୍ର ?ହାଇଦର ଫେରାର ପରେ ପୁଲିସର ଅକଲ ଗୁଡୁମ ହୋଇଯାଇଥିବା ବେଳେ ତାକୁ ଧରିବାକୁ ଆରମ୍ଭ ହୋଇଛି ଅପରେସନ ହାଇଦର ।
ଯେମିତି ଗ୍ୟାଙ୍ଗଷ୍ଟର ଖସି ନଯାଏ ସେଥିପାଇଁ ରାଜ୍ୟର ସମସ୍ତ ଏସପିଙ୍କୁ ଆଲର୍ଟ କରାଯାଇଛି। ରାଜ୍ୟର ବର୍ଡର, ରେଳପଥ, ରୋଡ ଉପରେ ନଜର ରହିଛି। ଏସଟିଏଫକୁ ସଜାଗ କରାଯାଇଛି । ପ୍ରବେଶ ପ୍ରସ୍ଥାନ ପଥ ଯାଞ୍ଚ ହେଉଛି । ଆଜି ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ବଡ଼ ଧରଣର ମାନସ ମନ୍ଥନ କରାଯାଇଛି । ଏହି ବୈଠକରେ କ୍ରାଇମବ୍ରାଂଚ ଏଡିଜି, ପୋଲିସ କମିଶନର, କେନ୍ଦ୍ରାଂଚଳ ଡିଆଇଜି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଶେଷ ହେବା ପରେ ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା କହିଛନ୍ତି।
ହାଇଦରକୁ ଧରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ୬ ଟି ଟିମ୍ ହାଇଦରକୁ ଧରିବାରେ ସାମିଲ ଅଛନ୍ତି । ବର୍ତମାନ ଯାହା ପ୍ରମାଣ ମିଳିଛି ସେ ଅନୁଯାୟୀ ତଦନ୍ତ ଚାଲିଛି । ଘଟଣାରେ ପରିବାର ଲୋକଙ୍କୁ ପରେ ଜେରା ହେବ । ପ୍ରଥମ କାମ ଚଢ଼ାଉ କରି ହାଇଦରକୁ ଧରିବା । ଏକ କେସ ରେଜିଷ୍ଟର ହୋଇଛି । ସିଷ୍ଟରଙ୍କ ବୟାନ ରେକର୍ଡ କରାଯିବ। ମେଡିକାଲ ସିସିଟିଭି ଯାଞ୍ଚ ହେବ। ଗତକାଲି ମଞ୍ଚେଶ୍ବରର ଏକ ସ୍ଥାନରେ ଚଢ଼ାଉ ହୋଇଥିଲା। ଧରିବା ପାଇଁ ଯାହା ପଦକ୍ଷେପ ନିଆଯିବା କଥା ନିଆଯାଉଛି।ବୋଲି କହିଛନ୍ତି କ୍ରାଇମ ବ୍ରାଂଚ ଏଡିଜି ।
ଭୁବନେଶ୍ବର ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ଲୋକଙ୍କୁ ହାଇଦରର ଫଟୋ ଦେଖାଇ ଖୋଜୁଛି ପୋଲିସ। ଜିଆରପି ଓ କମିଶନରେଟ୍ ପୋଲିସ ପକ୍ଷରୁ ଲୋକଙ୍କୁ ହାଇଦରର ଫଟୋ ଦେଖାଇ ଲୋକଙ୍କୁ ପଚରା ଯାଉଛି। ହାଇଦର ଏକ ଧଳା ରଙ୍ଗର ଗାଡ଼ିରେ ଖସି ଯାଇଥିବା ଜଣାପଡ଼ିଛି। ସେନେଇ ମଧ୍ୟ ତଦନ୍ତ କରାଯାଉଛି।