ଦେଶରେ ସ୍ଥିତି ସାଂଘାତିକ
ଦେଶରେ ସ୍ଥିତି ଅସମ୍ଭାଳ । ସାଂଘାତିକ ଭାବେ ବ୍ୟାପୁଛି ସଂକ୍ରମଣ । ମାଡି ଆସୁଛି ମହାବିପଦ । ଦୈନିକ ସଂକ୍ରମଣରେ ବ୍ରାଜିଲ ସବୁଠୁ ଆଗରେ ରହିଥିବା ବେଳେ ଦ୍ୱିତୀୟ ରହିଛି ଭାରତ । ସମସ୍ତ ରେକର୍ଡ ଭାଙ୍ଗି ଦିନକରେ ୧ ଲକ୍ଷ ୬୮ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୦୪ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦେଶରେ ବଢିଚାଲିଛି । ସଂକ୍ରମିତଙ୍କ ସଂଖା ବଢୁଥିବା ବେଳେ ସୁସ୍ଥତା ହାର କମୁଛି ।
ଦେଶରେ କରୋନା ତାର କାୟା ମେଲାଉଛି । ଦିନକୁ ଦିନ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । କଟକଣା, ନାଇଟ କର୍ଫ୍ୟୁ ସତ୍ୱେ ସଂକ୍ରମଣ ନିୟନ୍ତ୍ରଣ ବାହାରେ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୫,୨୭,୭୧୭ରେ ପହଞ୍ଚିଛି। ସେହିପରି ୯୦୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୦,୧୭୯ରେ ପହଞ୍ଚିଛି। ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧୨ ଲକ୍ଷ ୧ ହଜାର ୯ଜଣ । ୧କୋଟି ୨୧ ଲକ୍ଷ ୫୬ ହଜାର ୫୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ସେପଟେ ସଂକ୍ରମିତଙ୍କ ସଂଖ୍ୟାରେ ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର ।ହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେଉଥିବାରୁ ସମ୍ପୁର୍ଣ୍ଣ ଲକ୍ଡାଉନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ସେପଟେ ଦିଲ୍ଲୀରେ ବି କରୋନା ସଂକ୍ରମଣ ତୀବ୍ର ଗତିରେ ବଢୁଛି ।ପୂର୍ବରୁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଆଜି ଆଉ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ଦିଲ୍ଲୀ ସରକାର ।