THE BYAPINI

ଚାଲିବି ଚାଲିବି… ନ ପଡିବି ଥକି…

Get real time updates directly on you device, subscribe now.

ସହର ଯେବେ ପର କରିଦିଏ ସେବେ ଅଲୋଡା ହୁଏ ଶ୍ରମିକ । ସ୍ୱାର୍ଥ ସରିଗଲେ ତ ସହର ତୁଟାଇଦିଏ ଶ୍ରମିକ ସହ ସମ୍ପର୍କ । ହଁ, ଶ୍ରମିକ ସ୍ୱାର୍ଥର ସହରରେ ଜଳୁଥିବା ଗୋଟେ ଷ୍ଟ୍ରିଟ ଲାଇଟ୍‌, ଝାଳ ବୁହାଉ ଥିବା ଗୋଟେ ରକ୍ତମାଂସର ମେସିନ । ସିଏ ଅନ୍ୟର ସ୍ୱପ୍ନ ଗଢେ, ଅନ୍ୟର ଘର ତୋଳେ, ରାସ୍ତାଘାଟ, କୋଠା ବାଡିରେ ଥାଏ ଶ୍ରମିକର ଶ୍ରମ । ହେଲେ ସଠିକ ସମୟରେ ଶ୍ରମିକକୁ ପର କରିଦିଏ ସହର । ଆଉ ସେ ଫେରେ ନିଜ ଭିଟାମାଟିକୁ, ନିଜ ମାଟି ମାଆ କୋଳକୁ… ବର୍ଷେ ତଳେ ଶ୍ରମିକଙ୍କ ପାଇଁ ଏ କାହାଣୀ, ଏ ଶବ୍ଦ ଅନେକ ଲେଖିଛି ସଭ୍ୟ ସମାଜର ହାତ । ରାଶି ରାଶି କବିତା, ମାଳମାଳ ମିଡିଆର ଷ୍ଟୋରୀ ଭିତରେ ଶ୍ରମିକକୁ ନ୍ୟାୟ ଦେବାକୁ କରାଯାଇଛି ପ୍ରୟାସ । କିଏ ଗପ ଗଢି, ଉପନ୍ୟାସ ଉତାରି ଦେଇଛି ଶ୍ରମିକର ଫୋଟକା ପାଦ ଉପରେ, ଭାତ ବିନା ଭିତରକୁ ପଶିଯାଇଥିବା ପେଟ ଉପରେ । ପୁଣି କିଏ ଚିତ୍ର ଆଙ୍କିଚି ଛିଡା ଚପଲ, ପାଣି ନଥିବା ପ୍ଲାଷ୍ଟିକ ବୋତଲକୁ ନେଇ ।

ଭାବିଥିଲେ ଏ ଘଟଣା, ଏ ଦୃଶ୍ୟ କେବଳ କୋଡିଏରେ ହିଁ ସମାଧି ନେଇଯିବ ସମୟର ସ୍ରୋତରେ । ହେଲେ ବିଗତ ଦିନର ସେ ଦୃଶ୍ୟ, ସେ ଛାତିଫଟା ଚିତ୍ର ପୁଣି ଥରେ ୨୦୨୧ରେ ରିପିଟ୍ ହେଲାଣି । ପୁଣି ଶ୍ରମିକ ସହର ଛାଡିଲେଣି, ସହର ଛାଡି ଶ୍ରମିକ ଗାଁ ମୁହାଁ ହେଲେଣି, ବାଟ ଚାଲିଲେଣି, ଘରବାହୁଡିବାକୁ ଅଣ୍ଟା ସଳଖିଲେଣି । ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ, ତାମିଲନାଡୁ ଆଦି ରାଜ୍ୟରେ କରୋନା ବଢି ଚାଲିଥିବା ବେଳେ ପ୍ରବାସୀ ଶ୍ରମିକ କାମଧନ୍ଦା ହରାଇବା ଭୟରେ ଆଗୁଆ କର୍ମସ୍ଥଳୀ ଛାଡି ଜନ୍ମଭୂମିକୁ ଫେରିବାକୁ ଉଦ୍ୟତ ହେଲେଣି । ମୁମ୍ବାଇ, ସୁରଟ, କେରଳ ଭଳି ସ୍ଥାନରେ କଟକଣା, ଲକଡାଉନ, କର୍ଫ୍ୟୁ ଭଳି କଟକଣା ଲାଗିବା ପରେ ଧିରେଧିରେ କଳକାରଖାନା ବନ୍ଦ ହେବାକୁ ଲାଗିଲାଣି । ତେଣୁ ପେଟପାଟଣା ପାଇଁ କାଳେ ଆଗକୁ ଅସୁବିଧା ହେବ ତେଣୁ ଏବେଠୁ ସଜାଗ ହେଲେଣି ଶ୍ରମିକ । ଆଉ ଘରକୁ ଫେରିବାକୁ ଯାତ୍ରା ଆରମ୍ଭ କଲେଣି ।

