ଭୟ ଭିତରେ ଭଲ ଖବର..ଭାରତକୁ ମିିଳିଲା ତୃତୀୟ ଟିକା
ଦେଶରେ କରୋନା ସଂକ୍ରମଣ ଦୈନିକ ଦେଢ ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଆଧାରରେ ବଢିଚାଲିଛି । ଏହାରି ମଧ୍ୟରେ ଦେଶକୁ ଏକ ଆଶ୍ୱସ୍ତି କର ଖବର ମିଳିଛି । କରୋନାକୁ ମାତ ଦେବା ପାଇଁ ଋଷର ସ୍ପୁଟୁନିକ-ଭି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ ) । ଗତକାଲି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲା ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଅନୁମତି ମିଳିବା ପରେ ହିଁ ଭାରତରେ ଏହାକୁ ବ୍ୟବହାର କରାଯିବ ବୋଲି କହିଥିଲା। ଆଜି ଡିସିଜିଆଇ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ।
ଦେଶରେ ସଂକ୍ରମଣ ଉପରମୁହାଁ ଥିବା ବେଳେ ଭାରତରେ ଏହି ନୂତନ ଟିକା ବ୍ୟବହାର ପାଇଁ ଅନୁମତି ମିଳିଛି । ଭାରତରେ ସ୍ପୁଟନିକ୍ ଭି ହାଇଦ୍ରାବାଦର ଡାକ୍ତର ରେଡ୍ଡୀ ଲ୍ୟାବ ସହ ମିଶି ପରୀକ୍ଷଣ କରିଥିଲା । ମୋଡେର୍ଣ୍ଣା ଏବଂ ଫାଇଜର ପରେ ଏହି ଟିକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ରହିଛି । ଭାରତରେ କ୍ଲିନିକାଲ ପରୀକ୍ଷଣର ପ୍ରଥମ ପର୍ୟ୍ୟାୟରେ ଥିବା ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡାକ୍ତର ରେଡ୍ଡୀ ଲ୍ୟାବ ଫେବ୍ରୁଆରି ୧୯ରେ ଆବେଦନ କରିଥିଲେ ।
ଏପ୍ରିଲ ୧ରେ ସବଜେକ୍ଟ ଏକ୍ସପର୍ଟ କମିଟି ଡାକ୍ତର ରେଡ୍ଡୀ ଲ୍ୟାବକୁ ପରୀକ୍ଷଣର ପୂରା ତଥ୍ୟ ଏବଂ ଏହା କିଭଳି ପ୍ରତିରୋଧକ ଶକ୍ତି ବଢ଼ାଉଛି ସେ ବିଷୟରେ ସବିଶେଷ ତଥ୍ୟା ଦେବାକୁ କହିଥିଲେ। ଡାକ୍ତର ରେଡ୍ଡୀ ଲ୍ୟାବ ସବୁ ତଥ୍ୟ ଦେବା ପରେ ଗତକାଲି ସବଜେକ୍ଟ ଏକ୍ସପର୍ଟ କମିଟି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ଦେଶରେ ଏବେ ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଟ ଟିକା ଦିଆଯାଉଛି ।