THE BYAPINI

ସମ୍ବିତ ମାନିଲେ, ଭୁବନେଶ୍ୱର ସାଂସଦ କେବେ ମାନିବେ?

Get real time updates directly on you device, subscribe now.

ସମ୍ବିତ ମାନିଲେ, ଭୁବନେଶ୍ୱର ସାଂସଦ କେବେ ମାନିବେ?ଏ ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଏକ ଟ୍ୱିଟ୍ ସାମ୍ନାକୁ ଆସିଛି । ଯେଉଁଥିରେ ରାଜ୍ୟ ପଦ୍ମପୋଖରୀର ପୋଷ୍ଟରବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ‘ମୋର ନେତା’ ବୋଲି ଉଲ୍ଲେଖ କରି ସମ୍ବିତ ନୂଆ ରାଜନୀତି ସମୀକରଣ ସାମ୍ନାକୁ ଆଣିଛନ୍ତି । କାରଣ ପୂର୍ବରୁ ସମ୍ବିତ କେବଳ ମୋଦି ଓ ଶାହାଙ୍କୁ ନିଜର ନେତା ବୋଲି କହି ଆସୁଥିବାର ଶୁଣିବାକୁ ମିଳିଛି । କିନ୍ତୁ ପ୍ରଥମଥର ପାଇଁ ଧର୍ମେନ୍ଦ୍ରଙ୍କ ପାଇଁ ସମ୍ବିତଙ୍କ ଏଭଳି ଶବ୍ଦ ବ୍ୟବହାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ପଦ୍ମ ଦଳର ପଙ୍କିଳ ପଲିଟିକ୍ସରେ ଧର୍ମେନ୍ଦ୍ରଙ୍କୁ ସମ୍ବିତ ନିଜର ନେତା ବୋଲି କହିବା ସହଜରେ ବିଶ୍ୱାସ ନକଲା ଭଳି କଥାଟିଏ । ପଦ୍ମ ଦଳରେ ଚାଲିଥିବା ପତିଆରାର ଲଢେଇ ଭିତରେ ସମ୍ବିତ ଧର୍ମେନ୍ଦ୍ରଙ୍କୁ ମୋର ନେତା ବୋଲି କହିବା ଅନେକ ଗୁଡିଏ ଦିଗକୁ ଇଙ୍ଗିତ କରୁଛି । ଯାହା ଦର୍ଶାଉଛି ସମ୍ବିତଙ୍କୁ ମଧ୍ୟ ନିଜ କ୍ୟାମ୍ପରେ ସାମିଲ କରି ସାରିଲେଣି ଧର୍ମେନ୍ଦ୍ର ।

ଜାତୀୟସ୍ତରରେ ଦଳର ତୁଣ୍ଡ କୁହାଯାଉଥିବା ସମ୍ବିତ ଏହାପୂର୍ବରୁ ରାଜ୍ୟ ରାଜନୀତି ଭିତରେ ଏତେଟା ମୁଣ୍ଡ ପୂରାଉନଥିଲେ । ଏପରିକି ଦଳ ଭିତରେ ଥିବା ବିଭିନ୍ନ ଗୋଷ୍ଠୀ ଠାରୁ ସମଦୂରତ୍ୱ ବଜାୟ ରଖିବା ସହ ଆଗକୁ ବଢୁଥିଲେ ସମ୍ବିତ । କିନ୍ତୁ ନିର୍ବାଚନ ପରେ ସମ୍ବିତ ନୂଆ ଷ୍ଟ୍ରାଟେଜି ଆପଣାଇଥିବା ନେଇ ଚର୍ଚ୍ଚା ହେଲା । ଧର୍ମେନ୍ଦ୍ରଙ୍କ କ୍ୟାମ୍ପକୁ ଧରାଛୁଆଁ ଦେଉନଥିବା ସମ୍ବିତ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଶିବିର ମୁହାଁ ବୋଲି ଚର୍ଚ୍ଚା ହେଉଥିଲା । ଦଳରେ ଏକଚାଟିଆ ଭାବେ ପ୍ରଭାବ ବିସ୍ତାର କରୁଥିବା ପାୱାରଫୁଲ ଧର୍ମେନ୍ଦ୍ରଙ୍କୁ ପାୱାରଲେସ କରିବାକୁ ଅପରାଜିତାଙ୍କ କ୍ୟାମ୍ପ ଆଡେ ସମ୍ବିତ ଆଖେଇଥିବା ନେଇ ମଧ୍ୟ ଦଳୀୟ ମହଲରେ ଚର୍ଚ୍ଚା ହେଲା । ଯାହାର ଝଲକ ଦଳୀୟ କାର୍ଯ୍ୟକ୍ରମ ଗୁଡିକରେ ଦେଖିବାକୁ ମିଳିଥିଲା । ଧର୍ମେନ୍ଦ୍ରଙ୍କ ଶିବିର ଆୟୋଜନ କରୁଥିବା କାର୍ଯ୍ୟକ୍ରମରେ ଅପରାଜିତାଙ୍କ ଦର୍ଶନ ମିଳୁନଥିବା ବେଳେ ସମ୍ବିତ ମଧ୍ୟ ଏକପ୍ରକାର ଦୂରଛଡା ଦେଉଥିଲେ । କିନ୍ତୁ ନିର୍ବାଚନର ୨ ବର୍ଷ ମଧ୍ୟରେ ରାଜ୍ୟ ପଦ୍ମ ଶିବିରରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି ।

ପିପିଲି ଉପନିର୍ବାଚନ ପ୍ରଚାର ମୈଦାନକୁ ଧର୍ମେନ୍ଦ୍ରଙ୍କ ସହ ଓହ୍ଲାଇଥିଲେ ସମ୍ବିତ । କିନ୍ତୁ ଅପରାଜିତାଙ୍କ କ୍ୟାମ୍ପ ଠାରୁ ଏକପ୍ରକାର ନିଜକୁ ଦୂରେଇ ରଖିଥିବା ଦେଖିବାକୁ ମିଳିଥିଲା । ଏପରିକି ଦୀର୍ଘ ବର୍ଷ ଧରି କେବଳ ମୋଦି ଓ ଶାହାଙ୍କୁ ନିଜର ନେତା ବୋଲି ପରିଚୟ ଦେଇ ଆସୁଥିବା ସମ୍ବିତ ପ୍ରଥମଥର ପାଇଁ ଧର୍ମେନ୍ଦ୍ରଙ୍କୁ ଏହି ତାଲିକାରେ ସାମିଲ କରିଛନ୍ତି । ଅଥାର୍ତ ଧର୍ମେନ୍ଦ୍ରଙ୍କୁ ମଧ୍ୟ ନିଜର ନେତା ବୋଲି କହିବାକୁ କୁଣ୍ଠାବୋଧ କରିନାହାନ୍ତି ସମ୍ବିତ । ଯାହା ଦର୍ଶାଉଛି କେଉଁଠି ନା କେଉଁଠି ଧର୍ମେନ୍ଦ୍ରଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ବଡ ଆକଳନ କରିଥାଇପାରନ୍ତି ସମ୍ବିତ ।

ରାଜ୍ୟର ପଦ୍ମ ଦଳର ପାୱାର ପଲିଟିକ୍ସରେ ଏବେ ଧର୍ମେନ୍ଦ୍ର ସବୁଠୁ ବଡ ଚେହେରା । ଧର୍ମେନ୍ଦ୍ରଙ୍କ ବିନା ଗେରୁଆ କ୍ୟାମ୍ପରେ ଗଛ ପତ୍ରଟିଏ ହଲିବା ମଧ୍ୟ କଷ୍ଟକର ବ୍ୟାପାର ବୋଲି ଚର୍ଚ୍ଚା ହୁଏ । ତେଣୁ ରାଜ୍ୟ ରାଜନୀତିରେ ଆଗକୁ ବଢିବାକୁ ହେଲେ ଧର୍ମେନ୍ଦ୍ରଙ୍କ ସାଥ୍ ନିହାତି ଆବଶ୍ୟକ ତାହା ବୋଧହୁଏ ଭଲ ଭାବେ ବୁଝିସାରିଛନ୍ତି ସମ୍ବିତ । ଏହାଛଡା ପଦ୍ମ ଦଳରେ ପତିଆରା ଲଢେଇ ବାବଦରେ କାହାକୁ ବା ଅଛପା ଅଛି । ରାଜନୀତିକୁ ବୁଝୁଥିବା ଲୋକ ଗେରୁଆ ଦଳର ଗହନ କଥା ବାବଦରେ ବେଶ ଭଲ ଭାବରେ ଅବଗତ । ରାଜ୍ୟ ପଦ୍ମ ଶିବିର କେତେ ପାଖୁଡାରେ ଯେ ବିଭକ୍ତ ତାହା ନକହିବା ଭଲ । ଆଉ ଏହି ପତିଆରାର ଲଢେଇ ଭିତରେ କେଉଁ କ୍ୟାମ୍ପରେ ରହିଲେ ଅଧିକ ଫାଇଦା ହେବ ତାହାର ବୋଧହୁଏ ଅଙ୍କ କଷି ସାରିଛନ୍ତି ସମ୍ବିତ । ଯେଉଁଥିପାଇଁ ସମୟ ସହ ତାଳ ଦେଇ ଏବେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ମୁହାଁ ହୋଇଛନ୍ତି ସମ୍ବିତ । ଧର୍ମେନ୍ଦ୍ରଙ୍କୁ ନିଜର ନେତା କହିବା ସହ ତାଙ୍କ ସପକ୍ଷରେ ଓକିଲାତି କରିବାକୁ ମଧ୍ୟ ଆଗେଇ ଆସିଛନ୍ତି । ତେବେ ଜାତୀୟସ୍ତରରେ ଦଳର ତୁଣ୍ଡ ଥିବା ସମ୍ବିତ, ଧର୍ମେନ୍ଦ୍ରଙ୍କୁ ନିଜର ନେତା ବୋଲି ମାନିଥିବା ବେଳେ ଭୁବନେଶ୍ୱର ସାଂସଦ ତଥା ଜାତୀୟସ୍ତରରେ ଦଳର ତୁଣ୍ଡ କୁହାଯାଉଥିବା ଅପରାଜିତା ଷଡଙ୍ଗୀ ରାଜ୍ୟ ବିଜେପିର ପୋଷ୍ଟରବୟଙ୍କୁ ନିଜର ନେତା ମାନିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ପତିଆରାର ଲଢେଇରେ ସମ୍ବିତଙ୍କୁ ନିଜ ସପକ୍ଷକୁ ନେଇ କେବଳ ନିଜର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ କମ କରିନାହାନ୍ତି ବରଂ ପୂର୍ବପେକ୍ଷା ପଦ୍ମ ପଲିଟିକ୍ସରେ ଆହୁରି ପାୱାରଫୁଲ ହୋଇଛନ୍ତି ଧର୍ମେନ୍ଦ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.