ରିମାଣ୍ଡରେ ଯିବ ହାଇଦର!
କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ ହାଇଦରକୁ କୋର୍ଟରେ ହାଜର କରାଯାଇଛି । ହାଇଦରକୁ କଟକ ଜେଏମଏଫସି କୋର୍ଟରେ ହାଜର କରାଯାଇଛି । କୋର୍ଟରେ ହାଜର ହେବା ପରେ ହାଇଦରକୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି କମିଶନରେଟ୍ ପୋଲିସ । ହାଇଦର ସହ ତାର ୨ ସହଯୋଗୀଙ୍କୁ ମଧ୍ୟ ପୋଲିସ କୋର୍ଟ ଚାଲାଣ କରିଛି ।
ହାଇଦରକୁ ରିମାଣ୍ଡରେ ନେଇ ଫେରାର ହେବାର ଗୁମର ଖୋଲିବ କମିଶନରେଟ ପୋଲିସ । ହାଇଦର କେମିତି ଫେରାର ହେଲା ତା ଏବେ ବି ସସପେନ୍ସ ରହିଛି । ହାଇଦର ଫେରାର ହେବା ପଛରେ କାହା କାହା ସଂପୃକ୍ତି ରହିଛି ସେ ନେଇ ଖୋଳତାଡ଼ କରିବ ପୁଲିସ । ହାଇଦର ଏସସିବିରୁ ଫେରାର୍ ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଏବେ ପୋଲିସ କୋର୍ଟ ଚାଲାଣ କରିଛି । ଅଟକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ମିଳିଛି । ହାଇଦରକୁ ରିମାଣ୍ଡରେ ଆଣି ପଚରାଉଚରା ପରେ ପୂରା ଷଡଯନ୍ତ୍ର ଉପରୁ ପରଦା ହଟିବ । ଆଉ ଦୋଷୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର ।
ଗତ ୧୦ ତାରିଖରେ ହାଇଦର ଏସସିବିର ସର୍ଜରୀ ୱାର୍ଡରୁ ଫେରାର୍ ହୋଇ ଯାଇଥିଲା । ହାଇଦର ଫେରାର୍ ପରେ ତାକୁ ଧରିବାକୁ ପୋଲିସ ସକ୍ରିୟ ହୋଇ ପଡ଼ିଥିଲା । ରାଜ୍ୟ ବାହାର ବିଭିନ୍ନ ସ୍ଥାନରେ କଟକ ପୋଲିସର ୬ଟି ଟିମ୍ ରେଡ୍ ଜାରି କରିଥିଲା । ଗୁରୁବାର ତେଲଙ୍ଗାନାରେ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ସ୍ଥାନୀୟ ପୋଲିସ ସହାୟତାରେ ହାଇଦରକୁ ଗିରଫ କରିବାରେ ସଫଳ ହୋଇଥିଲା କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ।