ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ୟ୍ୟାୟରେ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ତୁମୁଳିଆ ଗେଟ ଫ୍ଲାଇ ଓଭରରୁ ଷ୍ଟେସନ ଛକ ଯାଏ ରାସ୍ତା ୬ ଲେନ୍ ବିଶିଷ୍ଟ ହେବ। ୬ ଲେନ୍ ରାସ୍ତାରେ ଆଧୁନିକ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରାଯିବ। ବାଲେଶ୍ୱର ମ୍ୟୁନିସିପାଲଟି ସବୁ ରାସ୍ତାର ଉନ୍ନତୀକରଣ କରାଯିବ । ଏହାସହ ୬ ଲେନ୍ ରାସ୍ତା, ଷ୍ଟ୍ରିଟ ଲାଇଟ ପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା। ସେହିପରି ବୁଢ଼ାବଳଙ୍ଗ ନଦୀବନ୍ଧର ସୌନ୍ଦର୍ୟ୍ୟକରଣ ଓ ସୁରକ୍ଷା ପାଇଁ ଖର୍ଚ୍ଚ ହେବ ୫୩ କୋଟି ଟଙ୍କା।
ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୮ କୋଟି ଟଙ୍କା ବ୍ୟୟରେ ବାଲେଶ୍ଵର ସହଦେବଖୁଣ୍ଟା ବସଷ୍ଟାଣ୍ଡର ବିକାଶ କରାଯିବ । ବାଲେଶ୍ଵରର କ୍ରୀଡ଼ାବିତ୍ ମାନଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ବାଲେଶ୍ଵର ମ୍ୟୁନିସିପାଲିଟି ୧୪ କୋଟି ଟଙ୍କା ବ୍ୟୟରେ ବହୁମୂଖୀ ଇନଡୋର ହଲ୍, ସୁଇମିଂ ପୁଲ୍ ଆଦି ଉନ୍ନତ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ । ଏହାସହିତ କ୍ରୀଡ଼ାବିତ୍ ମାନଙ୍କ ପାଇଁ ଉଚ୍ଚ ମାନର ତାଲିମ୍ ବ୍ୟବସ୍ଥା କରାଯିବ ।ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ମୁଖ୍ୟ ପୋଖରୀ ଗୁଡ଼ିକ ଯଥା ଗଡ଼ଗଡ଼ିଆ ପୋଖରୀ, ଶୋଭାରାମପୁର ପୋଖରୀ, ବଡ଼ଖୁଆ ପୋଖରୀ, ନୂଆ ପୋଖରୀ, ହରଚନ ପୋଖରୀ ଓ ହରଗଙ୍ଗା ପୋଖରୀ ଆଦିର ସୌନ୍ଦର୍ୟ୍ୟକରଣ ଓ ବିକାଶ କରାଯିବ । ଏହା ସହରର ପରିବେଶକୁ ସୁନ୍ଦର କରିବା ସହିତ ନାଗରିକ ମାନଙ୍କ ନିମନ୍ତେ ଖୋଲା ସ୍ଥାନ ସୃଷ୍ଟି କରିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ‘ବାଲେଶ୍ଵର ହେଉଛି ଓଡ଼ିଶାର ଅନ୍ୟତମ ମୁଖ୍ୟ ସହର । ଏହା ମୋର ପ୍ରିୟ ଲେଖକ ଫକୀର ମୋହନ ସେନାପତିଙ୍କ ଜନ୍ମ ସ୍ଥାନ । ନିକଟରେ ମୁଁ ବାଲେଶ୍ଵର ବାସୀଙ୍କୁ କଥା ଦେଇଥିଲି- ବାଲେଶ୍ଵର ମ୍ୟୁନିସିପାଲିଟିର ବିକାଶ ଉପରେ ଆମେ ଧ୍ୟାନ ଦେବୁ ।‘ ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଗୁଡ଼ିକ ଘୋଷଣା କରିଛନ୍ତି ।
ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ବିକାଶ ସମ୍ପର୍କରେ ଦୁଇ ପର୍ୟ୍ୟାୟ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଞ) ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କିଷନ କୁମାର ବାଲେଶ୍ଵର ଯାଇ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରି ସେମାନେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ । ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ବାଲେଶ୍ୱର ପାଇଁ ୧୫୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ।