‘ବିଜେପି ଜାଣିଶୁଣି ବିଶୃଙ୍ଖଳା କରୁଛି’
ପିପିଲି ଉପନିର୍ବାଚନ ପାଇଁ ଚାଲିଛି ହାଇଭୋଲଟେଜ ପ୍ରଚାର । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ସହ ବାଇକ୍ ରାଲି, ଶୋଭାଯାତ୍ରାରେ କମ୍ପୁଛି ପିପିଲି ଓ ଡେଲାଙ୍ଗ । ଭୋଟକୁ ଆଉ ମାତ୍ର ଦିନ କେଇଟା ବାକି, ହେଲେ ଏହି ସମୟରେ ପିପିଲିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଏହି ଘଟଣାକୁ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।
ବିଜୁ ଜନତା ଦଳର ୫ ଜଣିଆ ଟିମ୍ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ପିପିଲି ହିଂସା ଘଟଣାକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେଡି ପ୍ରତିନିଧି ଦଳ । ସିଇଓଙ୍କୁ ଭେଟିବା ପରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେପି ଏବେ ରକ୍ତମୁଖା ହୋଇଯାଇଛି । ଗତକାଲି ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଯେଉଁଥିରେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଏବେ ଡେଲାଙ୍ଗ ହସ୍ପିଟାଲ ଏବଂ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ମନ୍ତ୍ରୀ ସୁଶାନ୍ତ ସିଂହ ଓ ତାଙ୍କ ଗାଡ଼ିକୁ ଆକ୍ରମଣ କରାଯାଇଛି। ଉତ୍ତର ପ୍ରଦେଶ ଓ ବିହାର ଭଳି ବିଜେପି ହିଂସାର ଆଚରଣ କରୁଛି। ବିଜେପି ନିର୍ବାଚନ ହାରିବା ଭୟରେ ଏମିତି କରୁଛି ବୋଲି ସେ କହିଛନ୍ତି।
ଗତକାଲି ପିପିଲିରେ ବିଜେଡ଼ି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ନେଇ ଶାସକ ଦଳ ଅଭିଯୋଗ କରିଥିଲା ।