କାରଣ ଗତବର୍ଷ ଲକଡାଉନ ଛାଟ ଅନେକ ଶ୍ରମିକଙ୍କ ଆଖିରେ ଲୁହ ଆଣିଦେଇଛି । କରୋନା ପାଇଁ ଯେତେବେଳେ ସରକାର ହଠାତ ଦେଶରେ ତାଲା ପକାଇଦେଲେ ସେତେବେଳେ ସବୁକିଛି ଠପ ହୋଇଗଲା । ଜୀବନଜୀବୀକା ବନ୍ଦ ହୋଇଗଲା, ଗାଡି ମଟର ଚାଲୁନଥିବାରୁ କୁହାନାଳ ହେଲେ ଶ୍ରମିକ । ଯେଉଁଠି ଯିଏ ଥିଲା ସେଠି ସେ ରହିଲା । ନା ବାହାରକୁ ବାହାରି ପାରିଲା ନା ଗାଁକୁ ଫେରିପାରିଲା । ବର୍ଷ ଜାକର ରୋଜଗାରକୁ ଖାଇ ଖାଇ ସାରିଦେଲା ପର ରାଜ୍ୟରେ । ଯେତେବେଳେ ପାଖରେ ଥିବା ସଞ୍ଚିତ ଟଙ୍କା ସରିଗଲା ସେତେବେଳେ ବାଟ ଚାଲିଲା ଶ୍ରମିକ । ମୁଣ୍ଡରେ ଗାମୁଛା, ହାତରେ ବ୍ୟାଗ, ଆଉ ପାଣି ବୋତଲ ଖଣ୍ଡେ ଧରି ଡହଡହ ଖରାରେ ରାସ୍ତାରେ ଚାଲିଲା ଶ୍ରମିକ । କିଏ ମୁମ୍ବାଇରୁ ଓଡିଶା ଫେରିଲା, ତ କିଏ ଓଡିଶାରୁ କୋଲକାତ । ଗାଁରେ ବାପାମାଆଙ୍କ ମୃତ୍ୟୁ ପରେ ବି ମୁହଁରେ ନିଆଁ ଦେବାକୁ ବି ଆସିପାରିଲାନି ପୁଅ । ବାଟରେ ଚାଲୁଚାଲୁ କେତେ ଶ୍ରମିକ ଆଖିବୁଜିଥିଲେ ତ କେତେ ଘର ପହଞ୍ଚିଥିଲେ । କରୋନା କାଳରେ ଏମିତି ଅନେକ କରୁଣ ଚିତ୍ର ଦେଖିଥିଲା ଏ ଦେଶ । ଆଉ ଏବେ ସେହି କଷ୍ଟ, ସେହି ହଇରାଣର ପୁହୁରାବୃତି ଯେମିତି ନହୁଏ ସେଥିପାଇଁ ଆଗୁଆ ବାହୁଡି ଆସୁଛି ଶ୍ରମିକ ଆଉ ତା ପରିବାର ।

ମୁଣ୍ଡରେ ବସ୍ତା, ହାତରେ ବ୍ୟାଗ, କିଏ କାଖରେ ଛୁଆ ଧରିଛି ତ କିଏ ପିଠିରେ ଖାଦ୍ୟ ପୁଟୁଳା ଧରି ଗାଁ ମୁହାଁ ହେଉଛି । ଗାଡି ଆସିବ ଆଉ ସମସ୍ତେ ସେହି ଗାଡିରେ ବସି ବିପଦ ଆଗରୁ ଗାଁରେ ପହଞ୍ଚି ଯାଇଥିବେ । ତେଣିକି ଲେମ୍ବୁ, ଲୁଣ ଧରି ପଖାଳ ଗଣ୍ଡେ ଖାଇ ଘରେ ବଞ୍ଚିଯିବେ । ଏଇ ଲକ୍ଷ ନେଇ ଏବେ ସହରକୁ ପଛ କରି ଫେରୁଛନ୍ତି ଶ୍ରମିକ । ସଂକ୍ରମଣର ୨ୟ ଲହର ଭିତରେ ଶ୍ରମିକଙ୍କ ବାହୁଡିବା ଚିତ୍ର ଭାବବିହ୍ୱଳ କରିଦେଉଛି । ମୁମ୍ବାଇ ଲୋକମାନ୍ୟ ତିଲକ ଟର୍ମିନାଲରେ ଶ୍ରମିକଙ୍କ ଭିଡ ଆଉ ଭୟ ଭିତରୁ ରକ୍ଷା ପାଇବାକୁ ଅପ୍ରାଣ ଉଦ୍ୟମକୁ ପୁଣି ଦେଖିଛି ଦେଶ । ସବୁକିଛି ବନ୍ଦ ହେବା ପରେ ଏ ସହରରେ ଶ୍ରମିକର କିଏ ଅଛି ଯେଉଁଠି ସେ ମୁଣ୍ଡ ଗୁଞ୍ଚି ରହିବ । ଚୁଲି ଜାଳି ପେଟକୁ ଦାନାଗଣ୍ଡେ ଦେବ । କେହି ନାହିଁ, କାମ ଥିଲେ ସମସ୍ତେ ନିଜର, ସ୍ୱାର୍ଥ ସରିଗଲେ ସମସ୍ତେ ପର । ସେହି କଥାକୁ ୨ୟ ଲହରରେ ୨ୟ ଥର ବୁଝି ଲୁହକୁ ଆଖି ଭିତରେ ଚାପି ଚାଲିବା ଆରମ୍ଭ କରିଛି ଶ୍ରମିକ । ଏଇତ ଆରମ୍ଭ ମାତ୍ର, କେତେ ଦିନ ଚାଲିବ, କେତେ ବାଟ ଚାଲିବ, କିଛି ଜଣା ନାହିଁ । ମାତ୍ର ସିଏ ଶ୍ରମିକ, ଚାଲୁଛି ଏମିତି ଚାଲୁଥିବ… ଫି ବର୍ଷ, ଫି ଥର…

Get real time updates directly on you device, subscribe now.

Leave A Reply

Your email address will not be published.