ସାରା ଓଡିଶାରେ ନାଇଟ କର୍ଫ୍ୟୁ, ଫେରିଲା ସଟଡାଉନ
ରାଜ୍ୟକୁ ପୁଣି ଫେରିଲା କଟକଣା । କରୋନା ସଂକ୍ରମଣର ବିସ୍ପୋରକ ସ୍ଥିତି ଦେଖି ରାଜ୍ୟ ସରକାର ପୁଣି କଟକଣା ଜାରି କରିଛନ୍ତି । ରାଜ୍ୟକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । ରାଜ୍ୟ ସରକାର ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ସାପ୍ତାହିକ ଶଟଡାଉନ୍ ସହ ନାଇଟ କର୍ଫ୍ୟୁର ସମୟ ପରିବର୍ତନ କରିଛନ୍ତି ।ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ୟ୍ୟନ୍ତ ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହେବ । ଏବଂ ଅନ୍ୟ ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଅତ୍ୟାବଶ୍ୟକ ସେବାକୁ ଏସବୁରୁ ବାଦ୍ ଦିଆଯିବ।
୧୦ ଜିଲ୍ଲା ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରିର ସମସ୍ତ ସହରରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ ହେବ । ଗ୍ରାମାଂଚଳ ପାଇଁ ପୂର୍ବ ନିୟମ ବଳବତ୍ତର ରହିବ । ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ନିୟମ ଲାଗୁ । ଶନିବାର ଏବଂ ରବିବାର ଓ୍ବିକ୍ଏଣ୍ଡ ସଟ୍ଡାଉନ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି କଟକଣା ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି। ନାଇଟ କର୍ଫ୍ୟୁ ସମୟରେ ମାଲ ପରିବହନ ଗାଡ଼ିକୁ ରୋକାଯାଇପାରିବ ନାହିଁ।
ବିବାହରେ ସର୍ବାଧିକ ୫୦ ଜଣ, ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ୍ ହୋଇପାରିବେ । ଧାର୍ମିକ, ସାମାଜିକ, ରାଜନୀତିକ ସମାବେଶ ଓ ସଭା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ବିଭିନ୍ନ ଧର୍ମାନୁଷ୍ଠାନରେ କେବଳ ପୂଜକ ରୀତିନୀତି କରିବେ । ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଯାଉଥିବା ବସ୍ ସେବାକୁ ଆସନ୍ତା ସୋମବାର ଠାରୁ ବନ୍ଦ କରାଯିବ । ରାଜ୍ୟ ଭିତରେ ବସ୍ ଚଳାଚଳ ଜାରି ରହିବ । ତେବେ କେହି ଛିଡ଼ା ହୋଇ ଯାଇପାରିବେ ନାହିଁ । ଅଟୋ, ଟ୍ୟାକ୍ସିରେ ସର୍ବାଧିକ ୨ ଜଣ ଡ୍ରାଇଭର ବାଦ୍ ଯାଇପାରିବେ । ସିନେମା ହଲ୍ କ୍ଷମତାର ୫୦ ପ୍ରତିଶତ ସିଟକୁ ନେଇ ଚାଲିବ ।ସରକାରୀ ଅଫିସ୍ ସବୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଘରୋଇ ସଂସ୍ଥା, ବ୍ୟାଙ୍କ ଏବଂ ଅନ୍ୟ କାର୍ୟ୍ୟାଳୟ ଯଥାସମ୍ଭବ କମ୍ କର୍ମଚାରୀଙ୍କୁ ନେଇ କାର୍ୟ୍ୟ କରିବେ । ଅଫିସରେ ସାନିଟାଇଜର ବ୍ୟବସ୍ଥା ସହ ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।ସମସ୍ତେ ମାସ୍କ ପିନ୍ଧି ଚଳିଲେ ଆମେ ଲକଡାଉନ୍ ଏବଂ ସଟଡାଉନ୍ ଭଳି ପରିସ୍ଥିତିକୁ ଏଡ଼ାଇ ପାରିବା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।