ଜଗା ଦର୍ଶନ ପାଇଁ ବଢିଲା କଟକଣା..ଜାଣନ୍ତୁ ସପ୍ତାହକୁ କେତେଦିନ ବନ୍ଦ ହେବ ଶ୍ରୀମନ୍ଦିର?
ଏଣିକି ସପ୍ତାହରେ ଦୁଇ ଦିନ ବନ୍ଦ ରହିବ ଜଗା ଦର୍ଶନ ।ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଏହି ଦୁଇ ଦିନ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଆସନ୍ତା ୨୪ ତାରିଖଠାରୁ ଏହି କଟକଣା ଲାଗୁ ହେବା ନେଇ ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ପୁଣି ଶ୍ରୀମନ୍ଦିରରେ ଫେରିଛି କଟକଣା । ଶ୍ରଦ୍ଧାଳୁଙ୍କ ପାଇଁ କଟକଣା କଡାକଡି କରାଯାଇଛି । କରୋନା ପାଇଁ ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ଆରଟିପିସିଆର ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।କରୋନା ମହାମାରୀ ପାଇଁ ଆଗରୁ କେବଳ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହୁଥିଲା। ଏବେ ଶନିବାର ମଧ୍ୟ ବନ୍ଦ ରହିବ । ଶ୍ରୀମନ୍ଦିର ଭିତରେ ବାହାର କାଠ ନିକଟରୁ ହେବ ସର୍ବସାଧାରଣ ଦର୍ଶନ ।
ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ନେଇ ତିନୋଟି ଟିମ୍ ଗଠନ ହେବ । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସକୁ ନେଇ ତିନୋଟି ଟିମ୍ ମିଳିତ ଭାବେ ଏନଫୋର୍ସମେଣ୍ଟ କରିବେ । ସପ୍ତାହରେ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ଏହି ସମୟରେ ଶ୍ରୀମନ୍ଦିର ଭିତର ବେଢା, ସ୍ୱତନ୍ତ୍ର ବ୍ୟାରିକେଡ, ବଡ଼ଦାଣ୍ଡ ଆଦି ସାନିଟାଇଜେସନ କରାଯିବ।